କରୋନା ସଙ୍କଟ ମଧ୍ୟରେ କିମଙ୍କୁ ଚିଠି ଲେଖିଲେ ଟ୍ରମ୍ପ, ମହାମାରୀର ମୁକାବିଲା ଲାଗି ବଢାଇଲେ ସହଯୋଗର ହାତ
22/03/2020 at 4:46 PM

ଓ୍ଵାଶିଂଟନ ୨୨।୦୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ ଜୋଙ୍ଗ ଉନଙ୍କୁ ବ୍ୟକ୍ତିଗତ ଚିଠି ଲେଖି ସୁସଂପର୍କ ସ୍ଥାପନ ଲାଗି ଅପିଲ୍ କରିଛନ୍ତି। ଏହା ସହିତ ଟ୍ରମ୍ପ ବିଶ୍ଵ ମହାମାରୀ କରୋନା ଭାଇରସ୍ ବିରୋଧରେ ସହଯୋଗର ହାତ ବଢାଇବାକୁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି। କିମ୍ଙ୍କ ଭଉଣୀ ରବିବାର ଏହି ସୂଚନା ଦେଇଛନ୍ତି।
ଏହି ଚିଠି ଏମିତି ସମୟରେ ପଠାଯାଇଛି ଯେବେ ଉତ୍ତର କୋରିଆ ସପ୍ତାହର ଶେଷ ଆଡକୁ ମିସାଇଲ ପରୀକ୍ଷଣ କରିଥିଲା। ‘କୋରିୟନ ସେଣ୍ଟ୍ରାଲ ନ୍ୟୁଜ୍ ଏଜେନ୍ସି’ କିମଙ୍କ ଭଉଣୀ ଓ କ୍ଷମତାସୀନ ପାର୍ଟିର ବରିଷ୍ଠ ଅଧିକାରୀ କିମ ୟୋ ଜୋଙ୍ଗ ସୂତ୍ରରୁ କହିଛି ଯେ, ଏମିତି ସମୟରେ ଚିଠି ପଠାଇବା ପାଇଁ ଟ୍ରମ୍ପ ପ୍ରଶଂସାର ପାତ୍ର। କାରଣ ଦୁଇ ଦେଶ ମଧ୍ୟରେ ସମ୍ବନ୍ଧ ସ୍ଥାପନ ଲାଗି ଅନେକ ମୁସ୍କିଲ ପଥ ଅତିକ୍ରମ କରିବାର ଅଛି।
ଚିଠିରେ କୁହାଯାଇଛି ଯେ, ଟ୍ରମ୍ପ ଦୁଇ ଦେଶ ମଧ୍ୟରେ ସଂପର୍କ ବୃଦ୍ଧି କରିବା ନିଜର ଯୋଜନା ଅବଗତି କରାଇଛନ୍ତି ଓ କରୋନା ଭାଇରସ ପ୍ରତିରୋଧ ଲାଗି ସହଯୋଗର ହାତ ବଢାଇବାକୁ ଇଚ୍ଛା ବ୍ୟକ୍ତ କରିଛନ୍ତି। ଏ ସଂପର୍କରେ ହ୍ଵାଇଟ୍ ହାଉସ୍ ପକ୍ଷରୁ ଅଦ୍ୟାବଧି କୌଣସି ପ୍ରତିକ୍ରିୟା ଆସିନାହିଁ।
ଉଲ୍ଲେଖଯୋଗ୍ୟ, ଆମେରିକା ରାଷ୍ଟ୍ରପତି ମାଇକ ପେନ୍ସ ଓ ତାଙ୍କର ପତ୍ନୀ କାରେନ ପେନ୍ସଙ୍କଠାରେ କରୋନା ନେଗେଟିଭ ଆସିଛି। ହ୍ଵାଇଟ୍ ହାଉସ୍ ପକ୍ଷରୁ ଉଚ୍ଚ ପଦସ୍ଥ ଅଧିକାରୀ ଶନିବାର ଏହାର ସୂଚନା ଦେଇଛନ୍ତି। ପେନ୍ସ ଓ ତାଙ୍କର ପତ୍ନୀ କରୋନା ଭୂତାଣୁର ଯାଞ୍ଚ ତେବେ କରାଇଲେ ଯେବେ ଉପରାଷ୍ଟ୍ରପତିଙ୍କ ଟିମର ଏକ ସଦସ୍ୟ କରୋନା ସଂକ୍ରମିତ ହେଲେ।