ଆମେରିକାର ବଡ଼ ଘୋଷଣା: ଚୀନ୍ କମ୍ୟୁନିଷ୍ଟ ପାର୍ଟି କର୍ମକର୍ତ୍ତା ଓ ଅଧିକାରୀଙ୍କୁ ଦେବନି ଭିସା

Published By : Prameya-News7 Bureau | June 27, 2020 IST

ୱାସିଂଟନ:  ବେଳକୁ ବେଳ ଚୀନ୍-ଆମେରିକା ତିକ୍ତତା ବଢିବାରେ ଲାଗିଛି। ଏହି କ୍ରମରେ ଶୁକ୍ରବାର ୟୁଏସ୍‌ ସେକ୍ରେଟାରୀ ଅଫ ଷ୍ଟେଟ୍‌ ମାଇକ୍‌ ପମ୍ପେୟୋ ଚୀନ୍‌ କମ୍ୟୁନିଷ୍ଠ ପାର୍ଟି କାର୍ଯ୍ୟକର୍ତ୍ତା ଓ ଅଧିକାରୀଙ୍କ ଲାଗି ଭିସା କଟକଣା ଲାଗୁ କରାଯାଇଥିବା ଘୋଷଣା କରିଛନ୍ତି। ଏହି କଟକଣାରେ କର୍ମକର୍ତ୍ତା ଓ ଅଧିକାରୀଙ୍କ ପରିବାର ମଧ୍ୟ ସାମିଲ ବୋଲି ପମ୍ପେୟୋ ସ୍ପଷ୍ଟ କରିଦେଇଛନ୍ତି।

ଚୀନ୍‌ ଅଧିକାରୀମାନେ ହଙ୍ଗକଙ୍ଗର ସ୍ୱାୟତ୍ତତା, ମାନବାଧିକାର ଓ ମୌଳିକ ସ୍ୱାଧୀନତା କ୍ଷୁର୍ଣ୍ଣ କରୁଥିବାରୁ  ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପରି କଟକଣା ଲାଗୁ କରିଥିବା ପମ୍ପେୟୋ କହିଛନ୍ତି। ସେ କହିଛନ୍ତି ଯେ ୧୯୮୪ ଚୀନ-ବ୍ରିଟେନ୍‌ ମିଳିତ ଘୋଷଣାପତ୍ରରେ ଏଥିଲାଗି ଗ୍ୟାରେଣ୍ଟି ପ୍ରଦାନ କରାଯାଇଥିଲେ ମଧ୍ୟ ଏହାକୁ କ୍ଷୁର୍ଣ୍ଣ କରିବାରେ ଚୀନ୍‌ ଅଧିକାରୀଙ୍କ ଭୂମିକା ରହିଛି। ଏଣୁ ଆମେରିକାରେ ଅବସ୍ଥାନ କରୁଥିବା ଚୀନ୍‌ କମ୍ୟୁନିଷ୍ଟ ପାର୍ଟି କାର୍ଯ୍ୟକର୍ତ୍ତା ଓ ଅଧିକାରୀଙ୍କ ଲାଗି କଟକଣା ଲାଗୁ ବୋଲି ପମ୍ପେୟୋ ଘୋଷଣା କରିଛନ୍ତି।

କରୋନା ଭାଇରସ୍‌ ସଂକଟ ଚୀନ-ଆମେରିକା ସମ୍ପର୍କକୁ ତିକ୍ତ କରିଛି। ଭୂତାଣୁ ସଂକ୍ରମଣ ଆମେରିକାରେ ଗୁରୁତର ପରିସ୍ଥିତି ସୃଷ୍ଟି କରିଛି। ତେବେ ଭୂତାଣୁର ଭୟାବହତା ନେଇ ଚୀନ ପ୍ରଥମରୁ ରକ୍ଷଣଶୀଳ ମନଭାବ ପୋଷଣ କରିବା ଏବେ ସାରା ବିଶ୍ୱକୁ ତାର ମୂଲ୍ୟ ଦେବାକୁ ପଡୁଛି। ତେବେ ଆମେରିକା ଭୂତାଣୁ ଦ୍ୱାରା ଗୁରୁତର ପ୍ରଭାବିତ ହୋଇଥିବା ବେଳେ ଏଥିଲାଗି ଚୀନ୍‌କୁ ଦାୟି କରୁଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.