ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାଓ୍ବତଙ୍କୁ ଦିଲ୍ଲୀ ଡକାଇଲେ ହାଇକମାଣ୍ଡ, ଉପ-ନିର୍ବାଚନ ରଣନୀତି ନେଇ ହୋଇପାରେ ଆଲୋଚନା

Published By : Prameya-News7 Bureau | June 30, 2021 IST

ନୂଆଦିଲ୍ଲୀ ୩୦।୬: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାଓ୍ବତଙ୍କୁ ବିଜେପି ହାଇକମାଣ୍ଡ ଅଚାନକ ଦିଲ୍ଲୀ ଡକାଇଛନ୍ତି । କୁହାଯାଉଛି ଯେ, ଆଜି ପାଇଁ ଧାର୍ଯ୍ୟ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ମୁଖ୍ୟମନ୍ତ୍ରୀ ଆଜି ଦିଲ୍ଲୀ ଅଭିମୁଖେ ବାହାରିଯିବେ । ତାଙ୍କୁ ଦିଲ୍ଲୀରୁ ଡକରା ଆସିବାର କୌଣସି କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।

କୁହାଯାଉଛି ଯେ, ମୁଖ୍ୟମନ୍ତ୍ରୀଙ୍କୁ ଦଳ ହାଇକମାଣ୍ଡ ଉପ-ନିର୍ବାଚନ ପାଇଁ ରଣନୀତି ଉପରେ ବିଚାର କରିବାକୁ ଡକାଇଛନ୍ତି । ମୁଖ୍ୟମନ୍ତ୍ରୀ ବିଜେପିର ତିନି ଦିନିଆ ଚିନ୍ତନ ଶିବିରରୁ ଫେରିବା ପରେ ତାଙ୍କୁ ଦିଲ୍ଲୀରୁ ଏହି ଡକରା ଆସିଛି । ଉପ-ନିର୍ବାଚନକୁ ନେଇ ଚିନ୍ତନ ଶିବରରେ ପାର୍ଟି କୋର୍ ଗ୍ରୁପର କିଛି ପ୍ରମୁ ନେତାମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀ ଡକାଇ କେନ୍ଦ୍ରୀୟ ନେତୃତ୍ବ ତାଙ୍କ ସହ ଏହି ବିଷୟରେ ବିସ୍ତାର ଭାବେ ଚର୍ଚ୍ଚା କରିପାରନ୍ତି ।

 ଉତ୍ତରାଖଣ୍ଡ ବିଧାନସଭାର ଦୁଇଟି ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ।  କୁହାଯାଉଛି ଯେ, ମୁଖ୍ୟମନ୍ତ୍ରୀ ତିରଥ ସିଂ ରାଓ୍ବତ ଗାଙ୍ଗୋତ୍ରି ଆସନରୁ ଉପ-ନିର୍ବାଚନ ଲଢିପାରନ୍ତି ।  ଯଦିଓ ବର୍ତ୍ତମାନ ନିର୍ବାଚନ ଆୟୋଗ ପକ୍ଷରୁ ଉପ-ନିର୍ବାଚନ ଉପରେ ନିଷେଧାଦେଶ ଜାରି ରହିଛି । ନିୟମ ଅନୁଯାୟୀ ୧୦ ସେପ୍ଟେମ୍ବର ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚିତ ହେବାକୁ ପଡିବ।  କେନ୍ଦ୍ରୀୟ ନେତୃତ୍ବ ଏବଂ ମୁଖ୍ୟମନ୍ତ୍ରୀ ତିରଥଙ୍କ ମଧ୍ୟରେ ଏହି ବିଷୟଗୁଡିକ ଉପରେ ଆଲୋଚନା କରାଯାଇପାରିବ ବୋଲି ବିଶ୍ବାସ କରାଯାଉଛି ।

 ମୁଖ୍ୟମନ୍ତ୍ରୀ ତିରଥ ସିଂ ରାଓ୍ବତଙ୍କୁ ବୁଧବାର ମହାଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବାର ଥିଲା । କିନ୍ତୁ ତାଙ୍କୁ ଦିଲ୍ଲୀରୁ ଡକରା ଆସିବା ପରେ କୁହାଯାଉଛି ଯେ, ମହିଳା ସଶକ୍ତିକରଣ ଏବଂ ଶିଶୁ ବିକାଶ ବିଭାଗର ଏହି ଯୋଜନାର ଶୁଭାରମ୍ଭ ବର୍ତ୍ତମାନ ସ୍ଥଗିତ ରଖାଯାଇଛି।  ତାଙ୍କର ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ସ୍ଥଗିତ ରଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.