ସରକାରଙ୍କ ବଡ ନିଷ୍ପତ୍ତି, ଏବେ ପଦନ୍ନୋତିରେ ମିଳିବନି ସଂରକ୍ଷଣ
18/03/2020 at 4:32 PM

ଡେରାଡୁନ ୧୮।୦୩: ଉତ୍ତରାଖଣ୍ଡର ତ୍ରିବେନ୍ଦ୍ର ରାଓ୍ଵତ ସରକାର ନିଜର ଶାସନକାଳର ତିନି ବର୍ଷ ପୂର୍ତ୍ତି ଅବସରରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ସରକାରୀ ସେବାରେ ପଦନ୍ନୋତି ଉପରେ ରୋକ୍ ବ୍ୟବସ୍ଥାକୁ ସମାପ୍ତ କରିଛନ୍ତି। ପ୍ରାୟ ତିନି ସପ୍ତାହ ହେବ ସମଗ୍ର ରାଜ୍ୟରେ ଜେନେରାଲ-ଓବିସି କର୍ମଚାରୀ ଏହି ଦାବିକୁ ନେଇ ହଡତାଳ କରୁଥିଲେ ଯାହା କ୍ରମାଗତ ଉଗ୍ର ହୋଇ ଚାଲିଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବଡ ନିଷ୍ପତ୍ତିସ୍ଵରୂପ ପଦନ୍ନୋତିରେ ସଂରକ୍ଷଣ ବ୍ୟବସ୍ଥା ସମାପ୍ତ କରିଛନ୍ତି। ଏବେ ସାମାନ୍ୟ ଭାବେ କର୍ମଚାରୀଙ୍କୁ ପଦନ୍ନୋତି ମିଳିବ।
ହାଇକୋର୍ଟଙ୍କ ଆଦେଶକୁ ଓଲଟାଇଲେ ସୁପ୍ରିମକୋର୍ଟ
ଉଲ୍ଲେଖଯୋଗ୍ୟ, ନୈନିତାଲ ହାଇକୋର୍ଟ ଗତ ବର୍ଷ ଅଲଗା ଅଲଗା ଆବେଦନ ଉପରେ ଶୁଣାଣି କରି ପଦନ୍ନୋତିରେ ସଂରକ୍ଷଣ ନେଇ ତିନୋଟି ଆଦେଶ ଦେଇଥିଲେ। ୨୦୧୯ ଏପ୍ରିଲ ୧ରେ ଜାରି ଆଦେଶରେ ହାଇକୋର୍ଟ ନୂତନ ପଦନ୍ନୋତିରେ ସଂରକ୍ଷଣ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିଷ୍ପତ୍ତି ବିରୋଧରେ ପୁନର୍ବିଚାର ଯାଚିକା ଦାୟର ହୋଇଥିଲା। ଏହା ଉପରେ ଶୁଣାଣି କରି ଉଚ୍ଚ ନ୍ୟାୟାଳୟ ସରକାରଙ୍କୁ ପ୍ରଥମେ କର୍ମଚାରୀଙ୍କ ତଥ୍ୟ ସଂଗ୍ରହ କରିବାକୁ ଆଦେଶ ଦେଇଥିଲେ।

ଏହା ବ୍ୟତୀତ ତୃତୀୟ ଆଦେଶରେ ହାଇକୋର୍ଟ ସରକାରଙ୍କୁ ପଦନ୍ନୋତିରେ ସଂରକ୍ଷଣ ଦେବା ସହିତ ଖାଲି ପଡିଥିବା ପଦ ଉପରେ ପଦନ୍ନୋତିର ସଂରକ୍ଷଣ ଦେବାକୁ ଆଦେଶ ଦେଇଥିଲେ। ହାଇକୋର୍ଟଙ୍କ ଏହି ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ୨୦୨୦ ଫେବୃଆରୀ ୨ରେ ସୁପ୍ରିମକୋର୍ଟ ନୈନିତାଲ ହାଇକୋର୍ଟର ଦୁଇ ଆଦେଶକୁ ଖାରଜ କରି ଯାଚିକା ଉପରେ ମହତ୍ଵପୂର୍ଣ୍ଣ ଶୁଣାଣି କରି ସଂରକ୍ଷଣ ବ୍ୟବସ୍ଥା ବିରୋଧରେ ରାୟ ଦେଇଥିଲେ।
ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ଲାଗୁ କରିବା ଦାବି ନେଇ ଉତ୍ତରାଖଣ୍ଡର କର୍ମଚାରୀ ମାର୍ଚ୍ଚ ୨ରୁ ହଡତାଳ ଜାରି ରଖିଛନ୍ତି। ରାଜ୍ୟରେ କରୋନାକୁ ମହାମାରୀ ଘୋଷଣା ପରେ ମଧ୍ୟ କର୍ମଚାରୀ କ୍ରମାଗତ ଧାରଣା ପ୍ରଦର୍ଶନ ଜାରି ରଖିଥିଲେ। କର୍ମଚାରୀ ମାସ୍କ ଲଗାଇ ଓ ସାନିଟାଇଜର ଧରି ଧାରଣାରେ ବସି ରହୁଥିଲେ। ରାଜ୍ୟ ସରକାରଙ୍କ ଗୋଟିଏ ସ୍ଥାନରେ ୫୦ରୁ ଅଧିକ ଲୋକ ଏକତ୍ର ନହେବା ଆଦେଶ ମଧ୍ୟ କାର୍ଯ୍ୟକାରୀ ହୋଇ ପାରୁନଥିଲା।