ସହାୟତାର ହାତ ବଢ଼ାଇଲା ଆମେରିକା : କରୋନା ସହ ଲଢ଼ିବାକୁ ଭାରତକୁ ୩୦ ଲକ୍ଷ ଡଲାର ଆର୍ଥିକ ସାହାଯ୍ୟ ଦେବାକୁ କଲା ଘୋଷଣା

Published By : Prameya-News7 Bureau | April 30, 2020 IST

ୱାସିଂଟନ ୩୦/୦୪ : ଆମେରିକା ପୁଣି ସହାୟତାର ହାତ ବଢ଼ାଇଛି | ନିଜର ସହାୟତା ସଂସ୍ଥା ୟୁଏସିଏଆଇଡି ଜରିଆରେ ଭାରତକୁ କରୋନା ମହାମାରୀ ସହ ଲଢ଼ିବାରେ ଅତିରିକ୍ତ ୩୦ ଲକ୍ଷ ଡଲାର ଆର୍ଥିକ ସହାୟତା କରିବାକୁ ଘୋଷଣା କରିଛି | ଏହା ପୂର୍ବରୁ ଏପ୍ରିଲ ୬ ତାରିଖରେ ୟୁଏସିଏଆଇଡି ଭାରତକୁ ୨୯ ଲକ୍ଷ ଆମେରିକୀୟ ଡଲାର ଦେବାକୁ ଘୋଷଣା କରିଥିଲା | ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନ୍ୟ ଦେଶମାନଙ୍କୁ ଲଗାତାର ସହାୟତା କରୁଛନ୍ତି |

ଭାରତରେ ଆମେରିକାର ରାଷ୍ଟ୍ରଦୂତ କେନେଥ ଜଷ୍ଟର କହିଛନ୍ତି ଯେ, ଏହି ଅତିରିକ୍ତ ସହାୟତା ରାଶି ଦ୍ୱାରା ଭାରତକୁ କରୋନା ବିରୋଧରେ ଲଢେଇ କରିବାକୁ ସାହାଯ୍ୟ ମିଳିବ | ଏହା ଭାରତ ଓ ଆମେରିକା ମଧ୍ୟରେ ଥିବା ସହଭାଗିତାର ଏକ ମହତ୍ଵପୁର୍ଣ ଉଦାହରଣ | ଅନ୍ତରାଷ୍ଟ୍ରୀୟ ବିକାଶ ପାଇଁ ଆମେରିକା ସଂସ୍ଥା ୟୁଏସିଏଆଇଡି ବିଶ୍ୱ ସ୍ଥରରେର ମୁଖ୍ୟ ସହାୟତା ସଂସ୍ଥାମାନଙ୍କ ମଧ୍ୟରୁ ଗୋଟିଏ | ଏବେ ସୁଦ୍ଧା ୟୁଏସିଏଆଇଡି କୋଭିଡ-୧୯ ମହାମାରୀ ସହ ଲଢ଼ିବା ପାଇଁ ଭାରତକୁ ୫୯ ଲକ୍ଷ ଆମେରିକୀୟ ଡଲାର ସାହାଯ୍ୟ କରିସାରିଛି |

ଆମେରିକା ଭାରତ ଛଡା ଆହୁରି ୬୪ ଦେଶକୁ ୧୩୦ କୋଟି ଟଙ୍କା ଆର୍ଥିକ ସାହାଯ୍ୟ କରିବାକୁ ଘୋଷଣା କରିଛି | ଏହିସବୁ ଦେଶମାନଙ୍କରେ କରୋନା ଭାଇରସ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି | ଆମେରିକା ତରଫରୁ ଜାରି କରାଯାଇଥିବା ବୟାନ ଅନୁଯାୟୀ, ଏହି ରାଶି ଭାରତକୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର କରିବାକୁ ଦିଆଯିବ | ଭାରତ ସହ ଶ୍ରୀଲଙ୍କା, ନେପାଳ, ବାଙ୍ଗଲାଦେଶ ଏବଂ ଆଫଗାନିସ୍ତାନକୁ ମଧ୍ୟ ଆର୍ଥିକ ସହାୟତା ଯୋଗାଇବାକୁ ଆମେରିକା ଘୋଷଣା କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.