Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଉତ୍ତରାଖଣ୍ଡରେ ବର୍ଷାତାଣ୍ଡବ, ବିଭିନ୍ନ ସ୍ଥାନରେ ୨୫ ମୃତ, ହଲଦ୍ୱାନୀରେ ଭାସିଗଲା ରେଳ ଧାରଣା

19/10/2021 at 7:53 PM

କାଠଗୋଦାମ  ୧୯।୧୦: ଉତ୍ତରାଖଣ୍ଡରେ ବିନାଶ ରଚିଛି ବର୍ଷା। ଭୀଷଣ ବର୍ଷା ଯୋଗୁ କୋଶି ନଦୀ ବ୍ୟାରେଜର ସମସ୍ତ ଫାଟକ ଖୋଲି ଦିଆଯାଇଛି। ଫଳରେ ନଦୀରେ ବନ୍ୟା ଆସିଥିବା ବେଳେ ହରିଦ୍ୱାର ଠାରେ ଗଙ୍ଗା ନଦୀ ବିପଦ ସଂକେତ ଉପରେ ବହୁଛି। ପାହାଡ଼ରେ ଲଗାଣ ବର୍ଷା ଯୋଗୁ ଋଷିକେଶରେ ଗଙ୍ଗା ମଧ୍ୟ ବିପଦ ସଂକେତ ପାଖାପାଖି ହୋଇଛି। ବର୍ଷା, ବନ୍ୟା ଓ ଭୂ-ସ୍ଖଳନ ଯୋଗୁ ସମଗ୍ର ଉତ୍ତରାଖଣ୍ଡର ଜଳ ପ୍ରଳୟ ସୃଷ୍ଟି କରିଛି। ବିଭିନ୍ନ ସ୍ଥାନରେ ଏପର୍ଯନ୍ତ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଏସ.ଏ.ମୁରୁଗେସନ ମଙ୍ଗଳବାର କହିଛନ୍ତି।

ସୂଚନା ଅନୁସାରେ ମଙ୍ଗଳବାର ସକାଳେ ନୈନିତାଲ ଜିଲ୍ଲା ଧାରୀ ତହସିଲ ଦୋଷାପାନୀ ଓ ତିଷାପାନୀରେ ବାଦଲ ଫାଟିବା ଯୋଗୁ ଭୀଷଣ କ୍ଷୟକ୍ଷତି ହୋଇଛି। ଶ୍ରମିକଙ୍କ ବସ୍ତି ଉପରେ ରେଟନିଂ ୱାଲ ଧସିପଡିବାରୁ ୭ ଜଣ କାନ୍ଥ ତଳେ ଦବି ଯାଇଥିବା ଆଶଙ୍କା କରାଯାଉଛି। କେବଳ କୁମାଉଁ କ୍ଷେତ୍ରରେ ଭୂ-ସ୍ଖଳନରେ ପୋତି ହୋଇ ଏ ପର୍ଯ୍ୟନ୍ତ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସୋମବାର ବିଭିନ୍ନ ସ୍ଥାନରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା। ଅଲମୋଡା ଭିକିଆସେନ୍‌ରେ ଏକ ଘର ଭୂ-ସ୍ଖଳନରେ ଧସି ଯାଇଛି।

ଭୀଷଣ ବର୍ଷା ଯୋଗୁ ନୈନିତାଲର କେତେକ ସ୍ଥାନରେ ପାଣି ଭରିଯାଇଥିବା ଜଣାପଡିଛି। କେଣ୍ଟ ରୋଡରେ ପାଣିର ପ୍ରଖର ସ୍ରୋତ ଯୋଗୁ ଦୋକାନରେ ଫଶି ରହିଥିବା ଲୋକଙ୍କୁ ସେନା ଜବାନମାନେ ଉଦ୍ଧାର କରିଛନ୍ତି। ଗୋଲାନଦୀର ଭୀଷଣ ଜଳ ସ୍ରୋତ କାଠଗୋଦାମରେ ରେଳ ଟ୍ରାକ୍‌ ଭସାଇ ନେଇଛି। କାଠଗୋଦାମ, ରୁଦ୍ରପୁର ଓ ହଲଦୱାନୀ ମଧ୍ୟରେ ରେଳ ଯୋଗାଯୋଗ ବ୍ୟହତ ହୋଇଛି।

ବର୍ଷା ଓ ଅଚାନକ ବନ୍ୟା ଯୋଗୁ ରାଜ୍ୟର ୫ ଜାତୀୟ ରାଜମାର୍ଗ, ୭ ରାଜ୍ୟ ରାଜମାର୍ଗ ସମେତ ଶହଶହ ଗ୍ରାମ୍ୟ ରାସ୍ତା ପ୍ରଭାବିତ ହୋଇଛି। ଯୋଗାଯୋଗ ସୁସଂହତ କରିବା ଲାଗି ତୁରନ୍ତ ରାସ୍ତାଗୁଡିକୁ ଖୋଲିବାକୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ନିର୍ଦ୍ଦେଶ ଦେଇଛନ୍ତି। ବଦ୍ରିନାଥ ଜାତୀୟ ରାଜମାର୍ଗର ଜୋଶୀମଠରୁ ବଦ୍ରିନାଥ ପର୍ଯ୍ୟନ୍ତ ରାସ୍ତାର ୪ଟି ସ୍ଥାନରେ ଭୂ-ସ୍ଖଳନ ହୋଇଛି। ସେହିପରି ହନୁମାନ ଚଟିରୁ ବଦ୍ରିନାଥ ପର୍ଯ୍ୟନ୍ତ ରାସ୍ତାର ୩ଟି ସ୍ଥାନରେ ଭୂ-ସ୍ଖଳନ ହୋଇଥିବା ସୂଚନା ଆସୁଛି। ଏଣୁ ତୀର୍ତଯାତ୍ରୀଙ୍କୁ ଅଟକାଇ ରଖା ଯାଇଛି।

ଭୂ-ମଧ୍ୟସାଗରରୁ ଆସୁଥିବା ପବନ ଯୋଗୁ ୱେଷ୍ଟର୍ଣ୍ଣ ଡିଷ୍ଟର୍ଭାନ୍ସ ସକ୍ରିୟ ହେବା ଯୋଗୁ ରାଜ୍ୟରେ ପାଗ ବିଗିଡି ଯାଇଥିବା ବରିଷ୍ଠ ପାଣିପାଗ ବିଜ୍ଞାନୀ ବିକ୍ରମ ସିଂହ କହିଛନ୍ତି। ତେବେ ରାଜ୍ୟରେ ଏବେ ୱେଷ୍ଟର୍ଣ୍ଣ ଡିଷ୍ଟର୍ଭାନ୍ସ ଦୁର୍ବଳ ହେଉଥିବା ବେଳେ ଦକ୍ଷିଣ ବାୟୁ ଚାପ ମଧ୍ୟ କମିଛି। ଏଣୁ ଆଗାମୀ ୨୪ ଘଣ୍ଟାରେ ବର୍ଷାର ସମ୍ଭାବନା ଖୁବ୍ କମ ବୋଲି ସେ କହିଛନ୍ତି। ରାଜ୍ୟରେ  ସୋମବାର ସକାଳୁ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ମୋଟ ୩୬.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ତେବେ ଚମ୍ପାବତରେ ସର୍ବାଧିକ ୧୧୫.୬ ମିଲିମିଟର ବର୍ଷା ହୋଇଥିବା ପାଣିପାଗ ବିଭାଗ ସୂଚନାରୁ ଜଣାପଡିଛି। ସାଧାରଣତଃ ବର୍ଷର ଏହି ସମୟରେ ରାଜ୍ୟରେ ସ୍ୱଳ୍ପ ବୃଷ୍ଟି ହୋଇଥାଏ। ତେବେ ଅକ୍ଟୋବର ମାସରେ ସବୁଠୁ ଅଧିକ ବର୍ଷା ରେକର୍ଡ ହୋଇଥିବା ବିକ୍ରମ ସିଂହ କହିଛନ୍ତି।

   Related Posts