ହାତରେ ମଦ ଗ୍ଲାସ୍ ଏବଂ ବନ୍ଧୁକ ଧରି ଠୁମ୍‌କା ଲଗାଉଛନ୍ତି ବିଧାୟକ, ଭିଡିଓ ଭାଇରାଲ୍

Published By : Prameya-News7 Bureau | July 10, 2019 IST

ନୂଆଦିଲ୍ଲୀ ୧୦|୭: ହାତରେ ମଦ ଗ୍ଲାସ ଓ ଅନ୍ୟ ହାତରେ ବନ୍ଧୁକ । ଦୁଇ ହାତରେ ବନ୍ଧୁକ ଧରି ହିନ୍ଦୀ ଗୀତର ତାଳେ ତାଳେ ଠୁମକା ଲଗାଉଛନ୍ତି ବିଜେପିର ନିଲମ୍ବିତ ବିଧାୟକ ପ୍ରଣବ ସିଂ ଚମ୍ପିଆନ । ଉତ୍ତରାଖଣ୍ଡ ଖାନପୁରର ବିଧାୟକ ପ୍ରଣବ ସିଂ, ଏମିତି କାରନାମା ପାଇଁ ଅନେକ ସମୟରେ ଖବରରେ ଥାଆନ୍ତି । ଜଣେ ଜନ ପ୍ରତିନିଧି ଭାବରେ ଏବେ ପୁଣି ଥରେ ଏପରି ଲଜ୍ଜାଜନକ କାଣ୍ଡ ଘଟାଇଛନ୍ତି ପ୍ରଣବ ସିଂ ।

ହାତରେ ବନ୍ଧୁକ ଧରି, ମୁହଁରେ ବନ୍ଧୁକ ଧରି ଖୁବ ମଉଜ ମସ୍ତି କରୁଛନ୍ତି ବିଧାୟକ । ଖୁବ ଦମ୍ଭର ସହ ବିବାଦୀୟ ବୟାନ ବି ଦେଇ ଚାଲିଛନ୍ତି । ଆଇନ ନା ଜନତା, କାହାରିକୁ ଡର ନାହିଁ ବିଧାୟକଙ୍କର । ନେତାଙ୍କର ଏହି କାରନାମା ଏବେ ଭାଇରାଲ ହୋଇଛି । ଏପରି ବିବାଦ ସୃଷ୍ଟି କରିଥିବା ପ୍ରଣବ ସିଂଙ୍କୁ ଅନୁଶାସନହୀନତା ଲାଗି ବିଜେପି ୩ମାସ ପାଇଁ ସସପେଣ୍ଡ କରିଛି । ନିଜକୁ ନସୁଧାରିଲେ ନିଲମ୍ବନ ଅବଧି ଆଗକୁ ବଢିପାରେ ବୋଲି ଦଳ ସତର୍କ ବି କରିଛି । ଠିକ୍ ଏମିତି ସମୟରେ ବନ୍ଧୁକଧାରୀ ନେତାଙ୍କ କାରନାମା ଦାଣ୍ଡରେ ପଡି ହାଟରେ ଗଡୁଛି ।

ସୋସିଆଲ ମିଡିଆରେ ଏହି ଦୃଶ୍ୟ ଏବେ ନେତାଙ୍କ ଅସଲ ଚେହେରା ପଦାରେ ପକାଇଛି । କେବଳ ସେତିକି ନୁହେଁ, ଜଣେ ସମର୍ଥକ ପ୍ରଣବଙ୍କୁ ପ୍ରଶଂସା କରିବାକୁ ଯାଇ କହିଛନ୍ତି ଉତ୍ତରାଖଣ୍ଡରେ ସେ ହିଁ ଜଣେ ନେତା ଯିଏକି ଏଭଳି କରିପାରନ୍ତି । ସମର୍ଥକଙ୍କ ପ୍ରଶଂସା ପରେ ପ୍ରଣବ କହୁଛନ୍ତି କେବଳ ଉତ୍ତରାଖଣ୍ଡରେ ନୁହେଁ ସମଗ୍ର ଭାରତରେ କେବଳ ସେ ହିଁ ଏପରି କରିପାରିବେ । ଏହି ଭିଡିଓ ୩ ତିନି ଦିନ ତଳର ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.