ଜମାତିଙ୍କ ଠିକଣା ଦେଲେ ମିଳିବ ୧୦ ହଜାର ଟଙ୍କା, ପୁରସ୍କାର ଘୋଷଣା କଲା ପୋଲିସ୍

Published By : Prameya-News7 Bureau | April 20, 2020 IST

ନୂଆଦିଲ୍ଲୀ ୨୦।୦୪: କରୋନା ସଙ୍କଟ ଦେଇ ଗତି କରୁଥିବା ଦେଶ ପାଇଁ ଦିଲ୍ଲୀର ନିଜାମୁଦ୍ଦିନ ସ୍ଥିତ ତବଲିଗି ଜମାତର ମରକଜ ନିଆଁରେ ଘିଅ ଢାଳିବାର କାମ କରିଛି। ଦେଶରେ କରୋନା ପଜିଟିଭ୍‌ ସଂଖ୍ୟାରେ ଜମାତିଙ୍କ ବଡଭାଗ ରହିଛି। ୟୁପି ସହିତ ବିଭିନ୍ନ ରାଜ୍ୟର ସରକାର ମସଜିଦଠୁ ନେଇ ଘର ପର୍ଯ୍ୟନ୍ତ ଏହି ଜମାତିଙ୍କ ସନ୍ଧାନ କରୁଛନ୍ତି। ଏହା ମଧ୍ୟରେ ଉତ୍ତର ପ୍ରଦେଶର କାନପୁର ପୋଲିସ୍ ଏକ ଅଭିନବ ପନ୍ଥା ଆପଣେଇଛନ୍ତି। କାନପୁର ପୋଲିସ ଜମାତିଙ୍କ ଠିକଣା ବିଷୟରେ ସୂଚନା ଦେଲେ ୧୦  ହଜାର ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଛି।

ଉଲ୍ଲେଖଯୋଗ୍ୟ, ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାରେ କରୋନ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ନୂତନ ରୋଗୀଙ୍କ ମଧ୍ୟରେ ଜମାତିଙ୍କ ସଂଖ୍ୟା ଅଧିକ ରହିଛି। କାନପୁର ଜୋନର ଆଇଜି ମୋହିତ ଅଗ୍ରଓ୍ଵାଲ ଘୋଷଣା କରି କହିଛନ୍ତି ଯେ, ଯେଉଁ ବ୍ୟକ୍ତି ଜମାତିଙ୍କ ସୂଚନା ଦେବେ ତାଙ୍କୁ ପ୍ରତି ଜମାତି ହିସାବରେ ୧୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ଦିଆଯିବ। ଏହି ପୁରସ୍କାର ଜମାତିଙ୍କ ଛପି ରହିଥିବାର ସୂଚନା ଦେଉଥିବା ଲୋକଙ୍କୁ ଦିଆଯିବ। ଉଲ୍ଲେଖନୀୟ କାନପୁରରେ କରୋନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଅନେକ ଜମାତି ଏବେ ମଧ୍ୟ ଛପି ରହିଥିବାର ସମ୍ଭାବନା ରହିଛି। କିଛି ସାମ୍ନାକୁ ମଧ୍ୟ ଆସୁଛନ୍ତି।

ଏହା ମଧ୍ୟରେ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ତବଲିଗି ଜମାତିଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି। ସୋମବାର ଲକ୍ଷ୍ନୌରେ ୩ ଅଲଗା ଅଲଗା ଜାଗାରୁ ମିଳିଥିବା ୨୩ ବିଦେଶୀ ଜମାତିଙ୍କୁ ଲକ୍ଷ୍ନୌ ପୋଲିସ୍ ଗତକାଲି ରାତିରେ କୋର୍ଟରେ ହାଜର କରିବା  ପରେ ଜେଲ୍‌ ପଠାଇ ଦେଇଛି। ଏହି ସବୁ ଜମାତିଙ୍କ କ୍ଵାରେଣ୍ଟାଇନ୍ ଅବଧି ପୂରା ହେବା ପରେ ଜେଲ୍‌ ପଠାଇ ଦିଆଯାଇଛି। ସମସ୍ତ ୨୩ ବିଦେଶୀ ଜମାତିଙ୍କ ରିପୋର୍ଟ ନେଗେଟିଭ୍ ଆସିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.