କରୋନା ଔଷଧ ପାଇଁ ସାରା ବିଶ୍ୱରେ ଉତ୍କଣ୍ଠା : ଇବୋଲା ଔଷଧ କିଛି ଫଳ ଦେଉଛି, ଆମେରିକା ଓ ଅନ୍ୟ ରାଷ୍ଟ୍ରରେ ଅନ୍ୟ ବିକଳ୍ପର ସହ ଭ୍ୟାକସିନ ପାଇଁ ପରୀକ୍ଷା

Published By : Prameya-News7 Bureau | April 30, 2020 IST

ନୂଆଦିଲ୍ଲୀ ୩୦/୦୪ : କରୋନା ଲଢ଼େଇଲେ ଲୋକେ ତ୍ରାହିତ୍ରାହି ଡାକୁଥିବା ବେଳେ କେବେ ଏହାର ଔଷଧ ଉପଲବ୍ଧ ହେବ ସେନେଇ ଚାତକ ଭଳି ଚାହିଁ ରହିଛି ସାରା ବିଶ୍ୱ ।  ଏନେଇ ଗତକାଲି ରେମଡେସିବିରର ପ୍ରୟୋଗକୁ ନେଇ ନୂଆ ଆଶା ଦେଖାଦେଇଛି। ସେହିଭଳି ଆଉ କିଛି ଔଷଧ ଏବଂ ଭ୍ୟାକସିନର ପ୍ରୟୋଗ ନେଇ ମଧ୍ୟ ଆଶା ଦେଖାଦେଇଛି।

କରୋନା ପାଇଁ ରେମଡେସିବିର ରାମବାଣ ହୋଇପାରେ । ଏବେ ଏମିତି କିଛି ଚର୍ଚ୍ଚା ଚାଲିଛି । କରୋନା ଉପରେ ଗବେଷଣା କରୁଥିବା ବିଶ୍ବର ପ୍ରମୁଖ ଫାର୍ମା ରିସର୍ଚ୍ଚ ସଂସ୍ଥା ଗିଲିଡ୍ ସାଇନ୍ସ  ରେମଡେସିବିର୍ ର ସଫଳତା ନେଇ ଦାବି କରିବା ପରେ ଏକ ନୂଆ ଆଶା ଦେଖାଦେଇଛି। ଆମେରିକାର ୩୯୭ ରୋଗୀଙ୍କ ଠାରେ ରେମଡେସିବିର ଔଷଧ ୫ ଦିନିଆ ଓ ୧୦ ଦିନିଆ ଡୋଜ୍‌ର ପରୀକ୍ଷା କରାଯାଇଥିଲା। ଯେଉଁଥିରେ ୫୦ ପ୍ରତିଶତ ସଫଳତା ମିଳିଥିବା ଦାବି କରାଯାଇଛି।  ବାସ୍ତବରେ ରେମଡେସିବିର ଔଷଧ ଇବୋଲା ମୁକାବିଲା ପାଇଁ ତିଆରି କରାଯାଇଥିଲା। ଏହି ଔଷଧ ଭାଇରସକୁ ଶରୀର ମଧ୍ୟରେ କ୍ଲୋନ ହେବାକୁ ଦେଇନଥାଏ। କରୋନାରେ ଏହା ଏବେ ଷ୍ଟେଜ୍‌ ଥ୍ରି ପରୀକ୍ଷାରେ ଥିବାରୁ ଖୁବ୍‌ ଶୀଘ୍ର ଏହାର ମଞ୍ଜୁରୀ ମିଳିବାର ଆଶା କରାଯାଉଛି। ସେପଟେ ଜାପାନ ରେମଡେସିବିରକୁ କରୋନା ରୋଗୀଙ୍କ ଠାରେ ପ୍ରୟୋଗ ପାଇଁ ଅନୁମତି ଦେଇଛି।

ସେପଟେ ଫାବିପିରାଭିର୍‌ ମଧ୍ୟ ଆଉ ଏକ ଔଷଧ ଯାହାକୁ ମଧ୍ୟ କରୋନା ପାଇଁ ବ୍ୟବହାର କରାଯାଉଛି। ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍‌ସର ଏହି ମେଡ଼ିସିନକୁ କରୋନା ଉପରେ ପରୀକ୍ଷା ପାଇଁ ଅନୁମତି ମିଳିଛି। ଇନଫ୍ଲୁଏନ୍‌ଜା ପାଇଁ ଏହି ଔଷଧ ବ୍ୟବହାର କରାଯାଇଥାଏ। ଚୀନ ଜାପାନ ଭଳି ଦେଶ ମଧ୍ୟ ଏହି ଔଷଧ କରୋନା ରୋଗୀଙ୍କୁ ଦେବା ଲାଗି ଅନୁମତି ଦେଇଛନ୍ତି।

ସେହିପରି ବିସିଜି କୁ ମଧ୍ୟ ପରୀକ୍ଷା କରାଯାଉଛି। ଟିବି ନିରୋଧ ପାଇଁ ଏହାକୁ ବ୍ୟବହାର କରାଯାଇଥାଏ। ବାସିଲସ କାଲମେଟ ଗୁଏରିନ କୁ ଭାରତରେ କରୋନା ପାଇଁ ପରୀକ୍ଷା କରାଯାଉଛି। ମହାରାଷ୍ଟ୍ରରେ ଏହି ଅଭିଯାନ ଚାଲିଥିବା ବେଳେ ଏଥିପାଇଁ ଆମେରିକାର ହପକିନ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ସହଯୋଗ କରୁଛି।

ସେହିପରି ଆମେରିକାର ଆଉ ଏକ ଔଷଧ ଗିମସିଲୁମାବ୍‌। ଟେମ୍ପଲ ୟୁନିଭର୍ସିଟି ହସ୍ପିଟାଲ ଏହି ଔଷଧକୁ ରୋଗୀଙ୍କ ଠାରେ ପ୍ରୟୋଗ କରିଛି। ରୋଗୀଙ୍କ ଫୁସଫୁସ୍‌ କରୋନା ଯେଉଁ କୁ ପ୍ରଭାବ ପକାଇଥାଏ ଏହି ଔଷଧ ସେଥିରୁ ଉପସମ ଦେବ। ଏହାର ନନ୍‌ କ୍ଲିନିକାଲ ଟ୍ରାଏଲ ଆରମ୍ଭ ହୋଇଛି। ଏହା ବାଦ୍‌ ଅତି ଗୁରୁତର ରୋଗୀଙ୍କ ଉପରେ ପ୍ଲାଜମା ଥେରାପି ମଧ୍ୟ ଚାଲୁ ରହିଛି। ଯଦିଓ ଭାରତର ଡାକ୍ତରମାନେ ଏହା ସଂପୂର୍ଣ୍ଣ ସୁରକ୍ଷିତ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ତଥାପି ପ୍ଲାଜ୍‌ମା ଥେରାପିକୁ ନେଇ ଗବେଷଣା ଚାଲିଛି।

କରୋନାର ଟୀକା ନେଇ ବିଶ୍ବବ୍ୟାପୀ ମଧ୍ୟ ଗବେଷଣା ଜୋରଦାର ଚାଲିଛି। ଅକ୍ସଫୋର୍ଡ ୟୁନିଭର୍‌ସିଟି ସହାୟତା ଭାରତର ସିରମ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ ହଜାରେ ଟଙ୍କାର ଟୀକାର ପ୍ରସ୍ତୁତିରେ ଆଗଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.