ଅଦ୍ଭୁତ ଦାବି ! କୁମ୍ଭୀରକୁ ବନ୍ଧକ ରଖିଲେ ଗାଁଲୋକେ, ବନ ବିଭାଗ ଠାରୁ ଦାବି କଲେ ୫୦ ହଜାର ଟଙ୍କା
11/09/2020 at 2:06 PM

ବରେଲି ୧୧/୦୯: ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖେରି ଜିଲ୍ଲାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ତିନି ଦିନ ତଳେ ଦୁଧଓ୍ବା ଟାଇଗର ରିଜର୍ଭ ପାଖରେ ଥିବା ମିଦାନିଆ ଗାଁର ପୋଖରୀକୁ ଗୋଟିଏ କୁମ୍ଭୀର ପଶି ଆସିଥିଲା। କୁମ୍ଭୀର ଦେଖି ଗାଁବାସୀ ଭୟଭୀତ ହୋଇ ବନବିଭାଗକୁ ଖବର ଦେଇଥିଲେ। ଠିକ୍ ସମୟରେ ବନ ବିଭାଗ ନ ପହଞ୍ଚିବାରୁ ଗାଁ ଲୋକମାନେ ନିଜେ ୧୫ ଜଣିଆ ଟିମ୍ କରି କୁମ୍ଭୀରକୁ ଉଦ୍ଧାର କରିଥିଲେ।
ଏହା ପରେ ଏହି ଘଟଣା ବିବାଦୀୟ ହୋଇପଡିଛି। ଗାଁଲୋକମାନେ ନିଜ ଜୀବନକୁ ବିପଦରେ ପକାଇ କୁମ୍ଭୀରକୁ ଉଦ୍ଧାର କରିଥିବାରୁ ସେମାନେ ବନ୍ଧକ ସ୍ବରୂପ ୫୦ ହଜାର ଟଙ୍କା ଦାବି କରିଛନ୍ତି। ତେବେ ଏ ମାମଲା ଗତ ମଙ୍ଗଳାବାରର। ରିଜର୍ଭର ବଫର ଏରିଆର ଡେପୁଟି ନିର୍ଦେଶକ ଅନିଲ ପଟେଲ କହିଛନ୍ତି ମିଦାନିଆ ଗାଁରୁ ସେମାନଙ୍କ ପାଖକକୁ ଫୋନ ଆସିଥିଲା ଯେ ଗାଁର ପୋଖରୀରେ ବଡ଼ କୁମ୍ଭୀର ଦେଖିବାକୁ ମିଳିଛି। ଏହା ଛୋଟ ପିଲା ଓ ପୋଷା ଜୀବଙ୍କୁ କ୍ଷତି ପହଞ୍ଚାଇପାରେ। ଏହା ପରେ ବନ ବିଭାଗର ଗୋଟିଏ ଟିମ୍ କୁମ୍ଭୀର ଉଦ୍ଧାର ନିମନ୍ତେ ଗାଁକୁ ପଠାଯାଇଥିଲା। ମାତ୍ର ସେଦିନ ଅନ୍ଧାର ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟ ହୋଇପାରି ନ ଥିଲା। ସେଥିପାଇଁ କୁମ୍ଭୀର ଉଦ୍ଧାର କାର୍ଯ୍ୟ ବୁଧବାର ସକାଳକୁ ଘୁଞ୍ଚାଇ ଦିଆଯାଇଥିଲା।
ଗତକାଲି ସକାଳେ ଗାଁ ଲୋକମାନେ ଫୋନ୍ କରି କହିଲେ ବନ ବିଭାଗକୁ ଅପେକ୍ଷା କରି ଶେଷରେ ଉଦ୍ଧାର କାର୍ଯ୍ୟ ସେମାନେ ନିଜେ କରିଥିବା ଜଣାଇ ଥିଲେ। ଯେତେବେଳେ ବନ ବିଭାଗର ଗୋଟିଏ ଟିମ୍ ଅନିଲ ଶାହଙ୍କ ନେତୃତ୍ବରେ ଯେତେବେଳେ ଗାଁରେ ପହଞ୍ଚିଲା ଗାଁଲୋକଙ୍କ ଆକ୍ରୋଶ ସେମାନଙ୍କୁ ସାମ୍ନା କରିବାକୁ ପଡିଥିଲା।
ଗାଁଲୋକ ପୋଖରୀର ପାଣି ଖାଲି କରି ଗୋଟିଏ ରଶିରେ କୁମ୍ଭୀରରକୁ ବାନ୍ଧି ରଖିଥିଲେ। ଜୀବନକୁ ବିପଦରେ ପକାଇ କୁମ୍ଭୀର ଧରିଥିବାରୁ ସେମାନେ ତାହାକୁ ବନ୍ଧକ ରଖିଥିଲେ ଓ ୫୦ ହଜାର ଟଙ୍କା ଏନେଇ ଦାବି କରିଥିଲେ। ଏହାକୁ ନେଇ ବନ ବିଭାଗ ଓ ଗାଁଲୋକଙ୍କ ମଧ୍ୟରେ ଘଣ୍ଟାଏ କାଳ ଝଗଡ଼ା ହୋଇଥିଲା। ପରେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା। ଏହା ସହ କୁମ୍ଭୀରକୁ ନ ଛାଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେମାନଙ୍କୁ ଚେତାବନୀ ଦେଇଛି।