ଚୀନ୍କୁ ଚେକ୍ ଦେବାକୁ ଆମେରିକାକୁ ଭାରତ ଭଳି ବନ୍ଧୁ ଦରକାର : ନିକ୍କି ହେଲୀ
2/09/2020 at 5:18 PM

ନୂଆଦିଲ୍ଲୀ ୨।୯: ପୂର୍ବତନ ଆମେରିକୀୟ ରାଜଦୂତ ନିକ୍କି ହେଲୀ ଏକ କାର୍ଯ୍ୟକ୍ରମରେ ଚୀନ୍କୁ ସିଧା ଟାର୍ଗେଟ୍ କରିଛନ୍ତି। ହୀନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ବାସ୍ତବ ବନ୍ଧୁ କିଏ ତାହା ଏବେ ଆମେରିକା ଜାଣି ସାରିଥିବା କହିଛନ୍ତି। ଦୀର୍ଘବର୍ଷରୁ ଚୀନ୍ ନିଜର ଜନ ସଂଖ୍ୟା ଓ ଏଥିଯୋଗୁ ଦାରିଦ୍ର୍ୟତାର ଦ୍ୱାହୀ ଦେଇ ଆମେରିକାକୁ ଲୁଟି ଆସୁଥିଲା। ହେଲେ ଏବେ ହୀନ୍ଦ-ପ୍ରଶାନ୍ତ ରଣନୀତିରୁ ଏହା ଚୀନର ଛଳନା ବୋଲି ଟ୍ରମ୍ପ ପ୍ରଶାସନ ଜଣି ସାରିଥିବା ନିକ୍କି କହିଛନ୍ତି।

ମଙ୍ଗଳବାର ଅନୁଷ୍ଠିତ ଭାରତ-ଆମେରିକା ଶିଖର ବାର୍ତ୍ତା ଅବସରରେ ନିକ୍କି କହିଛନ୍ତି ଯେ ଭାରତ ପଟୁ ଆମେରିକା ଲାଗି କୌଣସି ବିପଦ ନଥିବା ଏବେ ସ୍ପଷ୍ଟ ହୋଇଯାଇଛି। ଏଣୁ ଭାରତ-ଆମେରିକା ଭାବର ଆଦାନପ୍ରଦାନରେ କୌଣସି ବାଧା ନାହିଁ। ୟୁଏସ୍ ଇଣ୍ଡିଆ ଷ୍ଟ୍ରାଟେଜିକ ଏଣ୍ଡ ପାର୍ଟନରସିପ୍ ଫୋରମ ଶିର୍ଷକ ଏହି ବାର୍ତ୍ତାରେ ନିକ୍କି ଭର୍ଚୁଆଲ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ଆମେରିକୀୟ ନେତାମାନେ ଭାବୁଥିଲେ ଯେ ଯଦି ଚୀନ ସହ ସମ୍ପର୍କ ଭଲ ହୁଏ ଓ ତା ଲାଗି ଅଧିକରୁ ଅଧିକ ସୁବିଧା କରାଯାଏ ହୁଏତ ପାଶ୍ଚାତ୍ୟ ଭଳି ଚୀନ୍ ମଧ୍ୟ ଅଧିକ ଲୋକତାନ୍ତ୍ରିକ ହୋଇପାରିବ। ହେଲେ ଆମେରିକୀୟ ନେତାଙ୍କ ଏପରି ବିଚାର ଭୁଲ ଥିଲା ବୋଲି ଏବେ ସ୍ପଷ୍ଟ ହୋଇଯାଇଛି। ରଣନୈତିକ ଗୁରୁତ୍ୱ ରଖୁଥିବା ହୀନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ଭାରତ ନେତୃତ୍ୱ ନେଉ ବୋଲି ଚାହେଁ ଆମେରିକା। ଯାହାକୁ ଅନ୍ୟ ଦେଶମାନେ ଚୀନର କ୍ରମବର୍ଦ୍ଧିଷ୍ଣୁ ଦାଦାଗିରି ରୋକିବା ଲାଗି ଏକ ଉଦ୍ୟମ ଦୃଷ୍ଟିରେ ଦେଖୁଛନ୍ତି।
I am proud of the Indian community of the US. I am proud of their work ethic, of their assimilation, of the value that the Indian diaspora brings to all sectors of American life. pic.twitter.com/o5CGH2vlK7
— Nikki Haley (@NikkiHaley) September 1, 2020
ତେବେ ଆମେରିକା ନେତୃବର୍ଗଙ୍କୁ ଏବେ ଏହା ବୁଝିବାକୁ ହେବ ଯେ ଚୀନ୍ ତାର ସାମ୍ୟବାଦ ନୀତିରେ ରହିବାକୁ ଚାହୁଁଛି ଓ ଏଥିରୁ ତାକୁ କେହି ଓହରାଇ ପାରିବେନି। ଏଣୁ ହୀନ୍ଦ-ପ୍ରାଶାନ୍ତ ରଣନୀତିରେ ଆଗକୁ ବଢୁଥିବା ଆମେରିକା ଏବେ ବୁଝି ପାରୁଥିବ ତାର ପ୍ରକୃତ ବନ୍ଧୁ କିଏ ଓ ଏଥିଲାଗି ଭାରତକୁ ମଧ୍ୟ ଆଗକୁ ଆସିବା ଦରକାର ବୋଲି କହିଛନ୍ତି ନିକ୍କି। ରିପବ୍ଲିକାନ ପାର୍ଟି ପକ୍ଷରୁ ନିକ୍କି ହେଲୀଙ୍କୁ ୨୦୨୪ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଏବେ ଦେଖାଯାଉଛି।