ଚୀନ ପ୍ରତି ଆମେରିକାର ଶକ୍ତ ପଦକ୍ଷେପ : ହଙ୍ଗକଙ୍ଗ୍ ବିଲ୍ ବିରୋଧରେ ସିନେଟରେ ପାସ ହେଲା ପ୍ରସ୍ତାବ

Published By : Prameya-News7 Bureau | June 26, 2020 IST

ୱାଶିଂଟନ ୨୬/୦୬ : ଆମେରିକା ସିନେଟ ହଙ୍ଗକଙ୍ଗ ସହ ଜଡିତ ବିବାଦୀୟ ଆଇନକୁ ନେଇ ଚୀନ ଉପରେ ପ୍ରତିବନ୍ଧକ ଲଗାଇବାକୁ ମଞ୍ଜୁରୀ ଦେଇଛି | ସିନେଟ ଏହି ଆଇନ ସମ୍ବନ୍ଧୀୟ ବିଲ ପାସ କରିଛି | ଚୀନର ଯେଉଁସବୁ ଅଧିକାରୀ, ବ୍ୟବସାୟୀ ଓ ବ୍ୟାଙ୍କ ହଙ୍ଗକଙ୍ଗର ସ୍ୱାୟତ୍ତତାକୁ ଅଙ୍କୁଶ ଲଗାଇବାକୁ ପ୍ରୟାସ କରିଥିଲେ ସେମାନଙ୍କ ଉପରେ ସିନେଟ ପ୍ରତିବନ୍ଧକ ଲଗାଇଛି | ଡେମୋକ୍ରାଟ ଓ ରିପବ୍ଲିକ ସିନେଟରଙ୍କ ଦ୍ୱାରା ପ୍ରସ୍ତାବିତ ଏହି ବିଲକୁ ସିନେଟ ପାସ କରିଛି |

ଏହା ପୂର୍ବରୁ ଚଳିତ ମାସରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ସେହି ବିଲରେ ଦସ୍ତଖତ କରିଥିଲେ | ଚୀନରେ ଉଇଗର ମୁସଲମାନମାନଙ୍କୁ ପ୍ରତାଡ଼ିତ କରୁଥିବା ଚୀନ ଅଧିକାରୀଙ୍କୁ ଦଣ୍ଡିତ କରିବା ପାଇଁ ଏହି ବିଲରେ ପ୍ରସ୍ତାବ ରଖାଯାଇଥିଲା | ଏହାପରେ ପରେ ଚୀନ ଓ ଆମେରିକା ମଧ୍ୟରେ ଉତ୍ତେଜନା ବଢିଥିଲା | ଇତି ମଧ୍ୟରେ ଚୀନକୁ ଦଣ୍ଡିତ କରିବା ପାଇଁ ଆମେରିକାର ଆଉ ଏକ ଆଇନ ପ୍ରଣୟନ ହେବା ଦିଗରେ ରହିଛି |

ସୂଚନାଯୋଗ୍ୟ ଯେ, ଚୀନ ସଂସଦ ହଙ୍ଗକଙ୍ଗରେ ନୂଆ ରାଷ୍ଟ୍ରୀୟ ସୁରକ୍ଷା ଆଇନ ଲାଗୁ କରିବାକୁ ମଞ୍ଜୁରୀ ଦେଇଥିଲେ | ଗତବର୍ଷ ହଙ୍ଗକଙ୍ଗରେ ହୋଇଥିବା ହିଂସା ପରେ ଚୀନ ଏହି ନିଷ୍ପତ୍ତି ନେଇଥିଲା | ଚୀନ ସରକାର ତାଙ୍କ ବିରୋଧରେ ଉଠିଥିବା ସବୁ ସ୍ୱରକୁ ଦବେଇ ଦେବାକୁ ଚାହୁଁଛନ୍ତି | ସେଥିପାଇଁ ସେ ନୂଆ ଆଇନ ଜରିଆରେ ହଙ୍ଗକଙ୍ଗ ପ୍ରଦର୍ଶନକାରୀଙ୍କୁ ଦୁର୍ବଳ କରିବାକୁ ପ୍ରୟାସ କରିଥିଲା |

ଚୀନ ଦାବି କରିଛି ଯେ ହଙ୍ଗକଙ୍ଗରେ ଗୋଟିଏ ଦେଶ ଦୁଇ ବ୍ୟବସ୍ଥା ଆଇନ ଲାଗୁ କରିବ | ଏହି ନୂଆ ଆଇନ ଜରିଆରେ ଚୀନ ହଙ୍ଗକଙ୍ଗର ଅର୍ଧ ସ୍ୱାୟତ୍ତତା ଦର୍ଜାକୁ ସମାପ୍ତ କରିବାକୁ ଚାହୁଁଛି | ଏହି ଆଇନ ଅନୁଯାୟୀ ହଙ୍ଗକଙ୍ଗର ବିଶେଷ ପ୍ରଶାସନିକ କ୍ଷେତ୍ରର ପ୍ରମୁଖ ପ୍ରଶାସକ ହଙ୍ଗକଙ୍ଗରେ ରାଷ୍ଟ୍ରୀୟ ସ୍ୱାର୍ଥ୍ୟ ରକ୍ଷା କରିବାକୁ କର୍ତବ୍ୟ କରିବେ | ସେ ନିୟମିତ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ |

NPC ର ସ୍ଥାୟୀ କମିଟି ଚଳିତ ବର୍ଷ ଅଗଷ୍ଟ ସୁଦ୍ଧା ହଙ୍ଗକଙ୍ଗରେ ରାଷ୍ଟ୍ରୀୟ ସୁରକ୍ଷା ସମ୍ବନ୍ଧୀୟ ଆଇନ ବ୍ୟବସ୍ଥା ଲାଗୁ କରିବେ | ଏହା ସହିତ ସମ୍ବନ୍ଧିତ ଆଇନ ହଙ୍ଗକଙ୍ଗରେ ବର୍ତ୍ତମାନ ପ୍ରଚଳିତ ଆଇନ ସହିତ ସାମିଲ କରିବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.