ଟିକା ଅଭାବ ! ଏହି ରାଜ୍ୟରେ ଘୁଞ୍ଚିଲା ତୃତୀୟ ପର୍ଯ୍ୟାୟ ଟିକାକରଣ, ସ୍ଵାସ୍ଥ୍ୟ ମନ୍ତ୍ରୀ କହିଲେ ଟିକେ ଧୈର୍ଯ୍ୟ ଧରନ୍ତୁ

Published By : Prameya-News7 Bureau | April 28, 2021 IST

ଜୟପୁର/ମୁମ୍ବାଇ ୨୮।୦୪: କରୋନା ବିପକ୍ଷ ଲଢେଇରେ ମେ ୧ରୁ ସମଗ୍ର ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ  ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ୧୮ ବର୍ଷରୁ ୪୪ ବର୍ଷ ମଧ୍ୟରେ ଲୋକଙ୍କ ଟିକାକରଣ ହେବ। କିନ୍ତୁ ରାଜସ୍ଥାନ ଓ ମହାରାଷ୍ଟ୍ରରେ ମେ ୧ରୁ ଟିକାକରଣ  ହୋଇ ପାରିବ ନାହିଁ। ରାଜ୍ୟ ସରକାରଙ୍କ ମତରେ ସେମାନଙ୍କ ରାଜ୍ୟରେ ମେ ୧୫ରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ। ଟିକା ଅଭାବ କାରଣରୁ ଦୁଇ ରାଜ୍ୟ ସରକାର ଏମିତି ନିଷ୍ପତ୍ତି ନେଇଛନ୍ତି।

ଭ୍ୟାକ୍ସିନ ଯୋଗାଣରେ ବିଳମ୍ବ କାରଣରୁ ରାଜସ୍ଥାନ ସରକାରଙ୍କୁ ଏମିତି ନିଷ୍ପତ୍ତି ନେବାକୁ ପଡିଛି। ରାଜସ୍ଥାନ ସରକାର ସିରମ ଇନଷ୍ଟିଚ୍ୟୁଟ୍‌କୁ ସାଢେ ତିନି କୋଟି ଭ୍ୟାକ୍ସିନ ଡୋଜ୍‌ ଅର୍ଡର ଦେଇଛନ୍ତି। ମାତ୍ର ଏହା କେବେ ମିଳିବ ତାହା ସ୍ପଷ୍ଟ ହୋଇ ନାହିଁ। ରାଜ୍ୟ ସରକାର ଅଭିଯୋଗ କରିଛନ୍ତି, କେନ୍ଦ୍ର ପକ୍ଷରୁ ଟିକାକରଣ ଯୋଗାଣ ହୋଇ ପାରିନାହିଁ। ତେଣୁ ମେ ୧ରୁ ରାଜ୍ୟରେ ୧୮ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କଙ୍କ ଟିକାକରଣ ହୋଇ ପାରିବ ନାହିଁ।

ମହାରାଷ୍ଟ୍ର ସରକାର ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ମେ ୧ରୁ ଟିକାକରଣର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇ ପାରିବ ନାହିଁ। ରାଜ୍ୟ ସ୍ଵାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି, ଯୁବକଙ୍କୁ ବିନତି ଯେ ସେମାନେ ଆଉ କିଛି ସମୟ ଧୈର୍ଯ୍ୟ ଧରନ୍ତୁ। ଭାରତ ବାୟୋଟେକ୍ ପ୍ରତି ମାସରେ ୧୦ ଲକ୍ଷ ଭ୍ୟାକ୍ସିନ ଦେବାକୁ ପ୍ରତିଶ୍ରୁତି ଦେଇଛି। ପରେ ଏହି ସଂଖ୍ୟାକୁ ୨୦ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ସିରମ ପ୍ରତି ମାସରେ ଏକ କୋଟି ଡୋଜ୍ ଦେବାକୁ କହିଥିବା ସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.