କରୋନା ଭ୍ୟାକ୍ସିନରେ ଟ୍ରମ୍ପ୍ କଣ୍ଟା, ଆମେରିକା ରାଷ୍ଟ୍ରପତିଙ୍କ ଭୁଲ୍ ନୀତି ପାଇଁ ଟୀକା ଗବେଷଣା ବାଟ ହୁଡୁଛି

Published By : Prameya-News7 Bureau | May 14, 2020 IST

ଓ୍ବାଶିଂଟନ୍ ୧୪।୫: ନିକଟରେ ଆମେରିକା ସରକାର କରୋନା ଭାଇରସ୍ ଟୀକା ଆବିଷ୍କାର ପାଇଁ ବିଶ୍ବ ମିଳିତ ମଞ୍ଚର ଅଂଶ ନହେବାକୁ ନିଷ୍ପତ୍ତି ନେଇଥିଲେ । କରୋନା ଭାଇରସ୍ ଆବିଷ୍କାର ପାଇଁ ଆମେରିକା ଏକାକୀ ଉଦ୍ୟମ ଜାରି ରଖିଛି । Theguardian.com ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ସରକାରଙ୍କ 'ଆମେରିକା ଫାଷ୍ଟ' ନୀତି ଯୋଗୁଁ ବିଶ୍ବ ସ୍ତରରେ ଟୀକା ଅନୁସନ୍ଧାନରେ ବିଳମ୍ବ ହେଉଛି ।

ବ୍ରିଟେନ, ଚୀନ୍, କାନାଡା, ତୁର୍କୀ, ସାଉଦି ଆରବ, ଜାପାନ ସମେତ ଅନେକ ଦେଶ ଗତ ସପ୍ତାହରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ, ଗେଟ୍ସ ଫାଉଣ୍ଡେସନ ଏବଂ ୟୁରୋପୀୟ କମିଶନଙ୍କ ସହ ମିଶି ଟୀକା ଉପର କାମ କରିବାକୁ ଭର୍ଚୁଆଲ ଗ୍ଲୋବାଲ ଶିଖର ସମ୍ମିଳନୀ ଆୟୋଜନ କରିଥିଲେ । କିନ୍ତୁ ଆମେରିକା ପକ୍ଷରୁ ଏଥିରେ କେହି ଅଂଶଗ୍ରହଣ କରିନଥିଲେ । ଏହି ଶିଖର ସମ୍ମିଳନୀରେ ଟୀକା ଆବିଷ୍କାର ପାଇଁ ୮ ବିଲିୟନ ଡଲାର ପାଣ୍ଠି ସଂଗ୍ରହ କରାଯାଇଥିଲା ।

ଟ୍ରମ୍ପ୍ ଗତ ସପ୍ତାହରେ ଏହା କହିଥିଲେ ଯେ, ଟୀକା ବିନା କରୋନା ମହାମାରୀ ଦୂର ହୋଇଯିବ । ଟ୍ରମ୍ପ୍ କହିଥିଲେ ଆଶା କରୁଛି କିଛି ସମୟ ପରେ ଏହା (କରୋନା) ଲୋପ ହୋଅଯିବ । ଆମକୁ ଆଉ ଏହାର ସାମ୍ନା କରିବାକୁ ପଡିବ ନାହିଁ ।

କରୋନାଙ୍କୁ ହରାଇବା ପାଇଁ ଟୀକା ଆବଶ୍ୟକ ନାହିଁ ବୋଲି ଟ୍ରମ୍ପଙ୍କ ବିବୃତ୍ତି ପରେ ଆମେରିକାର ଅଧିକାରୀମାନଙ୍କୁ ଚେତାବନୀ ଦେବାକୁ ପଡିଲା ଯେ ଦେଶରେ ଅତ୍ୟାଧୁନିକ ଲ୍ୟାବ ଥାଇ ମଧ୍ୟ ଆମେରିକୀୟ ଲୋକଙ୍କ ପାଇଁ ଟୀକା ପ୍ରସ୍ତୁତ କରିବା କାର୍ଯ୍ୟ ମନ୍ଥର ହୋଇପାରେ ।

ବୈଜ୍ଞାନିକମାନେ ବିଶ୍ବାସ କରନ୍ତି ଯେ, ରେକର୍ଡ ସମୟରେ କରୋନାର ଅନେକ ଟୀକା ବିଶ୍ବରେ ପ୍ରସ୍ତୁତ କରାଯାଇପାରିବ । ଏଥିରେ ଆମେରିକୀୟ ବିଶେଷଜ୍ଞମାନଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାର କ୍ଷମତା ରହିଛି । କିନ୍ତୁ ଆମେରିକା ସରକାରଙ୍କ ବିଶ୍ବ ମିଳିତ ମଞ୍ଚରେ ଭାଗ ନନେବାରୁ ଟୀକା ଆବିଷ୍କାର ମନ୍ଥର ହୋଇପାରେ ।

ଆମେରିକା ନିଜେ ଟୀକା ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛି ଏବଂ ଆମେରିକୀୟ କମ୍ପାନୀଗୁଡିକ ମଧ୍ୟ ଟୀକା ପ୍ରସ୍ତୁତ କରିବାକୁ ପ୍ରସ୍ତୁତ ହେଉଛନ୍ତି । କିନ୍ତୁ Theguardian.com ରିପୋର୍ଟ ଦାବି କରିଛି ଯେ, ଟ୍ରମ୍ପ ବର୍ଷ ବର୍ଷ ଧରି ଟୀକାକରଣ ବିଷୟରେ ମିଛ କହୁଛନ୍ତି । ଯେତେବେଳେ ବିଶ୍ବ ମିଳିତ ମଞ୍ଚ ଏକଜୁଟ ହେଉଛି ଟ୍ରମ୍ପ ତାଙ୍କ ଜ୍ବାଇଁ ଜରେଦ କ୍ରୁଶନର ଏବଂ ଅନ୍ୟମାନଙ୍କ ନେତୃତ୍ବରେ ଏହି ଟୀକା ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛନ୍ତି। ଆମେରିକା ସରକାର ଏହାର ନାମ 'ଅପରେସନ୍ ୱାର୍ପ ସ୍ପିଡ୍' ରଖିଛନ୍ତି।

ସେଣ୍ଟର ଫର ଷ୍ଟ୍ରାଟେଜିକ୍ ଏବଂ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍ ଠାରେ ଗ୍ଲୋବାଲ୍ ହେଲଥ୍ ପ୍ରୋଗ୍ରାମ୍ ପରିଚାଳନା କରୁଥିବା ଷ୍ଟିଫନ୍ ମୋରିସନ୍ କହିଛନ୍ତି ଯେ, ଆମେରିକା ସଙ୍କେତ ଦେଇଛି ଯେ ସେ ଜୁନ୍ ୪ ରେ ଟୀକା ଉପରେ ହେବାକୁ ଥିବା ବିଶ୍ବ ସ୍ତରୀୟ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବ ନାହିଁ । ଏଥିରୁ ଜଣାପଡୁଛି ଯେ 'ଆମେରିକା ଫାଷ୍ଟ'ର ଆଭିମୁଖ୍ୟ ସ୍ଥିର ହୋଇଛି । ଏହା ଆନ୍ତର୍ଜାତୀୟ ସ୍ତରରେ ଚାଲିଥିବା ପ୍ରୟାସକୁ କ୍ଷତି ପହଞ୍ଚାଇବ । ମୋରିସନ୍ ଏହାକୁ ଏକ ବିପଦ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.