ଏନ୍କାଉଣ୍ଟର୍ ଭୟ : ଅପରାଧୀ କହିଲା, ‘ଚାଲି ଚାଲି ଯିବି ଥାନା, କେଜାଣି କେତେବେଳେ ଗାଡି ଓଲଟିଯିବ…’
13/07/2020 at 2:28 PM

କାନପୁର ୧୩/୦୭ : ଦୁର୍ଦାନ୍ତ ଅପରାଧୀ ବିକାଶ ଦୁବେ ଏନକାଉଣ୍ଟର ପରେ ଉତ୍ତର ପ୍ରଦେଶ ଅପରାଧୀ ଭୟଭୀତ ଅବସ୍ଥାରେ ଅଛନ୍ତି | ଅପରାଧୀ ଏତେ ଭୟଭୀତ ଅବସ୍ଥାରେ ଅଛନ୍ତି ଯେ ପୋଲିସ ଗାଡିରେ ବସିବାକୁ ମଧ୍ୟ ଭୟ କରୁଛନ୍ତି | ପୋଲିସ ଗାଡି କେତେବେଳେ ଓଲଟିଯିବ ଏବଂ ସେମାନଙ୍କୁ ଏନକାଉଣ୍ଟର କରିଦିଆଯିବା ସେ ଭୟ ଅପରାଧୀଙ୍କୁ ଖାଉଛି | ଏହିଭଳି ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରଏଲ ହୋଇଛି | ଭିଡିଓ ଭାଇରାଲ ହେବାପରେ କାନପୁର ଏସଏସପି ଦୃଢୋକ୍ତି ପ୍ରକାଶ କରି କହିଛନ୍ତି ଯେ ଭିଡିଓ କାନପୁର ନୁହେଁ |
ଭିଡିଓରେ କିଛି ପୋଲିସ ଅଧିକାରୀ ଏବଂ ଯବାନ ଜଣକୁ ପୋଲିସ ଗାଡିରେ ବସାଇବାକୁ ପ୍ରୟାସ କରୁଛନ୍ତି | କିନ୍ତୁ ଯୁବକ ଜଣକ ପୋଲିସ ଗାଡିରେ ବସିବାକୁ କଦାପି ରାଜି ହେଉନି | ସେ ବାରମ୍ବାର ପୋଲିସକର୍ମୀଙ୍କୁ କହୁଛି ଯେ ସେ ଚାଲି ଚାଲି ଥାନାକୁ ଯିବ ପଛେ କିନ୍ତୁ ଗାଡିରେ ବସିବନି | ଗାଡିରେ ଗଲେ କେତେବେଳେ ରାସ୍ତାରେ ଗାଡି ଓଲଟିଯିବ ଓ ତାର ଏନକାଉଣ୍ଟର କରିଦିଆଯିବ ତାର କିଛି ଠିକ ଠିକଣା ନାହିଁ ବୋଲି ସେ କହୁଛି | ତଥାପି ପୋଲିସକର୍ମୀ ଅପରାଧୀକୁ ଜୋର ଜବରଦସ୍ତି ନିଜ ଗାଡିରେ ବସାଇବାକୁ ପ୍ରୟାସ କରିଥିଲେ |
ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ନେଇ କାନପୁର ଏସଏସପି ଦୀନେଶ କୁମାର କହିଛନ୍ତି କହିଛନ୍ତି ଯେ, ଏହି ଭିଡିଓ ସହିତ କାନପୁରର କିଛି ସମ୍ବନ୍ଧ ନାହିଁ | ଭିଡିଓକୁ ଭୁଲ ତରିକାରେ କାନପୁର ସହିତ ଯୋଡାଯାଉଛି | ତେବେ ପୋଲିସ ୟୁନିଫର୍ମ ଓ ଟୋପି ଦେଖି ଅନୁମାନ କରାଯାଉଛି ଯେ ଭିଡିଓ ଉତ୍ତର ପ୍ରଦେଶର କୌଣସି ଏକ ସହରର | କିନ୍ତୁ ଭିଡିଓରେ ଥିବା ଅପରାଧୀ କିଏ ଏବଂ ପୋଲିସ ତାକୁ କେଉଁ ମାମଲାରେ ଥାନାକୁ ନେବାକୁ ପ୍ରୟାସ କରୁଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ |