ଆମେରିକା ରାଷ୍ଟ୍ରପତି‌ଙ୍କ ସାନ ଭାଇ ରବର୍ଟ ଟ୍ରମ୍ପ୍‌ଙ୍କ ପରଲୋକ

Published By : Prameya-News7 Bureau | August 16, 2020 IST

ଓ୍ବାଶିଂଟନ୍ ୧୬।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାନ ଭାଇ ରବର୍ଟ ଟ୍ରମ୍ପଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ସେ ନ୍ୟୁୟର୍କର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ହ୍ବାଇଟ୍ ହାଉସ ଦ୍ବାରା ଜାରି କରାଯାଇଥିବା ଏକ ବିବୃତ୍ତି ଅନୁଯାୟୀ ଶନିବାର ଦିନ ରବର୍ଟଙ୍କ ଦେହାନ୍ତ ହୋଇଛି । ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ଭାଇଙ୍କୁ ଶୁକ୍ରବାର ଦିନ ନ୍ୟୁୟର୍କ ସିଟି ହସ୍ପିଟାଲରେ ଭେଟିଥିଲେ ।

ଡୋନାଲ୍ଡ ଟ୍ରମ୍ପ ଏକ ବିବୃତ୍ତିରେ କହିଛନ୍ତି, ‘ମୋତେ ଦୁଃଖ ମନରେ କହିବାକୁ ପଡୁଛି ଯେ ମୋ ଭାଇ ମୋର ଅତି ନିକଟତର ଥିଲେ । ସେ କେବଳ ମୋର ଭାଇ ନୁହଁନ୍ତି ବରଂ ସବୁଠୁ ଭଲ ବନ୍ଧୁ ମଧ୍ୟ ଥିଲେ । ସେ ସବୁବେଳେ ମୋ ହୃଦୟରେ ବଞ୍ଚି ରହିବେ । ରବର୍ଟ, ମୁଁ ତୁମକୁ ଭଲ ପାଏ।’

ଏଭଳି ଦୁଃଖଦ ଘଟଣା ସେହି ସମୟରେ ଘଟିଛି ​​ଯେତେବେଳେ ଡୋନାଲ୍ଡ ଟ୍ରମ୍ପ କ୍ରମାଗତ ଭାବେ ଦ୍ବିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହେବାକୁ ଉଦ୍ୟମ ଜାରି ରଖିଛନ୍ତି । କୁହାଯାଉଛି ଯେ ଟ୍ରମ୍ପଙ୍କ ନିର୍ବାଚନ ଅଭିଯାନ ଟିମ୍ ଭାରତୀୟ-ଆମେରିକୀୟ, ଶିଖ୍, ମୁସଲମାନ ଏବଂ ଅନ୍ୟ ଦକ୍ଷିଣ ଏସୀୟ ସମ୍ପ୍ରଦାୟର ଭୋଟରଙ୍କୁ ଆକର୍ଷିତ କରିବା ପାଇଁ  ୪ଟି ନୂଆ ସଂଗଠନ ଗଠନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.