ଏମିତି ଡାକ୍ତରଙ୍କୁ ସଲାମ୍: ଅହରହ କରୁଛନ୍ତି କରୋନା ରୋଗୀଙ୍କ ସେବା, ବର୍ଷେ ହେଲାଣି ନା ନେଇଛନ୍ତି ଛୁଟି ନା ଯାଇଛନ୍ତି ଘରକୁ

Published By : Prameya-News7 Bureau | April 27, 2021 IST

ଅଲମୋରା ୨୭/୦୪ : ଉତ୍ତରାଖଣ୍ଡ ଅଲମୋରା ନିର୍ମାଣାଧୀନ ମେଡିକାଲ କଲେଜକୁ କୋଭିଡ ହସ୍ପିଟାଲ କରାଯାଇଛି। କରୋନା ଯାଞ୍ଚରୁ ଆରମ୍ଭ କରି କରୋନା ରୋଗୀଙ୍କ ଚିକିତ୍ସା ଓ ସୁସ୍ଥ ହେବାପରେ ସେମାନଙ୍କୁ ଘରକୁ ପଠାଇବା କାମ ଡାକ୍ତର ଚଞ୍ଚଳ ସିଂହ କରୁଛନ୍ତି। ସେ ସକାଳୁ ବିଳମ୍ବିତ ରାତି ଯାଏଁ ଏହି କାମ କରନ୍ତି। ବେଳେବେଳେ ରାତିରେ ବି ରୋଗୀଙ୍କୁ ହସ୍ପିଟାଲ ନେବାକୁ ପଡିଥାଏ।

ଡାକ୍ତର ଚଞ୍ଚଳ ସିଂହ ହସ୍ପିଟାଲରେ ସଚେତକ ପଦବୀରେ ଅଛନ୍ତି। କିନ୍ତୁ କରୋନା କାଳରେ କୋଭିଡ ହସ୍ପିଟାଲରେ ସେ ରୋଗୀଙ୍କ ସେବା କରୁଛନ୍ତି। ପିଥୌରାଗଡ ଧାରଚୁଲାରେ ରହୁଥିବା ଚଞ୍ଚଳ ଗତ ବର୍ଷେ ହେଲାଣି ନିଜ ଗାଁକୁ ଯାଇନାହାନ୍ତି। ହୋଲି, ଦୀପାବଳି ଭଳି ପର୍ବପର୍ବାଣିରେ ଚାକିରୀ କରୁଥିବା ଲୋକେ ନିଜୁଆ ଘରକୁ ଯାଆନ୍ତି। କିନ୍ତୁ ଡାକ୍ତର ଚଞ୍ଚଳ ଜନସେବା ଧର୍ମ ଆପଣେଇ ଅହରହ କରୋନା ରୋଗୀଙ୍କ ସେବାରେ ଲାଗିଛନ୍ତି।

ଡାକ୍ତର ଚଞ୍ଚଳ କହିଛନ୍ତି, ଅନେକଥର ରୋଗୀଙ୍କୁ ଆଣୁଥିବା ଡ୍ରାଇଭର ଚାକିରୀ ଛାଡି ଦେଇଛନ୍ତି। ଡ୍ରାଇଭରଙ୍କୁ ନିବେଦନ କରି ସେ କାମ କରାନ୍ତି। ତାଙ୍କ ଯୋଗୁଁ କେବେ କେଉଁ ରୋଗୀକୁ ହସ୍ପିଟାଲ ଆଣିବାରେ କିମ୍ବା ଘରକୁ ନେଇଯିବାରେ ଅସୁବିଧା ହୋଇନାହିଁ। ବେଳେବେଳେ ଲୋକେ ବିଳମ୍ବିତ ରାତିରେ ମଧ୍ୟ ଫୋନ କରାନ୍ତି ଯେ ରୋଗୀଙ୍କ ସ୍ୱାସ୍ଥ୍ୟ ଗୁରୁତର ରହିଛି, ଆମ୍ବୁଲାନ୍ସ ପଠାନ୍ତୁ। ଲୋକଙ୍କ ଫୋନ ଆସିବା ପରେ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଏ।

ଡାକ୍ତର ଚଞ୍ଚଳ କହିଛନ୍ତି ଯେ ଜିଲ୍ଲାରେ ଏବେ ସୁଦ୍ଧା ୪୬୦୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୩୯୨୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ୩୦ରୁ ଅଧିକ ଜଣ ସଂକ୍ରମଣରେ ପ୍ରାଣ ହରାଇଛନ୍ତି। ଡାକ୍ତର ଚଞ୍ଚଳଙ୍କ ସମେତ ଅନ୍ୟ କର୍ମଚାରୀ ମଧ୍ୟ ଅଛନ୍ତି ଯେଉଁମାନେ ବର୍ଷେ ହେଲା ନିଜ ଘରକୁ ଯାଇନାହାନ୍ତି। ଏମାନେ ସକାଳୁ ରାତି ଯାଏଁ ରୋଗୀଙ୍କ ସେବା କରିବା ଓ ତାଙ୍କ ଜୀବନ ବଞ୍ଚାଇବା ନିଜର କର୍ତ୍ତବ୍ୟ ବୋଲି ଭାବି ନେଇଛନ୍ତି। ଏହିଭଳି ଡାକ୍ତର ଓ କର୍ମଚାରୀଙ୍କୁ ସଲାମ ଯେଉଁମାନେ ଦୃଢ ସହ କରୋନା ମହାମାରୀ ସମୟରେ ଲୋକଙ୍କ ସେବା କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.