ଇସ୍ତଫା ଦେଲେ ଉତ୍ତରାଖଣ୍ଡ ରାଜ୍ୟପାଳ, ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଲଢିବା ନେଇ ଚର୍ଚ୍ଚା

Published By : Prameya-News7 Bureau | September 08, 2021 IST

ନୂଆଦିଲ୍ଲୀ ୦୮।୦୯: ଆଗକୁ ଉତ୍ତରାଖଣ୍ଡରେ ନିର୍ବାଚନ ହେବାକୁ ଯାଉଛି । ତାପୂର୍ବରୁ ଆସିଛି ଏକ ବଡ଼ ଖବର । ଉତ୍ତରାଖଣ୍ଡର ରାଜ୍ୟପାଳ ବେବି ରାନୀ ମୋର୍ଯ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ବେବି ରାନୀ ମୋର୍ଯ୍ୟ ନିଜ ଇସ୍ତଫା ପତ୍ରକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପଠାଇଛନ୍ତି । ତେବେ ଇସ୍ତଫା ପରେ ବେବି ରାନୀ ଆଗାମୀ ଦିନରେ ରାଜନୀତିରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିପାରନ୍ତି । ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନରେ ନିର୍ବାଚନ ଲଢିପାରନ୍ତି ।

ଖବର ଅନୁଯାୟୀ, ବେବି ରାନୀ ମୋର୍ଯ୍ୟ ପୂର୍ବରୁ ଆଗ୍ରାର ମେୟର ଭାବେ କାର୍ଯ୍ୟ କରିସାରିଛନ୍ତି । ପରେ ତାଙ୍କୁ ଉତ୍ତରାଖଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ ରାଷ୍ଟ୍ରପତି । କିନ୍ତୁ ସେ ଦୀର୍ଘ ୩ ବର୍ଷ ଧରି କାମ କରିବା ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଉତ୍ତରପ୍ରଦେଶରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ।

ସେପଟେ ବିଜେପି ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ପାଇଁ ନିଜ ପ୍ରଭାରୀଙ୍କ ନାମ ଘୋଷଣା କରିଛି । କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉତ୍ତରପ୍ରଦେଶର ନିର୍ବାଚନ ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି । ଅନୁରାଗ ଠାକୁର, ସରୋଜ ପାଣ୍ଡେ ଓ ଅର୍ଜୁନ ମେଘଓ୍ୱାଲଙ୍କୁ ଉତ୍ତରପ୍ରଦେଶର ସହ ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ଉତ୍ତରଖଣ୍ଡ ପାଇଁ କେନ୍ଦ୍ରୀୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ନିର୍ବାଚନୀ ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ସହ-ପ୍ରଭାରୀ ଭାବେ ଲୋକସଭା ସାଂସଦ ଲୋକେଟ ଚାଟାର୍ଜୀ ଏବ ରାଷ୍ଟ୍ରୀୟ ପ୍ରବକ୍ତା ସରଦାର ଆର୍‌ପି ସିଂହଙ୍କୁ ନିଯୁକ୍ତ କରାଯାଇଛି ।

ଏହା ବ୍ୟତୀତ ପରିବେଶ ମନ୍ତ୍ରୀ ଭୁପ୍ରେନ୍ଦ୍ର ଯାଦବଙ୍କୁ ବିଜେପି ମଣିପୁରରେ ନିର୍ବାଚନ ଦାୟିତ୍ୱ ଦେଇଛି । ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ଶେଖାଓ୍ୱତ୍‌ଙ୍କ ପଞ୍ଜାବରେ ନିର୍ବାଚନୀ ଦାୟିତ୍ୱ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ଙ୍କୁ ଗୋଆର ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ କରିଛି ଦଳ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.