ଭ୍ୟାକସିନ୍ ସତ୍ତ୍ୱେ ଥମିବନି COVID-19 ସଂକ୍ରମଣ: ରିପୋର୍ଟ
29/05/2020 at 3:59 PM

ନୂଆଦିଲ୍ଲୀ ୨୯।୫: କରୋନା ଭାଇରସ ମହାମାରୀର ଚିକିତ୍ସା ଓ ପ୍ରତିଷେଧକ ବିକଶିତ ହେଲେବି ଥମିବନି ସଂକ୍ରମଣ। ୱାସିଂଟନ ପୋଷ୍ଟରେ ଏ ନେଇ ଏକ ବିଶେଷଜ୍ଞଙ୍କ ତଥ୍ୟ ଆଧାରିତ ରିପୋର୍ଟ ପ୍ରକାଶିତ ହୋଇଥିବା ବେଳେ ପ୍ରତିବର୍ଷ ଭୂତାଣୁ ସଂକ୍ରମଣ ହେବ ଓ କ୍ରମେ ଏଚଆଇଭି, ମିଳମିଳା ଓ ହାଡଫୁଟି ଭଳି ଏକ ସାଧାରଣ ସଂକ୍ରାମକ ହୋଇ ରହିଯିବ ବୋଲି କୁହାଯାଇଛି।
ତେବେ ମହାମାରୀ ବିଶେଷଜ୍ଞଙ୍କ ଅନୁସାରେ ଆମେରିକାରେ ଦୀର୍ଘ ସମୟ ଧରି କୋଭିଡ-୧୯ର ଅବସ୍ଥାନ ଏଠାରେ ମହାମାରୀ ମୁକାବିଲାକୁ ଜଟିଳ କରିପାରେ ବୋଲି ବିଶେଷଜ୍ଞ ରିପୋର୍ଟରେ ଆଶଙ୍କା ପ୍ରକାଶ କରିଛନ୍ତି। ହେଲେ ତମାମ ଅନିଶ୍ଚିତତା ମଧ୍ୟରେ ଗୋଟିଏ କଥା କୁହାଯାଇପାରେ ନଭେଲ କରୋନା ଭାଇରସ ଏବେ ଠାରୁ ଆମସହ ରହିବା କିନ୍ତୁ ନିଶ୍ଚିତ । ଭିଶେଷଜ୍ଞଙ୍କ କହିବାର କଥା ହେଲା ସାଧାରଣ ଥଣ୍ଡା ଯୋଗୁ ଏପର୍ଯ୍ୟନ୍ତ ଆମ ସହ ୪ଟି କରୋନା ଭାଇରସ୍ ରହୁଛନ୍ତି। ଏବେ ନଭେଲ କରୋନା ଭାଇରସ ସମ୍ଭବତଃ ଏହି ପରିବାରର ୫ମ ସଦସ୍ୟ ହୋଇପାରେ।
ସେହିପରି ଆଉ ଗୋଟିଏ କଥା ହେଉଛି ବିଭିନ୍ନ ଦେଶରେ କରୋନା ସଂକ୍ରମଣ ହୋଇଛି, ହେଲେ ଏପରି ଅନେକ ଲୋକେ ଅଛନ୍ତି ଯେଉଁମାନେ ସଂକ୍ରମିତ ହୋଇ ନାହାନ୍ତି। ହେଲେ ଏପରିଲୋକେ ସର୍ବଦା ସଂକ୍ରମଣ ସନ୍ଦେହରେ ରହୁଛନ୍ତି। ଏଥିରେ ୟୁନିଭର୍ସିଟି ଅଫ ଚିକାଗୋର ଇପିଡେମିଓଲଜିଷ୍ଟ ଶାରହା କୋବେଙ୍କ ଅନୁସାରେ ଏହି ଭାଇରସ ଏବେ ଏଠାରେ ରହିବ। ତେବେ ଯଦି ଭୂତାଣୁ ଏପରି ସଂକ୍ରମିତ ହେବ ଆମେ କିପରି ବଞ୍ଚିବା ପ୍ରଶ୍ନର ଜବାବରେ ବିଶେଷଜ୍ଞ ଭିନ୍ନ ଭିନ୍ନ ଜବାବ ରଖିଛନ୍ତି। କିନ୍ତୁ ସବୁଠାରୁ ବଡ କଥା ହେଲା ଲୋକେ ମଧ୍ୟ ଏଥିଲାଗି ସଚେତନ ଓ ସତର୍କ ହୋଇଯିବେ । ଫଳରେ କୋଭିଡ-୧୯ ଆମ ପାଇଁ ଏକ ଋତୁକାଳୀନ ସଂକ୍ରମଣ ହୋଇ ରହିଯିବ ବୋଲି ପ୍ରାୟ ବିଶେଷଜ୍ଞ ଆକଳନ କରିଛନ୍ତି।