ଉତ୍ତର ପ୍ରଦେଶ ମହମ୍ମଦାବାଦର ସିଲିଣ୍ଡର ଫାଟି ୧୦ ମୃତ, ୩୦ ଆହତ : ଭୁସୁଡିଗଲା ଦୁଇ ମହଲା କୋଠା
14/10/2019 at 11:05 AM

ଲକ୍ଷ୍ନୌ ୧୪/୧୦: ସିଲିଣ୍ଡର ଫାଟି ୧୦ ମୃତ, ୩୦ରୁ ଅଧିକ ଆହତ ହୋଇଛନ୍ତି। ଉତ୍ତର ପ୍ରଦେଶର ମଉ ଜିଲ୍ଲା ଅନ୍ତର୍ଗତ ମହମ୍ମଦାବାଦ ଅଞ୍ଚଳରେ ବଡ ଅଘଟଣ ହୋଇଛି । ସିଲିଣ୍ଡର୍ ବିସ୍ଫୋରଣ ଯୋଗୁଁ ଗୋଟାଏ ଦୁଇ ମହଲା କୋଠାଘର ଭାଙ୍ଗି ଯିବାରୁ ଅନ୍ୟୂନ ୧୦ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ୩୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ସକାଳ ସାଢେ ୭ଟା ସମୟରେ ଘରେ ମହିଳାମାନେ ସକାଳ ଜଳଖିଆ ପ୍ରସ୍ତୁତି କରୁଥିବା ବେଳେ ଗ୍ୟାସ୍ ସିଲିଣ୍ଡର୍ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି ।

ଭଗ୍ନସ୍ତୁପ ତଳେ ଆଉ କିଛି ଲୋକ ପୋତି ହୋଇ ପଡ଼ିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ି ପାରେ ବୋଲି ଆଶଙ୍କା ହେଉଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଚିକିତ୍ସା ପାଇଁ ସମସ୍ତ ଆହତ ବ୍ୟକ୍ତିଙ୍କୁ ଜିଲ୍ଲା ଚିକିତ୍ସାଳକୁ ନିଆଯାଇଥିବା କଥା ପୁଲିସ କହିଛି । ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଆହତମାନଙ୍କୁ ତୁରନ୍ତ ଯଥା ସମ୍ଭବ ରିଲିଫ୍ ଏବଂ ଡାକ୍ତରୀ ସହାୟତା ଯୋଗାଇ ଦେବାକୁ ସମସ୍ତ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।
