Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ହଙ୍ଗକଙ୍ଗ୍ ପ୍ରସଙ୍ଗକୁ ନେଇ ଆମେରିକା ସଂସଦରେ ବିଧେୟକ ଗୃହୀତ, ଚୀନ୍ ଉପରେ ଲାଗିବ କଟକଣା

3/07/2020 at 1:22 PM

ୱାସିଂଟନ :  ହଙ୍ଗକଙ୍ଗରେ ଚୀନ୍‌ ଲାଗୁ କରିଥିବା କଡ଼ା ରାଷ୍ଟ୍ରୀୟ ସୁରକ୍ଷା ଆଇନକୁ ନେଇ ଆମେରିକା ସଂସଦରେ ବିଧେୟକ ଗୃହୀତ ହୋଇଛି। ଚୀନ୍‌ ବିରୋଧରେ କଡ଼ା ପ୍ରତିବନ୍ଧକ ଲଗାଇବା ଲାଗି ବିଧେୟକରେ ବ୍ୟବସ୍ଥା ରହିଛି।  ହଙ୍ଗକଙ୍ଗରେ ଚୀନ୍‌ ବିବାଦୀୟ ଆଇନ ଲଗୁ କରିବା ପରେ ସାରା ଦେଶରେ ଆନ୍ଦୋଳନ ଜୋରଦାର ହୋଇଛି। ଏପରି ଆଇନ ବ୍ୟକ୍ତି ସ୍ୱାଧୀନତା ବି ଛଡାଇ ନେବ ବୋଲି ଏବେ ଲୋକେ ସନ୍ଦେହ କରୁଛନ୍ତି।

ଆମେରିକା ଗୃହୀତ କରିଥିବା ବିଧେୟକ ଅନୁସାରେ ହଙ୍ଗକଙ୍ଗରେ ଆନ୍ଦୋଳନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କଲେ ଚୀନ୍‌ ଅଧିକାରୀଙ୍କ ବିରୋଧରେ ପ୍ରତିବନ୍ଧକ ଲଗାଯିବ। ସେହିପରି ଏପରି ଆଇନ ପ୍ରଣୟନ ଲାଗି ଚୀନ୍‌ କମ୍ୟୁନିଷ୍ଟ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ଉପରେ ମଧ୍ୟ କଟକଣା ଲାଗିବ। ଏହାଛଡା ଆଇନର ଉଲ୍ଲଂଘନ କରୁଥିବା ଲୋକଙ୍କ ସହ କାରବାର ପାଇଁ ସମ୍ବଦ୍ଧିତ ବ୍ୟାଙ୍କ ମଧ୍ୟ ଆମେରିକା କଟକଣାରୁ ବାଦ ପଡିବେ ନାହିଁ। ଆମେରିକା ସିନେଟ୍ ଗୁରୁବାର ବିଧେୟକଙ୍କୁ ଚୂଡାନ୍ତ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାର ଦିନକ ପୂର୍ବର ପ୍ରତିନିଧି ସଭା ମଧ୍ୟ ବିଧେୟକକୁ ଅନୁମୋଦନ ପ୍ରଦାନ କରିଥିଲେ।

ସିନେଟ୍ ଓ ପ୍ରତିନିଧି ସଭାର ଅନୁମୋଦନ ପରେ ବିଧେୟକ ଆଇନରେ ପରିଣତ ହେବା ଲାଗି ହ୍ୱାଇଟ୍‌ ହାଉସ୍‌କୁ  ଯିବ। ତେବେ ବିଦେଶୀ ଶକ୍ତିଙ୍କ କୌଣସି ଚାପ ଚୀନ୍‌ର ସଂକଳ୍ପ, ଜାତୀୟ ସୌର୍ବଭୌମତା, ହଙ୍ଗକଙ୍ଗର ସମୃଦ୍ଧି ଓ ସ୍ଥିରତା ଲାଗି ଇଛାଶକ୍ତିକୁ ଦୋହଲାଇ ପାରିବନି ବୋଲି ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି। ତେବେ ଲିଜିୟନ ଆମେରିକାକୁ ଅନ୍ତର୍ଜାତୀୟ ଆଇନ ପାଳନ ସହ ହଙ୍ଗକଙ୍ଗ ମାମଲାରେ ହସ୍ତକ୍ଷେପ କରି ଏପରି ବିଧେୟକରେ ହ୍ୱାଇଟ୍‌ ହାଉସ୍ ସ୍ୱାକ୍ଷର ନ କରନ୍ତୁ ବୋଲି ଅନୁରୋଧ କରିଛନ୍ତି।

   Related Posts