ଉତ୍ତରାଖଣ୍ଡ ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟ କରୋନା ପଜିଟିଭ, ଏମ୍ସ ଋଷିକେଶରେ ଭର୍ତ୍ତି
23/11/2020 at 6:30 PM

ଡେରାଡୁନ ୨୩/୧୧ : ଉତ୍ତରାଖଣ୍ଡରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଉତ୍ତରାଖଣ୍ଡ ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟ କରୋନା ସଂକ୍ରମଣର ଶିକାର ହୋଇଛନ୍ତି। କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସେ ନିଜକୁ ଆଇସୋଲେଟ କରିଥିଲେ। ସୋମବାର ଦିନ ସେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା ଏମ୍ସରେ ଭର୍ତ୍ତି ହୋଇଛନ୍ତି।
ସୂଚନା ଅନୁଯାୟୀ, ନିଜର ଜଣେ ସୁରକ୍ଷା ଅଧିକାରୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସେ ନିଜର କରୋନା ପରୀକ୍ଷା କରାଇଥିଲେ। ସେ ନିଜେ ଟ୍ୱିଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଗତ କିଛି ଦିନରେ ତାଙ୍କ ସମ୍ପର୍କରେ ଯେଉଁମାନେ ଆସିଛନ୍ତି ସେମାନଙ୍କୁ କରୋନା ପରୀକ୍ଷା କରିବାକୁ ଅପିଲ କରିଛନ୍ତି ଏବଂ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ।
ଉତ୍ତରାଖଣ୍ଡରେ ପୁଣିଥରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଉତ୍ତରାଖଣ୍ଡରେ ୪୬୬ ନୂଆ ମାମଲା ସାମ୍ନାକୁ ଆସିଛି। ଏହାପରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୧ ହଜାର ୨୫୬ରେ ପହଞ୍ଚିଛି। ଏବେ ସୁଦ୍ଧା ୬୫ ହଜାର ୧୦୨ ସୁସ୍ଥ ହୋଇଥିବାବେଳେ ୧୧୫୫ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ ବର୍ତ୍ତମାନ ୪ ହଜାର ୩୬୮ ଆକ୍ଟିଭ ମାମଲା ରହିଛି।