ପିଲାଙ୍କ ଟିକାକରଣ ପାଇଁ ଜାଗି ଉଠିଲା ଆଶା, ଦିଲ୍ଲୀ ଏମ୍ସରେ କାଲିଠୁ କୋଭାକ୍ସିନର ପରୀକ୍ଷଣ ଆରମ୍ଭ

Published By : Prameya-News7 Bureau | June 06, 2021 IST

ନୂଆଦିଲ୍ଲୀ ୦୬।୦୬: ଶିଶୁଙ୍କୁ ଖୁବ୍ ଶୀଘ୍ର କରୋନା ଭ୍ୟାକ୍ସିନ ମିଳିବା କିମ୍ବା ଏହି ବର୍ଗର ପିଲାଙ୍କ ଟିକାକରଣ ନେଇ ଆଶା  ଜାଗି ଉଠିଛି। ଏହି ଦିଗରେ ଦେଶ ଗୋଟିଏ ପାଦ ଆଗକୁ ବଢିଛି। ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ସଂସ୍ଥା(ଏମ୍ସ) ସୋମବାର ଶିଶୁଙ୍କ ଉପରେ କୋଭିଡ୍-୧୯ ଭ୍ୟାକ୍ସିନ କୋଭାକ୍ସିନର ପରୀକ୍ଷଣ ଆରମ୍ଭ କରିବାକୁ ଯାଉଛି।

ଭାରତ ବାୟୋଟେକକୁ ଔଷଧ ନିୟାମକ ଡିସିଜିଆଇ ପକ୍ଷରୁ ମେ ୧୧ରେ ଶିଶୁଙ୍କ ଉପରେ କ୍ଲିନିକଲ ଟ୍ରାଏଲକୁ ମଞ୍ଜୁରୀ ମିଳିଥିଲା। ଏହା ପରେ ଗତ ସପ୍ତାହରେ ଏମ୍ସ ପାଟନାରେ ୨ ରୁ ୧୮ ବର୍ଷ ବୟସର ପିଲାଙ୍କଠାରେ କୋଭାକ୍ସିନର ପରୀକ୍ଷଣ ଆରମ୍ଭ କରାଯାଇଥିଲା।

ଗତ ସପ୍ତାହରେ ଏମ୍ସ ପାଟନାର ନିର୍ଦ୍ଦେଶକ ଡ. ପ୍ରଭାତ କୁମାର ସିଂହ କହିଥିଲେ ଯେ, ଏମ୍ସ ପାଟନା ୧୨ ରୁ ୧୮ ବର୍ଷ ବୟସର ପିଲାଙ୍କଠାରେ ପରୀକ୍ଷଣ ଆରମ୍ଭ କରିଛି। ଏହା ପରେ ୬ ରୁ ୧୨ ବର୍ଷ ବୟସର ପିଲାଙ୍କୁ ନେଇ ପରୀକ୍ଷଣ ଆରମ୍ଭ କରାଯିବ। ପରବର୍ତ୍ତୀ ସମୟରେ ୨ ରୁ ୬ ବର୍ଷର ପିଲାଙ୍କୁ ଏଥିରେ ସାମିଲ କରାଯିବ।

ନିକଟରେ ନୀତି ଆୟୋଗର ସଦସ୍ୟ ଭିକେ ପଲ କହିଥିଲେ, ଦୁଇରୁ ୧୮ ବର୍ଷ ବର୍ଗ ପାଇଁ କ୍ଲିନିକଲ ଟ୍ରାଏଲ ପାଇଁ କୋଭାକ୍ସିନକୁ ଡିଜିସିଆଇ ମଞ୍ଜୁରୀ ଦେଇଛି। ଭାରତ ବାୟୋଟକେର କୋଭାକ୍ସିନ ପରୀକ୍ଷଣ ୫୨୫ ସ୍ଵେଚ୍ଛାସେବୀଙ୍କ ଉପରେ ହେବ। ସେମାନଙ୍କୁ ନେଇ ଦେଶର ଭିନ୍ନ ଭିନ୍ନ ହସ୍ପିଟାଲରେ ପରୀକ୍ଷଣ କରାଯିବ। ପରୀକ୍ଷଣରେ ବିଭିନ୍ନ ଦିଗ ପ୍ରତି ଅଧ୍ୟୟନ କରାଯିବ। ଏଥିରୁ ସ୍ପଷ୍ଟ ହେବ ଯେ, ଏହା ଛୋଟ ଛୋଟ ପିଲାଙ୍କ ପାଇଁ କେତେ ସୁରକ୍ଷିତ ଏବଂ ଏହାର ପାର୍ଶ୍ଵ ପ୍ରତିକ୍ରିୟା ରହୁଛି କି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.