ଆଜିଠୁ ପୁଣି ରାଜ୍ୟରେ ଟିକାକରଣ, ଶହେ ବଦଳରେ ୨ ଶହ ଜଣଙ୍କୁ ଦିଆଯିବ; ୭ରୁ ୧୦ ଦିନ ଭିତରେ ଟାର୍ଗେଟ ଛୁଇଁବାକୁ ଲକ୍ଷ୍ୟ

Published By : Prameya-News7 Bureau | January 18, 2021 IST

ଭୁବନେଶ୍ୱର ୧୮।୦୧: ଆଜିଠୁ ପୁଣି କରୋନା ଟିକାଦାନ କାର୍ଯ୍ୟକ୍ରମ ଚାଲୁ କରାଯିବ। ପ୍ରତ୍ୟେକ ସରକାରୀ ଓ ବେସରକାରୀ ମେଡିକାଲ କଲେଜ ସହିତ ଜିଲ୍ଲା ଓ ଉପଖଣ୍ଡ ଚିକିତ୍ସାଳୟରେ ଟିକା ପ୍ରଦାନ କରାଯିବ । ଏଥର ଶହେ ବଦଳରେ ଟୋଟିଏ ଗୋଟିଏ ଟିକାକରଣ କେନ୍ଦ୍ରରେ ୨ ଶହ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ ।

ପ୍ରଥମ ଦିନର ଟିକାକରଣ ସଫଳତା ପରେ ଏମିତି କିଛି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟର ସବୁ ଘରୋଇ ଓ ସରକାରୀ ମେଡିକାଲ କଲେଜରେ ୫ଟି ଟିକାକରଣ ସେଣ୍ଟର ହେବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟରେ ଦୁଇଟି ସେସନରେ ଟିକାକରଣ କରାଯିବ। ପ୍ରତି ଟିମରେ ୫ ଜଣ ବଦଳରେ ୬ ଜଣ ଭ୍ୟାକ୍ସିନ ଇନଚାର୍ଜ ରହିବେ। କିନ୍ତୁ ପିଏଚସି ଓ ସିଏଚସି ଟିକାକରଣ କେନ୍ଦ୍ରରେ ପୂର୍ବ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଟିକା କରଣ କରାଯିବ। ଟିକାକରଣ ପାଇଁ ସ୍ବାସ୍ଥ୍ୟକର୍ମୀ, କୋଭିଡ଼ ଯୋଦ୍ଧା ଓ ବରିଷ୍ଠ ନାଗରିକଙ୍କୁ ଚିହ୍ନଟ କରାଯାଇ ତାଙ୍କ ନିକଟକୁ ମେସେଜ ପଠାଯାଇଛି। ଏଥିପାଇଁ ସବୁ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ‘ମାଇକ୍ରୋ ପ୍ଲାନିଂ’ କରି ସରକାରଙ୍କୁ ଅବଗତ କରାଇବାକୁ କୁହାଯାଇଛି । ୭ରୁ ୧୦ ଦିନ ଭିତରେ ରାଜ୍ୟରେ ପ୍ରଥମ ପଯ୍ୟାୟ ଟିକା କରଣ ସାରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।

ଅନ୍ୟପଟେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଲାଗି ଡାଟାବେସ୍ ପ୍ରସ୍ତୁତି ଆରମ୍ଭ ହୋଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଥମେ ଗୃହ, ନଗର ଉନ୍ନୟନ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଭଳି ଜରୁରୀକାଳୀନ ବିଭାଗର କୋଭିଡ୍ ଯୋଦ୍ଧା ମାନଙ୍କ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ଶନିବାର ହୋଇଥିବା ସମୂହ ଟିକାକରଣ କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳା ଓ ସଫଳତାର ସହ ଶେଷ ହୋଇଛି। ପ୍ରଥମଦିନ ରାଜ୍ୟରେ ନେଇଥିବା ପ୍ରାୟ ୧୩ ହଜାର ୯୮୦ ସ୍ବାସ୍ଥ୍ୟକର୍ମୀଙ୍କଠାରେ ଟିକା ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.