ସରିନି ନିର୍ବାଚନ, ପ୍ରେସିଡେନସିଆଲ ଇନାଗୁରେସନ ଲାଗି ପ୍ରସ୍ତୁତି ଆରମ୍ଭ କଲାଣି ଆମେରିକା, ଜାନୁୟାରୀ ୨୦ରେ ହେବ ସମାରୋହ

Published By : Prameya-News7 Bureau | October 24, 2020 IST

ୱାସିଂଟନ: ଆମେରିକା ଏବେ ରାଷ୍ଟ୍ରପତିଙ୍କ ଲାଗି ଏକକାଳୀନ ଦୁଇ ଦୁଇଟି ପ୍ରସ୍ତୁତିରେ ଲାଗିଛି। ଏଥିରେ ଗୋଟିଏ ପ୍ରସ୍ତୁତି ୩ ନଭେମ୍ବର   ନିର୍ବାଚନ ଲାଗି ଚଳାଯାଇଥିବା ବେଳେ ତାହା ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଅନ୍ୟ ପ୍ରସ୍ତୁତିଟି ପ୍ରେସିଡେନସିଆଲ ଇନାଗୁରେସନ ଲାଗି, ଯାହା ଏବେ  ଆରମ୍ଭ ହୋଇଛି। ଦେଶରେ କରୋନା ଭାଇରସ ମହାମାରୀ ବିଭିଷିକାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଣୁ  ଅତ୍ୟନ୍ତ ସାବଧାନତା ପୂର୍ବକ ପ୍ରସ୍ତୁତି ଚଳାଯାଇଥିବା କଂଗ୍ରେସ ମୁଖପାତ୍ର ପେଜ୍ ୱାଲ୍ଟଜ୍ କହିଛନ୍ତି। 

{"id":350129,"sizeSlug":"large"}

ଆମେରିକା ସମ୍ବିଧାନର ବିଂଶତମ ଶଂସୋଧନ ପ୍ରକାରେ ଜାନୁୟାରୀ ୨୦ ତାରିଖରେ ହେବ ପ୍ରେସିଡେନସିଆଲ ଇନାଗୁରେସନ କାର୍ଯ୍ୟକ୍ରମ। ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ କାର୍ଯ୍ୟକ୍ରମରେ ସ୍ୱାଗତ କରାଯିବ। ପୂର୍ବତନ ରାଷ୍ଟ୍ରପତି ରୋନାଲ୍ଡ ରେଗନଙ୍କ ଦ୍ୱାରା ସ୍ଥାପିତ ପରମ୍ପରା ଅନୁସାରେ ଆମେରିକୀୟ ସଂସଦର ପଶ୍ଚିମ ପାର୍ଶ୍ୱରେ ଏଥିଲାଗି ମଞ୍ଚ ପ୍ରସ୍ତୁତି ଲାଗି କମିଟି ମତଦେଇଛନ୍ତି। ସେହି ଅନୁସାରେ ସଂସଦ ସ୍ଥପତି ଏବେ ମଞ୍ଚର ପୁନରୁଦ୍ଧାର ଚଳାଇଛନ୍ତି। 

{"id":350130,"sizeSlug":"large"}

ଏହି ମଞ୍ଚ ନୂଆ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି, କଂଗ୍ରେସ ସଦସ୍ୟ, ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତି ଓ ବିଦାୟୀ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କ ସମେତ ମୋଟ ୧୬ଶହ ଜଣଙ୍କୁ ଧାରଣ କରିପାରିବ। ତେବେ କରୋନାକାଳ ହୋଇଥିବାରୁ ମଞ୍ଚକୁ ସେହି ଅନୁସାରେ କରାଯାଉଥିବା କଂଗ୍ରେସ ମୁଖପାତ୍ର ୱାଲ୍ଟଜ୍ କହିଛନ୍ତି। ଆମେରିକାରେ ପ୍ରେସିଡେନସିଆଲ ଇନାଗୁରେସନର ସାକ୍ଷୀ ହେବାକୁ  ଦେଶଜାକର ଲୋକେ ନ୍ୟାସନାଲ ମଲ୍‌ରେ ଏକତ୍ରିତ ହୁଅନ୍ତି। ଯେଉଁଠୁ କାର୍ଯ୍ୟକ୍ରମକୁ ସ୍ପଷ୍ଟ ଦେଖି ହୁଏ। ତେବେ କୋଭିଡ-୧୯ ଯୋଗୁ ସମୟ ଏବେ ପୂର୍ବପରି ନାହିଁ। ଏଣୁ ଏଥର କାର୍ଯ୍ୟକ୍ରମରେ ଲୋକେ କିପରି ନିଜକୁ ସମ୍ପୃକ୍ତ କରିବା ତାହା ଏବେଠାରୁ ସ୍ପଷ୍ଟ ହୋଇପାରୁନାହିଁ।

{"id":350131,"sizeSlug":"large"}

ତେବେ  ଏହି କାର୍ଯ୍ୟକ୍ରମର ଦେଖରେଖ କରୁଥିବା ୬ ସଦସୀୟ କମିଟି ଏହା ଯେପରି ପାରମ୍ପରିକ, ସମାବେଶୀ ଓ ସୁରକ୍ଷିତ ହୋଇପାରିବ ସେଥିପ୍ରତି ପ୍ରତିଶ୍ରୁତି ବଦ୍ଧ ଥିବା ୱାଲ୍ଟଜ୍ କହିଛନ୍ତି। ତେବେ ଏହି ସମାରୋହ ଲାଗି ଏବେବି ହାତରେ ଆହୁରି ୩ ମାସ ସମୟ ଅଛି। ତଥାପି କମିଟି ପରିସ୍ଥିତି ଉପରେ ନଜର ରଖିଥିବା ବେଳେ ପ୍ରତିଟି ଘଟଣାବଳୀର ସୂଚନା ଦେଉଥିବା ସେ କହିଛନ୍ତି। ଉତ୍ସବ ପରେ ନବ ନିର୍ବାଚିତ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଜାତୀୟ ଷ୍ଟାଚ୍ୟୁଟାରୀ ହଲ୍‌ରେ ଅନୁଷ୍ଠିତ ମଧ୍ୟାହ୍ନ ଭୋଜରେ ଯୋଗଦେବେ। ଯେଉଁଠି ଭାଷଣ ଓ ଉପହାର ନେବା ଓ ଦେବାର ଆସର ଜମିବ। ଏଠାରେ ଏହି ପରମ୍ପରା ୧୯୫୩ ମସିହାରୁ ତତ୍କାଳୀନ ରାଷ୍ଟ୍ରପତି ଡ୍ୱାଇଟ୍‌ ଡି.ଇଜେନହାୱରଙ୍କ ସମୟରୁ  ଚଳିଆସୁଛି। ଯେତେବେଳେ ଇଜେନହାୱାର ଓ ତାଙ୍କ ପତ୍ନୀ ପୁରୁଣା ସିନେଟ୍ ଚାମ୍ବରରେ ମିଳିତ କମିଟିର ୫୦ ଜଣ ସଦସ୍ୟଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ।

{"id":350132,"sizeSlug":"large"}

ପ୍ରଥା ଅନୁସାରେ ୩ ନଭେମ୍ବର ନିର୍ବାଚନ ପରେ ନିର୍ବାଚିତ ରାଷ୍ଟ୍ରପତିଙ୍କ ପକ୍ଷରୁ ଏକ ନିରପେକ୍ଷ ପ୍ରତିନିଧିଙ୍କ କମିଟି ଗଠିତ ହେବ। ଏହି କମିଟି ପ୍ରେସିଡେନସିଆଲ ଇନାଗୁରେସନର କମିଟି ସହ ମିସି ସଂସଦଠାରୁ ଦୂରରେ କାର୍ଯ୍ୟକ୍ରମ ଆୟୋଜନର ଦେଖରେଖ କରିବେ। ଏହା ପୂର୍ବରୁ ଇନାଗୁରେସନ କମିଟି ଉଦ୍ୟାନ ବିଭାଗଙ୍କ ସହ ମିଳିତ ଭାବେ ନିର୍ବାଚିତ ରାଷ୍ଟ୍ରପତିଙ୍କ ଲାଗି ଗଣମାଧ୍ୟମକୁ ସମ୍ବୋଧନ ନିମନ୍ତେ ମିଡିଆ ଷ୍ଟାଣ୍ଡ, ଇନାଗୁରାଲ ସେରିମନି ପରେଡରେ ନିର୍ବାଚିତ ରାଷ୍ଟ୍ରପତି ଓ ତାଙ୍କ କର୍ମଚାରୀଙ୍କ ଲାଗି ସ୍ଥାନ ଆଦି ନିର୍ମାଣ କରୁଥିବା ଦେଖାଯାଇଛି। ଯାହା ଲାଫେଟ ପାର୍କ କୁ ଲାଗି ହ୍ୱାଇଟ ହାଉସ୍ କଡରେ ନିର୍ମିତ ହେଉଛି।

{"id":350133,"sizeSlug":"large"}

ସେପଟେ ଶକ୍ତି ବିଭାଗ ଅନ୍ତର୍ଗତ ଆଣବିକ ସୁରକ୍ଷା ପ୍ରଶାସନ ଏବେ ଦିନବେଳା ସ୍ୱଳ୍ପ ଉଚ୍ଚତାରେ ସଂସଦ ଆଖପାଖରେ ହେଲିକପ୍ଟର ପାଟ୍ରୋଲ କରାଉଛନ୍ତି। ପାଟ୍ରୋଲିଂରେ ସାମିଲ ହେଲିକପ୍ଟରଗୁଡିକ ସ୍ୱତନ୍ତ୍ର ଧରଣର ଓ ଏଥିରେ ଅତ୍ୟାଧୁନିକ ବିକିରଣ ସମ୍ବେଦନ ଟେକ୍ନୋଲଜି ଲାଗିଥିବା ବିଭାଗ କହିଛି। ଯାହା ଜନସାଧାରଣଙ୍କ ସୁରକ୍ଷା ଲାଗି ପାଟ୍ରୋଲିଂ କରୁଥିବା କୁହାଯାଉଛି।

{"id":350135,"sizeSlug":"large"}

ଆମେରିକା ରାଷ୍ଟ୍ରପତିଙ୍କ ସ୍ୱାଗତ ଲାଗି ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମ ମେଟ୍ରୋ ଅଞ୍ଚଳର ଆର୍ଥିକ ବିକାଶ ଲାଗି ଦୀର୍ଘ ବର୍ଷରୁ  ସହାୟକ ହୋଇଆସୁଛି। କାରଣ ଆମେରିକା ରାଷ୍ଟ୍ରପତିଙ୍କ ସ୍ୱାଗତ କାର୍ଯ୍ୟକ୍ରମରେ ଯୋଗଦେବାକୁ ଦେଶ ବିଦେଶର ବିଭିନ୍ନ ସ୍ଥାନରୁ ଲୋକେ ୱାସିଂଟନ ଡିସି ପହଞ୍ଚିବା ସହ ସ୍ଥାନୀୟ ହୋଟେଲମାନଙ୍କରେ ରହଣୀ କରନ୍ତି। ଏଣୁ ପ୍ରେସିଡେନସିଆଲ ଇନାଗୁରେସନ ବେଳେ ସ୍ଥାନୀୟ ହୋଟେଲ ଓ ରେଷ୍ଟୁରାଣ୍ଟଙ୍କ ଚାହିଦା ବେଶ୍ ବଢିଯାଇଥାଏ।

{"id":350137,"sizeSlug":"large"}

୨୦୨୧ ରେ ହେବାକୁ ଥିବା ସମାରୋହରେ ଏଥର ବିଦେଶୀ ଆଗନ୍ତୁକଙ୍କ ଆଗମନ ହେବ କି ନା ସେ ନେଇ ଏବେଠୁ ସ୍ପଷ୍ଟ କୁହାଯାଇପାରୁ ନାହିଁ। ତେବେ ନୂଆ  ରାଷ୍ଟ୍ରପତିଙ୍କ ଭଳି ଦ୍ୱିତୀୟବାର ରାଷ୍ଟ୍ରପତି ନିର୍ବାଚିତଙ୍କ ଲାଗି ସ୍ୱାଗତ କାର୍ଯ୍ୟକ୍ରମ ଏତେ ଭବ୍ୟ ହେବ ନାହିଁ ବୋଲି କହିଛନ୍ତି ଡେଷ୍ଟିନେସନ ଡିସିର ସିଇଓ ତଥା ଅଧ୍ୟକ୍ଷ ଇଲିୟଟ ଫର୍ଗୁସନ। ତେବେ ପ୍ରେସିଡେନସିଆଲ ଇନାଗୁରେସନ ବେଳେ ଲୋକଙ୍କ ୱାସିଂଟନ ଆଗମନ ଲୋକଙ୍କ ଇଛା ଓ ସେତେବେଳର କରୋନା ପାଣିପାଗ ଉପରେ ନିର୍ଭର କରେ ବୋଲି ଇଲିୟଟ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.