ଟିକାକରଣ ଉପରୁ ହଟିଲା ବ୍ୟାନ୍, ରକ୍ତ ଜମାଟ ବାନ୍ଧିବା ପରେ ବି ଜନସନ୍ ଆରମ୍ଭ କରିବ ଭ୍ୟାକ୍ସିନେସନ

Published By : Prameya-News7 Bureau | April 24, 2021 IST

ନୂଆଦିଲ୍ଲୀ ୨୪।୪: ଆମେରିକାର ସ୍ବାସ୍ଥ୍ୟ ଅଧିକାରୀ ଜନସନ ଆଣ୍ଡ ଜନସନ କମ୍ପାନୀର ମାତ୍ର ଗୋଟିଏ ଡୋଜ୍ ଟିକାରେ କୋଭିଡ୍-୧୯ ଟିକାକରଣ ଉପରେ ୧୧ ଦିନିଆ ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି।  ବୈଜ୍ଞାନିକ ପରାମର୍ଶଦାତାମାନେ ଜାଣିବାକୁ ପାଇଥିଲେ ଯେ ଏହାର ପ୍ରଭାବ ରକ୍ତ ଜମାଟ ବାନ୍ଧିବା ବିପଦଠାରୁ ବହୁ ଅଧିକ ଅଟେ । ଏହାପରେ ଏହି ପ୍ରତିବନ୍ଧକକୁ ହଟାଇବାକୁ ନିଷ୍ପତ୍ତି ନିଆଗଲା ।  ସରକାର ଏହି ଟିକାକରଣର ୮୦ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ଏପରି ୧୫ ଜଣଙ୍କୁ ଚିହ୍ନଟ କରିଥିଲେ ଯେଉଁମାନଙ୍କଠାରେ ରକ୍ତ ଜମାଟ ବାନ୍ଧିବା ଦେଖିବାକୁ ମିଳିଥିଲା । ସେମାନେ ସମସ୍ତେ ମହିଳା ଥିଲେ । ଯେଉଁମାନଙ୍କର ବୟସ ୫୦ ବର୍ଷରୁ କମ୍ ଥିଲା । ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

କିନ୍ତୁ ଶେଷରେ ଶୁକ୍ରବାର ଦିନ ଖାଦ୍ୟ ଏବଂ ଡ୍ରଗ୍ ଆଡମିନିଷ୍ଟ୍ରେସନ (ଏଫଡିଏ) ଓ ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (ସିଡିସି) ନିଷ୍ପତ୍ତି ନେଇଛି ଯେ, ଜନସନ ଆଣ୍ଡ ଜନସନ କମ୍ପାନୀର ଗୋଟିଏ ଡୋଜ୍ ଟିକା କରୋନା ମହାମାରୀ ସହ ଲଢିବାରେ ମହତ୍ବପୂର୍ଣ୍ଣ ଭୂମିକା ନେବ । ଏହା ସହିତ ଏହା ମଧ୍ୟ କୁହାଯାଇଛି ଯେ, ରକ୍ତ ଜମାଟ ବାନ୍ଧିବା ଭଳି ଛୋଟ ବିପଦକୁ ଚେତାବନୀ ଦେଇ ଏହି ଟିକାର ପ୍ରୟୋଗ କରାଯିବା ଉଚିତ । ଯାହା ଦ୍ବାରା କମ୍ ବୟସର ମହିଳାମାନେ ଟିକା ନେବେ କି ଅନ୍ୟ କୌଣସି ବିକଳ୍ପ ବାଛିବେ।

ସିଡିସି ନିର୍ଦ୍ଦେଶକ ଡକ୍ଟର ରୋଚେଲ ଓ୍ବାଲେସ୍କି ଏହା କହିଛନ୍ତି ଯେ, ଆମ ନିଷ୍ପତ୍ତିରେ ସ୍ବାସ୍ଥ୍ୟ ଏବଂ ନିରାପତ୍ତା ସବୁଠୁ ଅଧିକ ଗୁରୁତ୍ବ ଦିଆଯାଇଛି । ସେ କହିଛନ୍ତି, ଆମର ଟିକା ସୁରକ୍ଷା ପ୍ରଣାଳୀ କାମ କରୁଛି। ଆମେ ଜନସନ ଆଣ୍ଡ୍ ଜନସନର ଲକ୍ଷ ଲକ୍ଷ ଡୋଜରୁ ବିରଳ ଘଟଣା ଦେଖିଛୁ । କ୍ରମାଗତ ଭାବରେ ତାହା ଉପରେ ନଜର ରଖିଛୁ । ଆମେରିକାର ଏହି ନିଷ୍ପତ୍ତି ସିଡିସି ପରାମର୍ଶଦାତାଙ୍କ ଅନୁସନ୍ଧାନ ପରେ ହିଁ ଆସିଛି । ଯେଉଁମାନେ ଟିକାକରଣ ଆରମ୍ଭ କରିବା ସପକ୍ଷରେ ୧୦ ଭୋଟ୍ ଦେଇଛନ୍ତି । ମାତ୍ର ବିଶେଷଜ୍ଞମାନେ ବିପଦ ଚେତାବନୀ ଦେବାକୁ ମଧ୍ୟ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.