ଭାରତରେ ଟିକାକରଣ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ଜୋରଦାର କସରତ କରୁଛନ୍ତି ୨୦ ମନ୍ତ୍ରାଳୟ ଓ ୨୩ ବିଭାଗ
3/01/2021 at 10:34 AM

ନୂଆଦିଲ୍ଲୀ, ୦୩/୦୧: ଦେଶରେ ଟିକାକରଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାରେ ପହଁଚିଛି । ଡ୍ରାଏ ରନ୍ ଚାଲିଛି । ଦୁଇଟି ଭାକସିନକୁ ମଞ୍ଜୁରୀ ମଧ୍ୟ ମିଳିସାରିଛି । ଲୋକଙ୍କ ପାଖରେ କିପରି ଭାକସିନ୍ ଠିକସେ ପହଁଚିବ ସେନେଇ ବନ୍ଦୋବସ୍ତ ଚାଲିଛି । ନକ୍ସଲ ପ୍ରଭାବିତ ଜିଲ୍ଲାରେ ମଧ୍ୟ ଟିକାକରଣ କିପରି ହେବ ସେନଇ ମଧ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ପ୍ରକ୍ରିୟାରେ ସ୍ୱାସ୍ଥ୍ୟ ବିଭାଗ ବ୍ୟତୀତ ୨୦ଟି ମନ୍ତ୍ରାଳୟ ଓ ୨୩ଟି ବିଭାଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ, କୋଭିଡ-୧୯ ପାଇଁ ନ୍ୟାଶନାଲ ଏକ୍ସପର୍ଟ ଗ୍ରୁପ ଅନ୍ ଭାକସିନ ଆଡମିନିଷ୍ଟ୍ରେସନ ମାର୍ଗଦର୍ଶିକା ଜାରି କରିଛି । ଏଥିରେ କୁହାଯାଇଛି ଯେ, ଅନେକ ବିଭାଗ ଓ ଟିକାକରଣ ଅଭିଯାନ ପାଇଁ କାମ କରୁଛନ୍ତି । କୋଅର୍ଡିନେସନ ମେକାନିଜିମରେ ରାଷ୍ଟ୍ରୀୟ, ରାଜ୍ୟ, ଜିଲ୍ଲା ଓ ବ୍ଲକ୍ ସ୍ତରରେ ଆରଏଲଡି ସ୍ଥିର କରାଯାଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି ଯେ, ବୁଥ୍ ସ୍ତରରେ ପ୍ରସ୍ତୁତି କରାଯିବ । ୭୧୯ ଜିଲ୍ଲାରେ ପ୍ରାୟ ୫୭୦୦୦ ଟିକାକର୍ମୀ ତାଲିମ ନେଇଛନ୍ତି । ଏବେସୁଦ୍ଧା ୯୬୦୦୦ ଟିକାକର୍ମୀଙ୍କୁ ତାଲିମ ଦିଆଯାଇ ସାରିଛି ।
ଜଣେ ଅଧିକାରୀଙ୍କ ଅନୁସାରେ, ଭାରତରେ ୮୨ ଲକ୍ଷ ବୁଥ୍ ରହିଛି । ସବୁଠି ଭାକସିନେସନ୍ କରିବା ସମ୍ଭବପର ନୁହେଁ । କାରଣ ସାମାଜିକ ଦୂରତାକୁ ନଜରରେ ରଖାଯାଉଛି । ଭାରତ ପାଖରେ ୨୮୯୦୦ରୁ ଅଧିକ କୋଲ୍ଡ ଚେନ୍ ପଏଣ୍ଟସ୍ ଓ ୮୫୦୦୦ରୁ ଅଧିକ ଉପକରଣ ଉପଲବ୍ଧ ଅଛି । ଏହି ନେଟଓ୍ୱର୍କକୁ ସ୍ୱାସ୍ଥ୍ୟ ବିଭାଗ ଲଗାତର ଭାବେ ବୃଦ୍ଧି କରୁଛି । ଏଥିପାଇଁ ଏବେ ପାଶୁପାଳନ ମନ୍ତ୍ରାଳୟକୁ ମଧ୍ୟ ସାମିଲ କରାଯାଇଛି ।
ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି ଯେ, କରୋନା ଭାକସିନକୁ ନେଇ ଡିଜିସିଆଇ ରବିବାର ସକାଳ ୧୧ଟାରେ ବଡ ଘୋଷଣା କରିପାରେ । ଦେଶରେ ଏବେ କୋଭାକ୍ସିନ୍ ଓ କୋଭିସିଲ୍ଡକୁ ଜରୁରୀକାଳିନ ବ୍ୟବହାର ପାଇଁ ସୁପାରିଶ କରାଯାଇଛି । ରବିବାର ଡିଜିସିଆଇ ପକ୍ଷରୁ ଏହାକୁ ମଞ୍ଜୁରୀ ପ୍ରଦାନ କରାଯିବ ବୋଲି ଆଶା କରାଯାଉଛି ।