ଭୋଟ ଆଗରୁ ଡରିଲେଣି ଟ୍ରମ୍ପ: ହ୍ୟାକରଙ୍କୁ ଧରାଇ ଦେଲେ $10 m ପୁରସ୍କାର ଦେବ ଆମେରିକା
7/08/2020 at 5:19 PM

ୱାସିଂଟନ୍ : ନଭେମ୍ବର ରାଷ୍ଟ୍ରପତି ନିର୍ବାଚନ ଲାଗି ଏବେ ଚିନ୍ତାରେ ଆମେରିକା। ଦେଶରେ କୋଭିଡ-୧୯ ପ୍ରକୋପ ଜାରି ରହିଥିବା ବେଳେ ନିର୍ବାଚନ ଉପରେ ବିଦେଶୀ ହ୍ୟାକରଙ୍କ ନଜର ଥିବା ଜଣାପଡିଛି। ରାଷ୍ଟ୍ରପତି ନିର୍ବାଚନକୁ ଆଉ ମାତ୍ର ୪ ମାସ ବାକି। ଏଥିରେ ଆମେରିକା ଷ୍ଟେଟ୍ ଡିପାର୍ଟମେଣ୍ଟ ଏବେ ହ୍ୟାକରଙ୍କ ତଲାସରେ ଜୁଟିଯାଇଛି। ଗୋଟିଏ ପଟେ ହାତରେ କମ ସମୟ ଥିବା ବେଳେ ରାଷ୍ଟ୍ରପତି ନିର୍ବାଚନ ଏକ ଜଟିଳ ପ୍ରକ୍ରିୟା ଏଣୁ ବିଭାଗ ନାଗିରକଙ୍କ ସହାୟତା କାମନା କରିଛି। ନିର୍ବାଚନକୁ ହ୍ୟାକ୍ କରିବା ଲାଗି ଚକ୍ରାନ୍ତ ଚଳାଉଥିବା ଲୋକଙ୍କ ସମ୍ପର୍କରେ ସୂଚନା ଲାଗି ୧୦ ମିଲିୟନ ଡଲାରର ପୁରସ୍କାର ରାଶି ଘୋଷଣା କରିଛି।
ଆମେରିକା ରାଷ୍ଟ୍ରପତି ନିର୍ବାଚନ ଉପରେ ଋଷିଆ, ଚୀନ୍ ଓ ଇରାନର ଆଖି ଥିବା ତଥ୍ୟ ମିଳିଛି। ଆମେରିକାର କ୍ଷମତା ପରିବର୍ତ୍ତନ ଏମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ହୋଇଥିବା ବେଳେ ଏଥିଲାଗି ସାଇବର ହ୍ୟାକରଙ୍କୁ ନିୟୋଜିତ କରିଛନ୍ତି। ଏନେଇ ଷ୍ଟେଟ୍ ଡିପାର୍ଟମେଣ୍ଟଙ୍କୁ ସୂଚନା ମିଳିଥିବା ସୂଚନା ଅନୁସାରେ ରିୱାର୍ଡ ଫର ଜଷ୍ଟିସ୍ (ଆରଏଫଜେ) ପ୍ରୋଗ୍ରାମ ମାଧ୍ୟମରେ ଏପରି ହ୍ୟାକରଙ୍କ ସୂଚନା ସଂଗ୍ରହ ପୁରସ୍କାର ଘୋଷଣା ହୋଇଛି । ବିଦେଶୀ ଶକ୍ତିଙ୍କ ସହ ମିଶି ସାଇବର ଗତିବିଧି ମାଧ୍ୟମରେ ନିର୍ବାଚନରେ ହସ୍ତକ୍ଷେପ କରିବାକୁ ଉଦ୍ୟମ କରୁଥିବା ବ୍ୟକ୍ତି ସମ୍ପର୍କରେ ସୂଚନା ସଂଗ୍ରହ ଲାଗି ଆରଏଫଜେ ପୁରସ୍କାର ରାଶି ଘୋଷଣା କରିଛନ୍ତି।
ତେବେ ଷ୍ଟେଟ୍ ଡିପାର୍ଟମେଣ୍ଟଙ୍କ ପୁରସ୍କାରକୁ ନେଇ ଲୋକେ ଏବେ ଦ୍ୱିବିଧାରେ ପଡିଛନ୍ତି। ବିଭାଗ ୧୦ ମିଲିୟନ ଡଲାର ପୁରସ୍କାର ଦେବେ ବୋଲି ଘୋଷଣା କରିଛନ୍ତି, ହେଲେ ସୂଚନାର ମୂଲ୍ୟାଙ୍କନ କିପରି ହେବ ସେ ନେଇ କୌଣସି ବିବରଣୀ ଦେଇ ନାହାନ୍ତି। ଆରଏଫଜେଙ୍କ ପୁରସ୍କାର ଘୋଷଣା କିଛି ନୂଆ କଥା ନୁହେଁ। ଚଳିତବର୍ଷ ଏପର୍ଯ୍ୟନ୍ତ ଏହିପରି ୨ଟି ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ଗୋଟିଏ ଉତ୍ତର କୋରିଆ ସରକାରଙ୍କ ହ୍ୟାକରଙ୍କ ସନ୍ଧାନଲାଗି ହୋଇଥିବା ବେଳେ ଅନ୍ୟଟି ୨ ନିର୍ଦ୍ଧିଷ୍ଟ ୟୁକ୍ରେନୀୟ ହ୍ୟାକରଙ୍କ ଲାଗି ଘୋଷିତ ହୋଇଛି। ଏଥିରୁ ଉତ୍ତର କୋରିଆ ହ୍ୟାକରଙ୍କ ଲାଗି ୫ ମିଲିୟନ ଡଲାର ପୁରସ୍କାର ଘୋଷଣା ହୋଇଥିବା ବେଳେ ୟୁକ୍ରେନୀୟ ହ୍ୟାକରଙ୍କ ଲାଗି ଆରଏଫଜେ ୧ ମିଲିୟନ ଡଲାରର ପୁରସ୍କାର ଘୋଷଣା କରିଛନ୍ତି। ତେବେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଉପରେ ବିଦେଶୀ ହ୍ୟାକରଙ୍କ ନଜର କିଛି ନୂଆ କଥା ନୁହେଁ। ଗତ ରାଷ୍ଟ୍ରପତି ନିର୍ବାଚନରେ ଋଷିୟ ହ୍ୟାକରମାନେ ରିପବ୍ଲିକାନ ରାଷ୍ଟ୍ରପତି ପ୍ରାର୍ଥୀ ହିଲାରୀ କ୍ଲିଣ୍ଟନଙ୍କ ଇ-ମେଲରୁ ସୂଚନା ଚୋରି କରି ଲିକ୍ କରିଦେଇଥିଲେ। ତେବେ ଚଳିତ ନିର୍ବାଚନରେ ଗଡବଡ ଲାଗି ଋଷିୟ ହ୍ୟାକରଙ୍କ ଉଦ୍ୟମ ସମ୍ପର୍କରେ ଗତ ଫେବୃଆରୀମାସରେ ଜଣାପଡିଥିବା ବେଳେ ଜୁନରେ ଗୁଗଲ ଚୀନ୍ ଓ ଇରାନ ସମର୍ଥୀତ ହ୍ୟାକର ଟ୍ରମ୍ପ ଓ ବିଡେନଙ୍କ ପ୍ରଚାରକୁ ପ୍ରଭାବିତ କରୁଥିବାର ଜାଣିବାକୁ ପାଇଥିଲେ।