ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍, ଚଳିତ ମାସ ୨୪ ଓ ୨୫ରେ ଦୁଇ ଦିନିଆ ଗସ୍ତ

Published By : Prameya-News7 Bureau | February 11, 2020 IST

ନୂଆଦିଲ୍ଲୀ ୧୧।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୪-୨୫ ଫେବୃଆରୀରେ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ଆମେରିକା ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କର ଏହା ପ୍ରଥମ ଭାରତ ଗସ୍ତ । ଟ୍ରମ୍ପଙ୍କ ଭାରତ ଗସ୍ତ ନେଇ ହ୍ବାଇଟ୍ ହାଉସ୍ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି । ଗସ୍ତ ତାରିଖ ମଧ୍ୟ ଘୋଷଣା କରାଯାଇଛି । ହ୍ବାଇଟ୍ ହାଉସ୍ ପକ୍ଷରୁ କରାଯାଇଥିବା ଟ୍ବିଟ୍ ରେ ଦର୍ଶାଯାଇଛି ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୪-୨୫ ଫେବୃଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭେଟିବାକୁ ଭାରତ ଗସ୍ତରେ ଯିବେ ।

ଟ୍ବିଟ୍ ରେ ଏହା ମଧ୍ୟ କୁହାଯାଇଛି ଯେ, ଟ୍ରମ୍ପଙ୍କ ଏହି ଗସ୍ତ ଆମେରିକା-ଭାରତର ରଣନୀତିକ ସଂପର୍କକୁ ଆହୁରି ମଜବୁତ କରିବ । ଆମେରିକୀୟ ଏବଂ ଭାରତୀୟଙ୍କ ମଧ୍ୟରେ ସଂପର୍କକୁ ମଜବୁତ କରିବ ବୋଲି କୁହାଯାଇଛି । ଏହି ଗସ୍ତ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ମଧ୍ୟ ରହିବେ ।

ଟ୍ରମ୍ପ୍ ଏବଂ ତାଙ୍କ ପତ୍ନୀ ମେଲାନିଆଙ୍କ ଗୁଜୁରାଟ ଯିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଗୁଜୁରାଟ ସରକାର ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡିଛି । ଆହମ୍ମଦାବାଦ ସ୍ଥିତ ମୋଟେରା ଅଞ୍ଚଳରେ ଥିବା ସର୍ଦାର ପଟେଲ କ୍ରିକେଟ୍ ଷ୍ଟାଡିୟମ୍ ର ଉଦଘାଟନ ମଧ୍ୟ ଟ୍ରମ୍ପଙ୍କ ହାତରେ ହେବ ବୋଲି ଚର୍ଚ୍ଚା ହେଉଛି ।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ଦୁଇ ଥର ଭାରତ ଗସ୍ତରେ ଆସିଥିଲେ । ଓବାମା ପ୍ରଥମ ଥର ୨୦୧୦ରେ ଏବଂ ଦ୍ବିତୀୟ ଥର ୨୦୧୫ରେ ଭାରତ ଗସ୍ତରେ ଆସିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.