୧୬କୁ ଅପେକ୍ଷା, ଆଜି ସବୁ ଜିଲ୍ଲାରେ ପହଞ୍ଚିଲା କରୋନା ଟିକା କୋଭିସିଲ୍ଡ, ନୋ ପଞ୍ଜୀକରଣ ନୋ ଟିକା…
13/01/2021 at 10:45 PM

ଭୁବନେଶ୍ଵର ୧୩।୦୧: ୧୬ରେ ଟିକାକରଣ ପାଇଁ ରାଜ୍ୟକୁ ଆସିଥିବା କରୋନା ଟିକା କୋଭିସିଲ୍ଡ ଆଜି ସବୁ ଜିଲ୍ଲା ମୁଖ୍ୟାଳୟକୁ ପଠାଯାଇଛି। ଜିଲ୍ଲାରୁ ଆସିଥିବା ସ୍ବତନ୍ତ୍ର ବାକ୍ସରେ ଏହି ଟିକା ଗୁଡ଼ିକ ପଠାଯାଇଛି। କୋଭାକ୍ସିନ ଟିକା କେବଳ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଦିଆଯିବ। କୋଭିସିଲଲ୍ଡ ଟିକା ଅନ୍ୟ ସବୁଠି ଦିଆଯିବ। ଏନେଇ ସରକାର ସୂଚନା ଦେଇଛନ୍ତି । ସକାଳ ୯ଟାରୁ ୫ଟା ଯାଏଁ ଟିକା ଦିଆଯିବ। ଟିକାନେବାକୁ ଥିବା ସ୍ବାସ୍ଥ୍ୟକର୍ମୀ ନିଜ ଫଟୋ ପରିଚୟ ପତ୍ର ଦେଖାଇବାକୁ ପଡ଼ିଛି।
ପ୍ରଥମ ପର୍ଯ୍ୟାୟରେ ରାଜ୍ୟକୁ ମଙ୍ଗଳବାର ଆସିଥିବା କୋଭିସିଲ୍ଡର ୪ ଲକ୍ଷ ୮ହଜାର ଡୋଜ ସବୁ ଜିଲ୍ଲାକୁ ପଠାଯାଇଛି । ଏ ହେଉଛି ଭୁବନେଶ୍ବରରୁ ସବୁ ଜିଲ୍ଲା ମୁଖ୍ୟାଳୟକୁ ଟିକା ପଠାଯାଉଥିବାର ଦୃଶ୍ୟ । କୋଲ୍ଡ ଚେନ ଭିତରେ କଡା ସୁରକ୍ଷା ବଳୟରେ ଟିକା ପଠାଯାଇଛି । ଟିକାକରଣ ପାଇଁ ରାଜ୍ୟରେ ୩ ଲକ୍ଷ ୩୮ହଜାର ୭୭୭ ଜଣ ସ୍ବାସ୍ଥ୍ୟକର୍ମୀ ଙ୍କୁ ତାଲିକା ଭୁକ୍ତ କରାଯାଇଛି । ସେଥିମଧ୍ୟରୁ ୧ଲକ୍ଷ ୯୨ ହଜାର ୫୫୫ ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକା ଦେବା ପାଇଁ ସ୍ଥିର ହୋଇଛି । ସେହିପରି ଆଜି ଭୁବନେଶ୍ବରରେ ପହଁଚିଥିବା କୋଭାକ୍ସିନରଟିକାର ୨୦ ହଜାର ଡୋଜ୍ ପହଁଚିଛି । ଭୁବନେଶ୍ବରରେ କେବଳ କୋଭାକ୍ସିନ୍ ଟିକା ଦିଆଯିବ ଓ ରାଜ୍ୟର ଅନ୍ୟ ସବୁ ଜିଲ୍ଲାରେ ଦିଆଯିବ କୋଭିସିଲ୍ଡ ଟିକା।
ଯେଉଁମାନଙ୍କର ପଞ୍ଜୀକରଣ ହୋଇଛି କେବଳ ସେହିମାନେ ହିଁ ଟିକା ନେବେ। ଟିକାକରଣ କେନ୍ଦ୍ରରେ ନିଜ ପରିଚୟ ପତ୍ର ଦେଖାଇ ସ୍ବାସ୍ଥ୍ୟକର୍ମୀ ଟିକା ନେବେ। ସକାଳ ୯ଟାରୁ ୫ଟା ଯାଏଁ ଟିକା ଦିଆଯିବ। ପ୍ରଥମ ଡୋଜ ଯେଉଁଠାରେ ନେଇଥିବେ ୨୮ ଦିନ ପରେ ଦିଆଯିବ ଦ୍ବିତୀୟ ଡୋଜ। ପ୍ରଥମ ଡୋଜ ନେବା ପରେ ଯଦି କେହି କରୋନା ପଜିଟିଭ ଆସନ୍ତି ତେବେ ୧୪ ଦିନ ଯାଞ୍ଚ ପରେ ଦ୍ବିତୀୟ ଡୋଜ ଦିଆଯିବ କି ନାହିଁ ସ୍ଥିର କରାଯିବ। ସେହିପରି ଯଦି କିଛି ପାର୍ଶ୍ବପ୍ରତିକ୍ରିୟା ଦେଖାଯାଏ ତେବେ ସେଠାରେ ବ୍ୟବସ୍ଥା ମଧ୍ୟ କରାଯାଇଛି।
କୋଭିଡ ଟିକା ଜିଲ୍ଲାରେ ପହଁଚିବା ପରେ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଯୋର ଧରିଛି । ଜିଲ୍ଲା ଷ୍ଟୋରରେ ଟିକା ରଖାଯାଇଛି ସେଠାରୁ ଟିକା କେନ୍ଦ୍ରକୁ ଶୀତଳ ଶୃଙ୍ଖଳରେ ଟିକା ନିଆଯିବ। ଏଥିପାଇଁ ଜିଲ୍ଲା ପ୍ରଶାସନ ତତ୍ତ୍ବାବଧାନରେ ଟିକାର ବ୍ୟବସ୍ଥା କରାଯାଇଛି।
ଟିକା ନେବା ନିଜର ଇଛାଧୀନ ହୋଇଥିଲେ ବି ଯେଉଁମାନେ ଟିକା ନେବାକୁ ଅମଙ୍ଗ ହେଉଛନ୍ତି ସେମାନଙ୍କୁ କାଉନସେଲିଂ କରାଯାଇ ଟିକା ନେବାର ଫାଇଦା ସଂପର୍କରେ ବୁଝାଯିବ ବୋଲି ସରକାର କହିଛନ୍ତି ।