ମହମ୍ମଦ ଗଜନୀର କାହାଣୀ ବ୍ୟଥିତ କରୁଥିଲା ବାଜପେୟୀଙ୍କୁ
17/08/2018 at 10:35 AM

ଜାତୀୟବାଦୀ ନେତା ଅଟଳ ବିହାରୀ ବାଜପେୟୀ । ଆଜି ଆରପାରିରେ ସତ, ହେଲେ ଦେଶ ପ୍ରେମର ଯେଉଁ ବହ୍ନି ଦେଶବାସୀଙ୍କ ମଧ୍ୟରେ ପ୍ରଜ୍ବଳନ କରିବା ପାଇଁ ସେ ଚାହୁଁଥିଲେ ତାହା ଆଜି ବି ଅମର ଏବଂ ଅକ୍ଷତ । ହଜାର ବର୍ଷ ତଳେ ଭାରତ ଇତିହାସର ଏକ ଲଜ୍ଜା ଜନକ ଅଧ୍ୟାୟ ତାଙ୍କୁ ବାରଂବାର ଆନ୍ଦୋଳିତ କରୁଥିଲା । ଭାରତ ଭୂଖଣ୍ଡକୁ ଆକ୍ରମଣକରି ଲୁଂଠନ କରିଥିବା ମହମ୍ମଦ ଗଜନୀ ପ୍ରତି ତାଙ୍କ ମନରେ ଭରିରହିଥିଲା ଘୃଣା । ସେ ଘୃଣାକୁ ଦେଶବାସୀଙ୍କ ମଧ୍ୟରେ ପ୍ରଚାର ଦେଶମାତୃକା ପାଇଁ ଏକ ବୈପ୍ଳବିକ ବନ୍ଧନ ସୃଷ୍ଟି କରିବାକୁ ତାଂକ ସ୍ବାଭିମାନୀ ସତ୍ତା କିଭଳି ଛଟପଟ ହେଉଥିଲା ସେସବୁ ନଜୀର ଆଜି ମଧ୍ୟ ସ୍ମରଣୀୟ । କାରଗିଲ ଯୁଦ୍ଧ ପରିପ୍ରେକ୍ଷୀରେ ସେ ଦେଇଥିବା ଏକ ଉଦ୍ବୋଧନ ଏ କ୍ଷେତ୍ରରେ ଏକ ଉଦାହରଣ ।…
୧୯୯୯ ମସିହାରେ କାରଗିଲ ଯୁଦ୍ଧ ସରିଥାଏ । ଯଦିଓ ଏ ଯୁଦ୍ଧରେ ଭାରତ ବିଜୟ ଲାଭ କରିଥିଲା, ତଥାପି ବିଜୟ ପାଇଁ ଭାରତର ବହୁ ବୀର ଜବାନଙ୍କୁ ପ୍ରାଣବଳି ଦେବାକୁ ପଡିଥିଲା । ଯାହା ବାଜପେୟୀଙ୍କୁ ବ୍ୟଥିତ କରୁଥିଲା ଆଉ ଆକ୍ରମଣକାରୀଙ୍କ ବିରୋଧରେ ରକ୍ତକୁ ଟକମକ କରୁଥିଲା । ଜୟ ଓ ପରାଜୟ, ଉଭୟର କାରଣ ସମ୍ପର୍କରେ ତାଙ୍କ ଅଭିଜ୍ଞ ଓ ସ୍ବାଭିମାନୀ ଅବବୋଧ ଥିଲା ଅତ୍ୟନ୍ତ ସ୍ପଷ୍ଟ ଓ ନିର୍ଦିଷ୍ଟ । ସେଥିପାଇଁ ସେ କାର୍ଗିଲ ପରିପ୍ରେକ୍ଷୀରେ ଦେଇଥିବା ଭାଷଣରେ ମହମ୍ମଦ ଗଜନୀ ୧୭ ଥର ଭାରତକୁ ଲୁଂଠନ କରିବାରେ କାହିଁକି ସଫଳ ହୋଇଥିଲା ତାର ଅବତାରଣା କରିଥିଲେ ।
କିଶୋର ଅବସ୍ଥାରେ ବାଜପେୟୀ ଲୁଂଠନକାରୀ ମହମ୍ମଦ ଗଜନୀର ପ୍ରସଂଗ ଇତିହାସରୁ ପଢିଥିଲେ । ଏ ପ୍ରସଂଗ ସର୍ବଦା ତାଙ୍କ ଛାତିରେ କଂଟାଭଳି ଫୋଡି ହେଉଥିଲା । ସେଥିପାଇଁ ୧୯୭୮ ମସିହାରେ ବୈଦେଶିକମନ୍ତ୍ରୀ ହିସାବରେ ସେ ଯେତେବେଳେ ଆଫ୍ଗାନିସ୍ତାନ ଯାଇଥିଲେ ସେତେବେଳେ ଗଜନି କୋଉଠି ଓ ତାହା ଦେଖିବାକୁ ଚାହିଁଥିଲେ । ଆଫଗାନିସ୍ଥାନରେ ତାଙ୍କ କଥା ବୁଝୁଥିବା ସେଠାର ବୈଦେଶିକ ମନ୍ତ୍ରଣାଳୟର କର୍ମଚାରୀମାନେ ଆଶ୍ଚର୍ଯ୍ୟ ହୋଇ ପଚାରିଥିଲେ ଯେ, ସେ କାହିଁକି ଗଜନୀ ଯିବାକୁ ଚାହୁଁଛନ୍ତି । ଗଜନୀ କୌଣସି ଏକ ବିଖ୍ୟାତ ଯାଗା ନଥିଲା , ପର୍ଯ୍ୟଟନସ୍ଥଳି ନଥିଲା କି ସେଠି ପଞ୍ଚ ତାରକା ହୋଟେଲ ମଧ୍ୟ ନଥିଲା । ଏପରିକି ଆଫଗାନ ଇତିହାସରେ ଗଜନିର କୌଣସି ଚିହ୍ନବର୍ଣ୍ମ ନାହିଁ । ଏକଥା ଜାଣିବାପରେ ବାଜପେୟୀ ଆହୁରି ମର୍ମାହତ ହୋଇଥିଲେ । କାରଣ ଏକ ଅନାମଧେୟ ସ୍ଥାନର ଜଣେ ଲୁଟେରା ଭାରତପାଇଁ ଇତିହାସରେ ଏକ କଳଂକିତ ପୃଷ୍ଠା ଯୋଡିଦେଇଥିଲା । ମହମ୍ମଦ ଗଜନୀ ଏକ ଆତଂକ ଥିଲା ଭାରତ ପାଇଁ ।୧୭ ଥର ଆକ୍ରମଣ କରିପାରିଥିଲା ଆଉ ଲୁଂଠନ କରିଥିଲା ସୋମନାଥ ମନ୍ଦିରଠୁ ଆରମ୍ଭ କରି ବହୁ ବଡ ବଡ ମନ୍ଦିର ।
ଏଭଳି ଘଟିବାର କାରଣ ସମ୍ପର୍କରେ ବାଜପେୟୀ ଅତି କ୍ଲୁପ୍ତରେ ଦୁଇଟି ଗୁରୁତ୍ବପୂର୍ଣ୍ଣ କଥା ଅବତାରଣା କରିଥିଲେ । ପ୍ରଥମଟି ହେଲା ସ୍ଥାନୀୟ ରାଜାମାନଙ୍କ ମଧ୍ୟରେ ମହାଭାରତୀୟ ଚେତନାର ଅଭାବ ଏବଂ ପରସ୍ପର ମଧ୍ୟରେ ବିଦ୍ବେଶ । ଦ୍ବିତୀୟ ଗୁରୁତ୍ବପୂର୍ଣ କଥା ହେଲା ଯେ, ପରଂପରାଗତ ଭାବେ ହତିଆର ଧରିବାରୁ ସମାଜର ଗୋଟିଏ ବଡ ବର୍ଗକୁ ବଂଚିତ କରିବା । କେବଳ କ୍ଷତ୍ରୀୟ ଅସ୍ତ୍ର ଧାରଣ କରିବ । କେବଳ କ୍ଷତ୍ରିୟ ଦେଶର ସୁରକ୍ଷା କରିବ… ‘ମାର୍ସାଲ’ ଓ ‘ନନ୍ ମାର୍ସାଲ’ ଏଭଳି ଦୁଇଟି ଭାଗରେ ସମାଜ ବିଭକ୍ତ ହୋଇପଡିବା ହିଁ ପରାଜୟର ମୁଖ୍ୟ କାରଣ । ଦେଶର ସ୍ବାଭିମାନ, ଅସ୍ମିତା ଓ ସୁରକ୍ଷା ପ୍ରସଂଗରେ ସମସ୍ତଙ୍କର ସମାନ କର୍ତ୍ତବ୍ୟ ରହିବା ଉଚିତ୍ ବୋଲି ବୋଧେ ବାଜପେୟୀ ତାଙ୍କର ଏହି ଭାଷଣରେ ବୁଝେଇବାକୁ ଚେଷ୍ଟା କରିଛନ୍ତି ।
ଏ ପରିପ୍ରେକ୍ଷୀରେ ସେ ପଲାସି ଯୁଦ୍ଧର ମଧ୍ୟ ଅବତାରଣା କରିଥିଲେ । ପଲାସି ଯୁଦ୍ଧ ଦେଶର ସୁରକ୍ଷା ନେଇ ଥିଲା ଘଡିସଂଧି ମୁହୂର୍ତ୍ତ । ବିଦେଶୀ ଶକ୍ତି କବଳରେ ବଂଧାପଡିବାକୁ ଯାଉଥିଲା ଦେଶର ଭାଗ୍ୟ ଓ ଭବିଷ୍ୟତ । କିନ୍ତୁ ପାରଂପରିକ ଭାବେ ଅସ୍ତ୍ର ଧରିବା କ୍ଷେତ୍ରରେ ଯେଉଁ ବିଭାଜିକରଣ ରହିଥିଲା ସମାଜରେ, ସେଥିପାଇଁ ଯୁଦ୍ଧ ମଇଦାନରେ ଯେତିକି ଜଣ ଯୁଦ୍ଧ କରୁଥିଲେ ତାଠାରୁ କାହିଁ କେତେଗୁଣରେ ଅଧିକା ଲୋକ ମଇଦାନ ବାହାରେ ଯୁଦ୍ଧର ଆନନ୍ଦ କେବଳ ନେଉଥିଲେ ବୋଲି କ୍ଷୋଭର ସହ ନିଜ ଭାଷଣ ରଖିଥିଲେ ବାଜପେୟୀ ।
ତାଙ୍କ ଭାଷଣରେ ସ୍ଥାନ ପାଇଥିବା ଇତିହାସର ଏ ଦୁଟିଯାକ ଉଦାହରଣ କାର୍ଗିଲ ଯୁଦ୍ଧ ପରିପ୍ରେକ୍ଷୀରେ ଅଭିପ୍ରେତ ଥିଲା ଓ ଆହ୍ବାନଥିଲା ସମସ୍ତଙ୍କ ଅବଦାନ ପାଇଁ । ଜାତିପ୍ରେମ ପାଇଁ । ଜାତିର ଏହି ମହାନାୟକ ଆଜି ଚିରନିଦ୍ରାରେ । ତାଙ୍କ ଅମର ଆତ୍ମା ଶାନ୍ତି ଲଭିବ ସେତେବେଳେ ଯେତେବେଳେ ଦେଶବାସୀଙ୍କ ମଧ୍ୟରେ ଦେଶପ୍ରେମର ବହ୍ନି ଜଳିବ, ସ୍ବାଭିମାନୀ ଚେତନା ସଂଚରିତ ହେବ । …