ବଦଳିଲା ଟିକାକରଣ ସମୟ, ଏବେ ଦିନର ଏହି ଟାଇମ୍ରେ ନେଇ ପାରିବେ ଟିକା
5/04/2021 at 7:01 PM

ଭୁବନେଶ୍ଵର ୦୫।୦୪: ରାଜ୍ୟରେ କରୋନା ସଂକ୍ରମଣ ସହିତ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଛି। କରୋନାର ଲେଉଟାଣିକୁ ନେଇ ଲୋକେ ଆଶଙ୍କିତ ମାହୋଲରେ ଥିବା ବେଳେ ଅନ୍ୟପଟେ ଚିନ୍ତା ବଢାଉଛି ଭୀଷଣ ଗରମ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଟିକାକରଣ ସମୟରେ ପରିବର୍ତ୍ତନ କରାଯାଇଛି। ଏବେ ସକାଳ ୮ଟାରୁ ୧୨ଟା ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ଯାଏଁ ଟିକାକରଣ ଜାରି ରହିବ। ଏ ନେଇ ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳଙ୍କୁ ସୋମବାର ଚିଠି ଲେଖିଛନ୍ତି।
ସୂଚନାଯୋଗ୍ୟ, ଦେଶରେ ବଢୁଥିବା କରୋନା ପ୍ରକୋପ ମଧ୍ୟରେ ଟିକାକରଣ ଅଭିଯାନକୁ ଜୋରଦାର କରାଯାଇଛି। ଓଡିଶାରେ ମଧ୍ୟ ଟିକାକରଣ ତ୍ଵରାନ୍ଵିତ କରାଯାଇ ଦୈନିକ ୨ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଉଛି। ହେଲେ ରାଜ୍ୟରେ ସଂପ୍ରତି ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ଦିନ ବେଳେ ଲୋକଙ୍କୁ ଘରକୁ ବାହାରିବା ମୁସ୍କିଲ ହୋଇ ପଡୁଛି। ଏହି ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଟିକାକରଣ ସମୟରେ ପରିବର୍ତ୍ତନ କରିଛନ୍ତି। ଏବେ ସକାଳ ୮ଟାରୁ ୧୨ଟା ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ଯାଏଁ ଟିକାକରଣ ଜାରି ରହିବ।
ଅନ୍ୟପଟେ ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଦୈନିକ ସଂକ୍ରମଣ ପାଞ୍ଚ ଶହ ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୭୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୩୨୬୮ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୩୭ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୨୩୬ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ମୋଟ୍ ୩୪୩୨୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୩୫୮ ଜଣ ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୩୭୯୩୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୯୧୫୯୯୨୯ ସାମ୍ପୁଲ ଟେଷ୍ଟ୍ ହୋଇଛି ।