ଭ୍ୟାକ୍‌ସିନ ନେଇ ଅସୁସ୍ଥ ହେଲେ କ୍ଷତି ଭରଣା କରିବ କମ୍ପାନୀ !

Published By : Prameya-News7 Bureau | January 14, 2021 IST

ନୂଆଦିଲ୍ଲୀ ୧୪/୦୧: ଦେଶବ୍ୟାପୀ କରୋନା ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୧୬ରେ କରିବେ। କିନ୍ତୁ ଟିକାକରଣ ଆରମ୍ଭ ହେବା ପୂର୍ବରୁ କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି। ଗୁରୁବାର ଦିନ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ, କରୋନା ଭାଇରସ୍‌ ଭ୍ୟାକସିନ୍‌ କୋଭିସିଲ୍ଡ ଓ କୋଭାକ୍ସିନର ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି। ଯଦି ଏହି ଭ୍ୟାକ୍‌ସିନ୍‌ ନେବା ପରେ କୌଣସି ବ୍ୟକ୍ତିଙ୍କ ଶରୀରରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା କିମ୍ବା ଅନ୍ୟ କ୍ଷତି ଘଟେ ତେବେ ସରକାର ଏଥିପାଇଁ ଦାୟୀ ରହିବେ ନାହିଁ।

ତେବେ ଏହି କ୍ଷତିର ଭରଣା ଭ୍ୟାକ୍‌ସିନ୍‌ ନିର୍ମାତା ସିରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆ ଓ ଭାରତ ବାୟୋଟେକ କରିବେ ବୋଲି ସରକାର କହିଛନ୍ତି। ଏହା ସହ ଭ୍ୟାକ୍‌ସିନ୍‌ କ୍ରୟ ସମୟରେ କମ୍ପାନୀଗୁଡ଼ିକ ସହିତ ସିଡିଏସସିଓ/ଡ୍ରଗ୍ସ ଆଣ୍ଡ କସ୍‌ମେଟିକ୍‌ ଆକ୍ଟ/ ଡସିଜିଆଇ ପଲିସି/ ଆପ୍ରୋଭାଲ ଜରିଆରେ କୌଣସି ପ୍ରକାର ବିପରୀତ ପ୍ରଭାବ ପାଇଁ କମ୍ପାନୀ ଦାୟୀ ରହିବେ ବୋଲି ଦର୍ଶାଯାଇଥିବା ଜଣାପଡ଼ିଛି। ଭାରତ ବୟୋଟେକ୍‌ ସହ ହୋଇଥିବା ଡିଲ୍‌ ଅନୁସାରେ ଗମ୍ଭୀର ପ୍ରତିକୂଳ ମାମଲାରେ ସରକାରଙ୍କୁ ସୂଚନା ଦେବାକୁ ପଡ଼ିବ।

ସୂଚନାଯୋଗ୍ୟ, ଜାନୁଆରୀ ୧୬ (ଶନିବାର) ସକାଳ ୧୦.୩୦ରେ କରୋନା ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମ ପର୍ଯ୍ୟାୟରେ ୩ କୋଟି କରୋନା ଯୋଦ୍ଧାଙ୍କୁ କରୋନା ଟିକା ଦିଆଯିବ ବୋଲି ସରକାର ଘୋଷଣା କରିଥିଲେ। ପ୍ରଥମେ ପାଖାପାଖି ୩୦୦୦ କରୋନା ଟିକାକରଣ କେନ୍ଦ୍ରରେ ଟିକା ଦିଆଯିବାକୁ ଥିବା ବେଳେ ଏହାକୁ ବଢ଼ାଇ ୫୦୦୦ କେନ୍ଦ୍ର କରିବାକୁ ସରକାର ଯୋଜନା ରଖିଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.