ଟିକା ଆସିନି କେବଳ ଶୁଣାଇ ଦେଲେ, ଆଉ ଆରମ୍ଭ ହୋଇଗଲା ବିବାଦ : ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ ପରେ ବିରୋଧି କହିଲେ ଭୋଟ୍ ପାଇଁ ଫାର୍ସ୍

Published By : Prameya-News7 Bureau | October 24, 2020 IST

ନୁଆଦିଲ୍ଲୀ, ୨୪୧୦ଟିକା ଆସିନି କିନ୍ତୁ ତାକୁ ନେଇ ଆରମ୍ଭ ହୋଇଗଲାଣି ବିବାଦ ।ଡାଟାବେସ୍ ପ୍ରସ୍ତୁତ କରିବାକୁ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ ପରେ କେଉଁମାନଙ୍କୁ ପ୍ରଥମେ ଟିକା ଦିଆଯିବ ତାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିବା ବେଳେ ବିରୋଧୀ ଏହାକୁ ନିର୍ବାଚନୀ  ଷ୍ଟଣ୍ଟ୍‌ ବୋଲି ଆକ୍ଷେପ କରିଛନ୍ତି । ସେପଟେ ଭୋଟ୍‌ ବଦଳରେ ଟିକା ପ୍ରସଙ୍ଗକୁ ନେଇ ବିଜେପିକୁ ଟାର୍ଗେଟ୍‌ କରିଛି ଶିବସେନା ।

କରୋନା ଟିକା ଡାଟାବେସ ପ୍ରସ୍ତୁତି ପ୍ରସଙ୍ଗକୁ ନେଇ ଦ୍ବନ୍ଦ୍ବ । ପ୍ରଥମେ କାହାକୁ ଦିଆଯିବ ଟିକା ? କେଉଁମାନଙ୍କୁ ନେଇ ତାଲିକା ପ୍ରସ୍ତୁତ କରାଯିବ ?  ପ୍ରଥମେ ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ ବୋଲି କେନ୍ଦ୍ର ସରକାର କହିଥିଲେ ମଧ୍ୟ ଏହି ଡେଟାବେସ୍‌ରେ ସବୁ ଡାକ୍ତରଙ୍କ ନାଁ ଯୋଡ଼ାଯିବ ନା’ କେବଳ କୋଭିଡ୍‌ ମୁକାବିଲା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଡାକ୍ତରଙ୍କ ନାଁ ରହିବ ତାକୁ ନେଇ ପ୍ରଶ୍ନ ଉଠାଇଛି ଆଇଏମଏ ଭୁବନେଶ୍ବର ଶାଖା । କାରଣ ଏ ବାବଦରେ କେନ୍ଦ୍ରରୁ ରାଜ୍ୟ ସରକାରଙ୍କ ପାଖକୁ ଆସିଥିବା ଚିଠିରେ ନିର୍ଦ୍ଧିଷ୍ଟ  ଭାବେ କିଛି ଲେଖାଯାଇ ନାହିଁ । ତେଣୁ ଦ୍ବନ୍ଦ୍ବ ଦୂର ପାଇଁ ଏକଜିକ୍ୟୁଟିଭ୍‌ ବଡି ମିଟିଂ ଡାକିଛି ଆଇଏମଏ । ସେପଟେ  କେନ୍ଦ୍ର ସରକାରଙ୍କ ନିର୍ଦେଶ ଅନୁସାରେ ଡାଟା ବେଶ ପ୍ରସ୍ତୁତ କରିବାକୁ ନିର୍ଦେଶ ଦିଆଯାଇଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ।

ଟିକା ବାହାରିନି କିନ୍ତୁ ଟିକା ପାଇଁ କେନ୍ଦ୍ର ସରକାର ଡାଟାବେସ ପ୍ରସ୍ତୁତ କରିବା ପାଇଁ ଦେଇଥିବା ନିର୍ଦେଶକୁ ନେଇ ଜୋର ଧରିଛି ରାଜନୀତି। କେନ୍ଦ୍ର ସରକାରଙ୍କୁ କଟୁ ସମାଲୋଚନା କରିଛି କଂଗ୍ରେସ। କହିଛି ଏହା କେବଳ ନିର୍ବାଚନ ପାଇଁ ବିଜେପିର ଷ୍ଟଣ୍ଟ । ବର୍ତମାନ ଟିକା ବାହାରିନି। କେଉଁ ଟିକା ଦିଆଯିବ,କେତେ ଟିକା ଆସିବ କିଛି ଜଣାପଡିନି । ପ୍ରଥମେ କରୋନା ଯୋଦ୍ଧାଙ୍କୁ ଦିଆଯିବ ବୋଲି କହୁଯାଉଛି। ପୋଲିସ କଣ କରୋନା ଯୋଦ୍ଧା ନୁହନ୍ତି ବୋଲି କଂଗ୍ରେସ ପଶ୍ନ କରିଛି। ଏପଟେ ବିଜେପି କହିଛି। ଏଥିରେ କୌଣସି ତ୍ରୁଟି ନାହିଁ । କାରଣ ଟିକା ବାହାରିବା ପୂର୍ବରୁ ଡାଟାବେସ୍‌ ପ୍ରସ୍ତୁତ ହୋଇଥିଲେ  ଟିକା ଆସିବା ପରେ ପୂରା ପ୍ରକ୍ରିୟାରେ ଏହା ସହାୟକ ହେବ ।

ଜାତୀୟ ସ୍ତରରେ ମଧ୍ୟ ଟିକାକୁ ନେଇ ଜୋର ଧରିଛି ବୟାନବାଜି। ଟିକା ବଦଳରେ ଭୋଟ୍‌ ପ୍ରସଙ୍ଗକୁ ନେଇ  ବିଜେପିକୁ ଟାର୍ଗେଟ କରିଛି ଶିବସେନା । ବିହାରରେ ବିଜେପି ନେତା କହୁଛନ୍ତି ତୁମେ ଆମକୁ ଭୋଟ ଦିଅ ଆମେ ତୁମକୁ ଭାକ୍ସିନ ଦେବୁ। ଆଗରୁ ରକ୍ତ ଦିଅ ଆମେ ତୁମକୁ ସ୍ବାଧୀନତା ଦେବୁ ବୋଲି ନାରା ଥିଲା। ଏବେ ଏହି ନାରା  ବଦଳିଯାଇଛି। ବିଜେପି ଶାସିତ ରାଜ୍ୟ ମାନଙ୍କୁ ଛାଡିଦେଲେ ବାକି ରାଜ୍ୟମାନେ କରୋନା ଟିକା ପାଇବେ କି ନାହିଁ  ତାହା  ବି​‌ଜେପି ସ୍ପଷ୍ଟ କରୁ ବୋଲି ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ କହିଛନ୍ତି।

କରୋନା ଟିକା ବାହାରନି  ଏବଂ ତିନୋଟି ଦେଶରେ ପରୀକ୍ଷଣ ହେବାକୁ ଅଛି। କିନ୍ତୁ ରାଜନୈତିକ ଦଳ ମାନେ କରୋନା ଟିକାକୁ ନେଇ ନିଜ ରାଜନୈତିକ ରୁଟି ସେକିବାରେ ବ୍ୟସ୍ତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.