କିଏ ସେ ଏସିଆ ବିବି, ତାଙ୍କ ପାଇଁ ଆମେରିକା ସିନେଟ୍ ସଭ୍ୟଙ୍କ ଏତେ ଚିନ୍ତା କାହିଁକି ?
16/11/2018 at 3:54 PM

ଇସଲାମବାଦ ୧୬|୧୧: ଜଣେ ପାକିସ୍ତାନୀ ମହିଳାଙ୍କ ପାଇଁ ବ୍ୟସ୍ତ ଆମେରିକା କଂଗ୍ରେସର ରିପବ୍ଲିକାନ ସିନେଟର ରାଣ୍ଡ୍ ପଲ୍ । ଏପରିକି ସେହି ମହିଳା ଜଣକୁ ଆମେରିକାରେ ରାଜନୈତୀକ ଆଶ୍ରୟ ଦେବା ଲାଗି ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୃଷ୍ଟି ଆକର୍ଷଣ ବି କରିଛନ୍ତି । ଏହି ପାକିସ୍ତାନୀ ମହିଳା ଜଣକ ହେଉଛନ୍ତି ଏସିଆ ବିବି । କେହି କେହି ତାଙ୍କୁ ଆସିଆ ଡାକନ୍ତି । ୪ ଟି ସନ୍ତାନର ଜନନୀ ଏସିଆ ବିବି ଏବେ ଏବେ ପାକିସ୍ତାନର ମୁଲତାନ ଜେଲ୍ରୁ ମୁକ୍ତ ହୋଇଛନ୍ତି । ପାକିସ୍ତାନ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ତାଙ୍କୁ ମୁକ୍ତ କରିଛନ୍ତି ଇମ୍ରାନ ଖାନ୍ ସରକାର । ୪୭ ବର୍ଷୀୟା ଏସିଆ ବିବିଙ୍କୁ ଜଣେ ବିଦ୍ରୋହୀନୀ ଚିତ୍ରଣ କରିଥିଲେ ପାକିସ୍ତାନ ସରକାର । ତେଙ୍କ ବିରୋଧରେ ଆଣିଥିଲେ ଦେଶଦ୍ରୋହ ଅଭିଯୋଗ । ସରକାର ଓ ଶାସନ ବିରୋଧରେ ସ୍ବର ଉତ୍ତୋଳନ ଲାଗି ତାଙ୍କୁ ଚୁପ୍ କରିବାକୁ ପାକିସ୍ତାନ ସରକାର ତାଙ୍କୁ ଗିରଫ କରି ଜେଲ ପଠାଇଦେଇଥିଲେ । ତାଙ୍କ ବିରୋଧରେ ଚାଲିଥିଲା ଦେଶଦ୍ରୋହ ଅଭିଯୋଗର ଶୁଣାଣି । କିନ୍ତୁ ସୁପ୍ରିମକୋର୍ଟ ଏସିଆ ବିବିଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗକୁ ଖାରଜ କରିଦେଇଛନ୍ତି । ଏହା ପରେ ବି ଏସିଆ ବିବିଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରିଛନ୍ତି ସିନେଟର ରାଣ୍ଡ୍ ପଲ୍ । କହିଛନ୍ତି, ଏସିଆ ବିବିଙ୍କ ହତ୍ୟା କରାଯାଇପାରେ । ସେଥିଲାଗି ଏସିଆ ବିବିଙ୍କୁ ଆମେରିକାରେ ରାଜନୈତୀକ ଆଶ୍ରୟ ଦେବା ଲାଗି ସେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଅନୁରୋଧ କରିଛନ୍ତି । ଏଥିଲାଗି ଏସିଆ ବିବିଙ୍କୁ ଆମେରିକା ନିମନ୍ତ୍ରଣ ଲାଗି ସେ ମତ ରଖିଛନ୍ତି । ମାନବିକତା ଦୃଷ୍ଟିରୁ ଏପରି ପଦକ୍ଷେପ ନେବାଲାଗି ସେ ଟ୍ରମ୍ପଙ୍କୁ ଅନୁରୋଧ କରିଛନ୍ତି ।ଆମେରିକୀୟ ଥିଙ୍କ୍ ଟ୍ୟାଙ୍କ୍ ର ଜଣେ ବରିଷ୍ଠ ସଦସ୍ୟ ମଧ୍ୟ ଏସିଆ ବିବିଙ୍କ ସୁରକ୍ଷା ପାଇଁ ଦାବି କରିବା ସହ ଏଥିପାଇଁ ଏସିଆ ବିବି ଆମେରିକା ସରକାରଙ୍କୁ ଅନୁରୋଧ କରିବାକୁ ପରାମର୍ଶ ଦେଇଛନ୍ତି । ଏସିଆ ବିବି ପାକିସ୍ତାନରେ ମାନବିକ ଅଧିକାର ଏବଂ ନାଗରିକଙ୍କ ମୌଳିକ ଅଧିକାର ଓ ଲିଙ୍ଗଗତ ସମାନତା ଆଦି ପ୍ରସଙ୍ଗରେ ମୁହଁ ଖୋଲିବାରୁ ତାଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ଆଣିଥିଲେ ପାକ୍ ସରକାର ।