ଉତ୍ତରାଖଣ୍ଡ ଗ୍ଲେସିୟର ଅଘଟଣ : ୩୮୪ ଜଣଙ୍କୁ ଉଦ୍ଧାର କଲା ସେନା, ମିଳିଲା ୮ ମୃତଦେହ

Published By : Prameya-News7 Bureau | April 24, 2021 IST

ଡେରାଡୁନ୍,୨୪/୦୪  :  ଶୁକ୍ରବାର ଭାରତ-ଚୀନ ସୀମାକୁ ଯୋଡ଼ୁଥିବା ରାସ୍ତାର ସୁମନା ଅଞ୍ଚଳରେ ଗ୍ଲେସିୟର ଭାଙ୍ଗିଯାଇଥିଲା ।  ଅଧିକ ମାତ୍ରାରେ ବରଫପାତ ଯୋଗୁ ଗ୍ଲେସିୟର ଭାଙ୍ଗିଥିବା କୁହାଯାଉଛି। ଗ୍ଲେସିୟର ଭାଙ୍ଗିବା ପରେ ଯୋଗାଯୋଗ ବିଛିନ୍ନ ହୋଇପଡିଛି। ଏହାସହ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଲୋକ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର ପାଇଁ ପ୍ରକ୍ରିୟା ଜୋରଦାର କରାଯାଇଛି ।

ଭାରତୀୟ ସେନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏବେସୁଦ୍ଧା ୩୮୪ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୮ଟି ମୃତଦେହ ମିଳିଛି ।  କିଛି ସ୍ଥାନକୁ ଯୋଗାଯୋଗ ସମ୍ଭବପର ହେଉନାହିଁ। ସେପଟେ ରାସ୍ତା ସଫା କରିବା ପାଇଁ ଶ୍ରମିକମାନେ କାର୍ଯ୍ୟ ଆରମ୍ଭ କରିଛନ୍ତି। ବିଆରଓ ଅଧିକାରୀ ଲଗାତର ଯୋଗାଯୋଗ ପ୍ରତିଷ୍ଠା କରିବାକୁ ପ୍ରଚେଷ୍ଟା ଜାରି ରଖିଛନ୍ତି ।

ଏହିବରଫ ତରଳିବା ସମୟରେ ବିଆରଓର ଏକ କ୍ୟାମ୍ପ ମଧ୍ୟ ଫସି ଯାଇଥିଲା । ପ୍ରାୟ ୧୫୦ରୁ ଅଧିକ ଇଞ୍ଜିନିୟର ଫସି ରହିଥିଲେ । ସେମାନଙ୍କୁ ଶୁକ୍ରବାର ବିଳମ୍ବିତ ରାତ୍ରରେ ଉଦ୍ଧାର କରାଯାଇଛି । ଏବେ ଭାୟାକୁଣ୍ଡରୁ ସୁମନା ଯାଏଁ ରାସ୍ତାକୁ ସଫା କରାଯାଉଛି ।

ଏବେବି ସେହି ସ୍ଥାନରେ ବରଫପାତ ହେଉଥିବାରୁ ଉଦ୍ଧାରକାର୍ଯ୍ୟ ବିଳମ୍ବିତ ହେଉଛି । ଏନଟିପିସି ସମେତ ଅନେକ ପ୍ରକଳ୍ପ କାମକୁ ସାମୟିକ ରୋକି ଦିଆଯାଇଛି । ଗତ ଫେବ୍ରୁଆରୀରେ ମଧ୍ୟ ଚମୋଲିରେ ଗ୍ଲେସିୟର ଭାଙ୍ଗିବା କାରଣରୁ ଧୋଲିଗଙ୍ଗା ନଦୀରେ ବନ୍ୟା ଆସିଥିଲା । ଏଥିରେ ୫୪ ଜଣ ପ୍ରାଣ ହରାଇଥିଲେ ।

ଅଘଟଣ ପରେ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାଓ୍ୱତଙ୍କ ସହ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ଅମିତଙ୍କୁ ଯଥାସମ୍ଭଭ ସାହାଯ୍ୟ ଯୋଗାଇବା ପାଇଁ ଅନୁରୋଧ କରିଥିଲେ । ଗୃହମନ୍ତ୍ରୀ ମଧ୍ୟ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ସମସ୍ତ ପ୍ରକାର ସହଯୋଗ ନେଇ ଆଶ୍ୱାସନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.