ଋଷିଆରେ ବନ୍ଦ ହେବ ଆମେରିକାର ଶେଷ ବାଣିଜ୍ୟ ଦୂତାବାସ !
19/12/2020 at 4:42 PM

ୱାସିଂଟନ: ମସ୍କୋ ସହିତ ତିକ୍ତତା ମଧ୍ୟରେ ରାଷ୍ଟ୍ରପତି ନିର୍ବାଚିତ ଜୋ ବିଡେନ୍ ଦାୟିତ୍ୱଗ୍ରହଣ ପ୍ରସ୍ତୁତି ଆମେରିକାରେ ଆରମ୍ଭ ହୋଇଯାଇଛି। ଏଥିରେ ବିଦାୟୀ ରାଷ୍ଚ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଋଷିଆରେ ଅବଶିଷ୍ଟ ୨ ବାଣିଜ୍ୟ ଦୂତାବାସ (କନସୁଲେଟ) ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଅନୁସାରେ ଏବେ କେବଳ ମସ୍କୋରେ କେବଳ ଆମେରିକା ଦୂତାବାସଟି ରହିବ।
ସୂଚନା ଅନୁଯାୟୀ ଋଷିଆର ବ୍ଲାଡିଭୋସ୍ତକରେ ଥିବା କନସୁଲେଟକୁ ବନ୍ଦ କରିବା ସହ ଏକାଟେରିନବର୍ଗ କନସୁଲେଟରେ ଡିସେମ୍ବର ୧୦ରୁ କାର୍ଯ୍ୟସ୍ଥଗିତ କରିଦେଇଛି। ଆମେରିକା ଷ୍ଟେଟ୍ ଡିପାର୍ଟମେଣ୍ଟ ପକ୍ଷରୁ କଂଗ୍ରେସକୁ ଦିଆଯାଇଥିବା ସୂଚନାରେ ଏହା କୁହାଯାଇଛି। ୨୦୧୭ ମସିହାରେ ଋଷିଆ ଜାରି କରିଥିବା କଟକଣା ଦେଶରେ ଆମେରିକା ମିସନକୁ ପ୍ରଭାବିତ କରିଛି। ଋଷିଆ ସରକାର ଦୂତାବାସ କର୍ମଚାରୀଙ୍କ ନିମନ୍ତେ ଲାଗୁ କରିଥିବା କୁଟନୈତିକ ଭିସା କାରଣରୁ ଋଷିଆରେ ଆମେରିକୀୟ ମିସନ୍ କର୍ମଚାରୀ ସଂକଟର ସମ୍ମୁଖୀନ ହେଉଛି। ଏଣୁ ଋଷିଆରେ କନସୁଲେଟ୍ ଗୁଡିକୁ ଆମେରିକା ଗୋଟିକ ପରେ ଗୋଟିଏ ବନ୍ଦ କରିବାରେ ଲାଗିଛି।
ଆମେରିକାର ନିଷ୍ପତ୍ତି ଅନୁସାରେ ଋଷିଆ ବିଭିନ୍ନ ସହରରେ ଅବସ୍ଥାପିତ ଥିବା ୧୦ କୁଟନୀତିଜ୍ଞ ମସ୍କୋ ପହଞ୍ଚିସାରିଲେଣି। ସେପଟେ କାର୍ଯ୍ୟାଳୟ ବନ୍ଦ ହେବା ଯୋଗୁ ୩୩ ଜଣ ସ୍ଥାନୀୟ କର୍ମଚାରୀ ନିଯୁକ୍ତି ହରାଇବା ସ୍ପଷ୍ଟ ହୋଇଯାଇଛି। ତେବେ ଆମେରିକାରେ ଥିବା ଋଷିୟ ଦୂତାବାସ ନେଇ ଟ୍ରମ୍ପ ପ୍ରଶାସନର ସେପରି କୌଣସି କାର୍ଯ୍ୟକ୍ରମ ନାହିଁ। ଅନ୍ୟପକ୍ଷରେ ଜୋ ବିଡେନ ଆମେରିକା ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ ବେଳକୁ ଋଷିଆରେ ଆମେରିକୀୟ ଦୂତାବାସ ବନ୍ଦ ହୋଇଥିବ କି ନା ତାହା ସ୍ପଷ୍ଟ ଜଣାପଡି ନାହିଁ।