ଏମିତି ବି ଲୋକ ସାହାଯ୍ୟ କରନ୍ତି : ଖାଇଲେ ୧୫ ହଜାର ଟଙ୍କାର, ୱେଟରଙ୍କୁ ଟିପ୍ ଦେଲେ ୩ ଲକ୍ଷ
17/12/2020 at 2:50 PM

ୱାସିଂଟନ ୧୭/୧୨ : ହୋତେ ରେସ୍ତୋରାଁରେ ଖାଇବା ପରେ ଲୋକେ ସାଧାରଣତଃ ୱେଟରଙ୍କୁ ଟିପ୍ ଦେଇଥାନ୍ତି। ୱେଟରଙ୍କ ଭଲ ବ୍ୟବହାର, ସେବା ଓ ଶାଳୀନତାକୁ ଦେଖି ଲୋକେ ତାଙ୍କୁ ଟିପ୍ ଦେଇଥାନ୍ତି। ତେବେ ଟିପ୍ ରାଶି ସାଧାରଣତଃ ଛୋଟ ହୋଇଥାଏ। କିନ୍ତୁ ଜଣେ ବ୍ୟକ୍ତି ନିଜ ବିଲ୍ ଆମାଉଣ୍ଟରୁ ଅଧିକ ଟିପ୍ ଦେଇଛନ୍ତି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଆମେରିକା ପେଂସିଲ୍ବେନିୟାରୁ ଏହିଭଳି ଏକ ମାମଲା ସାମ୍ନାକୁ ଆସିଛି।
ପେଂସିଲ୍ବେନିୟା ସ୍ଥିତ ଏକ ଇଟାଲିୟନ ରେସ୍ତୋରାଁରେ ଜଣେ ବ୍ୟକ୍ତି ଖାଇବାକୁ ଆସିଥିଲେ। ବ୍ୟକ୍ତି ଜଣକ ସେଠାରେ ଖାଇଥିଲେ। ତାଙ୍କ ଖାଇବା ବିଲ୍ ପାଖାପାଖି ୨୦୫ ଡଲାର ଅର୍ଥାତ ପାଖାପାଖି ୧୫ ହଜାର ଟଙ୍କା ହୋଇଥିଲା। ବ୍ୟକ୍ତି ଜଣକ ନିଜ ବିଲ୍ ବଦଳରେ ୱେଟରଙ୍କୁ ୫ ହଜାର ଡଲାର୍, ପାଖାପାଖି ୩.୬୭ ଲକ୍ଷ ଟଙ୍କା ଟିପ୍ ଦେଇଥିଲେ। ଟିପ୍ ପାଇଁ ୱେଟର୍ ଓ ରେସ୍ତୋରାଁରେ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ଏହି ବିଲର ଫଟୋ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି। ଫଟୋ ଉପରେ ଲୋକେ ମଜାଳିଆ କମେଣ୍ଟ ଦେଇଛନ୍ତି।

ଫଟୋ ଡିସେମ୍ବର ୧୨ ତାରିଖରେ ପୋଷ୍ଟ କରାଯାଇଥିଲା। ଫଟୋ ସହ ଲେଖାଯାଇଥିଲା, ‘ଆମ ପାଖେ ଧନ୍ୟବାଦ ଛଡା ଆଉ କିଛି ଭାଷା ନାହିଁ। ଆମ କର୍ମଚାରୀକୁ ଏକ ଅବିଶ୍ୱାସନୀୟ ସହାୟତା ମିଳିଛି।’ ଆପଣମାଙ୍କ ପ୍ରତି ଆମର ବହୁତ ସ୍ନେହ ଓ ଭଲପାଇବା ରହିଛି ବୋଲି ରେସ୍ତୋରାଁ କହିଛି।
କରୋନା ମହାମାରୀ ଯୋଗୁଁ ସମସ୍ତଙ୍କ ବ୍ୟବସାୟ ବାଣିଜ୍ୟ ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ଅନେକ ବ୍ୟବସାୟ ବନ୍ଦ ହୋଇଯିବାରୁ ଅନେକ କୋଟି କୋଟି ଲୋକଙ୍କ ଚାକିରୀ ଚାଲିଯାଇଥିଲା, କାମ ନ ପାଇ ଅନେକ ଲୋକ ବେକାର ହୋଇଗଲେ। ସ୍ଥିତି ଏବେ ବି ସାମାନ୍ୟ ହୋଇନି। କିନ୍ତୁ ଅନଲକ ପରେ ଲୋକେ ସତର୍କ ହୋଇ ପୁଣି ଜୀବନ ଜିଇଁବା ଆରମ୍ଭ କରିଛନ୍ତି।