ଇରାନ୍‌କୁ ଟ୍ରମ୍ପ୍‌ଙ୍କ ଚେତାବନୀ, ୫୨ଟି ଆଡ୍ଡା ଉପରେ ହେବ ବିଧ୍ବଂସକ ଆକ୍ରମଣ

Published By : Prameya-News7 Bureau | January 05, 2020 IST

ଓ୍ବାଶିଂଟନ୍ ୫।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଇରାନକୁ ଚେତାବନୀ ଦେଇଛନ୍ତି । ଟ୍ରମ୍ପ୍ କହିଛନ୍ତି ଯେ, ଆମେରିକା ସୈନ୍ୟ ଇରାନର ୫୨ ଆଡ୍ଡା ଚିହ୍ନଟ କରିସାରିଛନ୍ତି । ଯଦି ଆଗକୁ ଇରାନ ଆମେରିକାର କୌଣସି ସଂପତି କିମ୍ବା ଜନସାଧାରଣଙ୍କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରେ ତେବେ ବିଧ୍ବଂଶକ ଆକ୍ରମଣ କରାଯିବ ।

ଇରାକରେ ଥିବା ଆମେରିକୀୟ ଦୂତାବାସ ଏବଂ ବଲାଦ ଏୟାର ବେସ୍ ଉପରେ ରକେଟ୍ ମାଡ ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଇରାନର କମାଣ୍ଡର ଜେନେରାଲ କାସିମ ସୁଲେମାନୀଙ୍କ ମୃତ୍ୟୁ ପରେ ଶନିବାର ବିଳମ୍ବିତ ରାତିରେ (ଭାରତୀୟ ସମୟ) ବାଗଦାଦରେ ଥିବା ଆମେରିକୀୟ ଦୂତାବାସ ଏବଂ ବଲାଦ ଏୟାର ବେସ୍ ଉପରେ ଇରାନର ସମର୍ଥିତ ମିଲିସିଆମାନେ ରକେଟ୍ ମାଡ କରିଛନ୍ତି ।

ଏହି ରକେଟ୍‌ ଆକ୍ରମଣ ପରେ ଫ୍ଲୋରିଡାରେ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏଭଳି ଧମକପୂର୍ଣ୍ଣ ସନ୍ଦେସ ଇରାନ୍ ସହ ସାରା ବିଶ୍ବକୁ ଦେଇଛନ୍ତି । ଟ୍ରମ୍ପ୍ କହିଛନ୍ତି ଯେ, ଆମେରିକା ଉପରେ ପ୍ରତିଶୋଧ ନେବା ପାଇଁ ଇରାନ୍ ଏଭଳି ଆମେରିକା ଏୟାର ବେସ୍ ଉପରେ ଆକ୍ରମଣ କରିଛି । ପ୍ରକୃତରେ କାସିମ ସୁଲେମାନୀକୁ ମାରି ଆମେରିକା ସାରା ବିଶ୍ବକୁ ଆତଙ୍କୀ ନେତା କବଳରୁ ମୁକ୍ତି ଦେଇଛି । ସୁଲେମାନୀ ଆମେରିକୀୟଙ୍କ ସମେତ କେତେକଙ୍କୁ ମାରି ସାରିଛି । ସେମାନଙ୍କ ମଧ୍ୟରେ ଇରାନୀ ମଧ୍ୟ ସାମିଲ ଅଛନ୍ତି ।

ଇରାନ୍ ଦ୍ବାରା ବନ୍ଦୀ କରାଯାଇଥିବା ୫୨ ସୈନ୍ୟଙ୍କ ଉଦ୍ଦେଶ୍ୟରେ ଆମେରିକା ଇରାନର ୫୨ ଆଡ୍ଡା ଚିହ୍ନଟ କରିସାରିଛି । ଏହି ଆଡ୍ଡା ଭିତରୁ କେତେକ ଆଡ୍ଡା ଇରାନ୍ ର ସଂସ୍କୃତି ପାଇଁ ବେଶ୍ ମହତ୍ବପୂର୍ଣ୍ଣ ରହିଛି । ଏହିସବୁ ଆଡ୍ଡା ଉପରେ କ୍ଷୀପ୍ର ଏବଂ ଶକ୍ତଭାବେ ଆକ୍ରମଣ କରାଯିବ ।

ଆକ୍ରମଣକାରୀଙ୍କୁ ମଧ୍ୟ ଟ୍ରମ୍ପ୍ ଧମକ ଦେଇଛନ୍ତି । ଆକ୍ରମଣକାରୀଙ୍କୁ ଖୋଜିବା ସହ ସେମାନଙ୍କୁ ମାରି ଦିଆଯିବ ବୋଲି ମଧ୍ୟ ଟ୍ରମ୍ପ୍ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆତଙ୍କବାଦୀମାନଙ୍କ ପ୍ରତି ଆମେରିକାର ନୀତି ସ୍ପଷ୍ଟ ରହିଛି । ଯେକେହି ବି ଆମେରିକୀୟଙ୍କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବା ପାଇଁ ଚିନ୍ତା କରୁଥାଏ ତେବେ ସେମାନଙ୍କୁ ଉଚିତ୍ ଶାସ୍ତି ଦିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.