ଆମେରିକା ରାଷ୍ଟ୍ରପତିଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଓ’ ବ୍ରିଏନ୍ Covid+ ଚିହ୍ନଟ
27/07/2020 at 9:28 PM

ୱାସିଂଟନ ୨୭।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ରବ୍ରଟ ଓ’ ବ୍ରେଇନ୍ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବ୍ରିଏନ୍ ପ୍ରଥମ ଶୀର୍ଷ ଆମେରିକୀୟ ଅଧିକାରୀ ଜିଏ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ହ୍ୱାଇଟ୍ ହାଉସ୍ ପକ୍ଷରୁ ପୁଷ୍ଟି କରାଯାଇଥିବା ବେଳେ ବ୍ରିଏନ୍ ଆଂଶିକ ଆକ୍ରାନ୍ତ ବୋଲି କୁହାଯାଇଛି। କରୋନା ପଜିଟିଭ ଚିହ୍ନଟ ହେବା ପରେ ସେ ନିଜ ପକ୍ଷରୁ ସଙ୍ଗରୋଧକୁ ଯାଇଥିବା ବେଳେ ସୁରକ୍ଷିତ ସ୍ଥାନରେ ରହି କାର୍ଯ୍ୟ କରୁଛନ୍ତି।

ତାଙ୍କ ପଟରୁ ରାଷ୍ଟ୍ରପତି ଅଥବା ଉପରାଷ୍ଟ୍ରପତିଙ୍କର ସଂକ୍ରମିତ ହେବାର ସମ୍ଭାବନା ନଥିବା ହ୍ୱାଇଟ୍ ହାଉସ୍ ସ୍ପଷ୍ଟ କରିଛନ୍ତି। ସେହିପରି ଜାତୀୟ ସୁରକ୍ଷା ପରିଷଦରେ ତାଙ୍କ କାର୍ଯ୍ୟ ମଧ୍ୟ ସେ ଅବାଧରେ କରିପାରୁଥିବା କୁହାଯାଇଛି। ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା କୋଭିଡ ଆକ୍ରାନ୍ତ ହୋଇଥିବା ନେଇ ବ୍ଲୁମବର୍ଗ ପ୍ରଥମେ ଖବର ପ୍ରସାରଣ କରିଥିଲେ। ଏକ ପାରିବାରିକ କାର୍ଯ୍ୟକ୍ରମରେ ସେ କୋଭିଡ ଆକ୍ରାନ୍ତ ହୋଇଥିଲେ ବୋଲି ସମ୍ବାଦ ସଂସ୍ଥା ସୂଚିତ କରିଥିଲେ।

ଓ’ବ୍ରିଏନଙ୍କ ପୂର୍ବରୁ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ପ୍ରେସ ସଚିବମାନେ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ନଜିର ରହିଛି। ଏବେ ସାରା ଦେଶରେ ୪ ନିୟୁତରୁ ଅଧିକ ଲୋକେ କରୋନା ଆକ୍ରାନ୍ତ ହୋଇଛନ୍ତି। ପରିସ୍ଥିତିର ଜଟିଳତାକପ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ସହକାର୍ଯ୍ୟ କରୁଥିବା ଅଧିକାରୀ ଓ କର୍ମଚାରୀଙ୍କର କୋଭିଡ ଟେଷ୍ଟ କରାଯାଉଥିବାର ହ୍ୱାଇଟ୍ ହାଉସ୍ କର୍ତ୍ତୃପକ୍ଷ ସୂଚିତ କରିଛନ୍ତି।