ଓ୍ଵାଶିଂଟନ-ବେଜିଂ ବିବାଦ ତୀବ୍ର: ୭୨ ଘଣ୍ଟା ଭିତରେ ବାଣିଜ୍ୟିକ ଦୂତାବାସ ବନ୍ଦ କରିବାକୁ ଟ୍ରମ୍ପଙ୍କ ଆଦେଶ, ଗୋପନୀୟ ଦସ୍ତାବିଜ ପୋଡିଲା ଚୀନ

Published By : Prameya-News7 Bureau | July 22, 2020 IST

ଓ୍ଵାଶିଂଟନ ୨୨।୦୭: ଆମେରିକା ଏକ ଅପ୍ରତ୍ୟାଶିତ ପଦକ୍ଷେପ ନେଇ ଚୀନକୁ ହ୍ୟୁଷ୍ଟନ ସ୍ଥିତ ନିଜର ବାଣିଜ୍ୟିକ ଦୂତାବାସକୁ ୭୨ ଘଣ୍ଟା ଭିତରେ ବନ୍ଦ କରିବାକୁ ଆଦେଶ ଦେଇଛି। ଆମେରିକାର ଏହି ଆଦେଶ ପରେ ଚୀନୀ ଦୂତାବାସର କର୍ମଚାରୀ ଗୋପନୀୟ ଦସ୍ତାବିଜ ଜଳାଉଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଆମେରିକାର ଏହି ପଦକ୍ଷେପ ପରେ ଚୀନ ଉତ୍‌କ୍ଷୀପ୍ତ ହୋଇ ଉଠିଛି। ଏପରିକି ଆବଶ୍ୟକ ଜବାବ ଦେବାକୁ ମଧ୍ୟ ଧମକ ଦେଇଛି।

କୁହାଯାଉଛି ଯେ, ଆମେରିକା ଚୀନ ସହିତ ଜାରି ତିକ୍ତତାକୁ ଦୃଷ୍ଟିରେ ରଖି ହ୍ୟୁଷ୍ଟନର ବାଣିଜ୍ୟିକ ଦୂତାବାସକୁ ବନ୍ଦ କରିବାକୁ ଆଦେଶ ଦେଇଛି। ଏଥିପାଇଁ ଆମେରିକା ଚୀନକୁ ୭୨ ଘଣ୍ଟାର ମହଲତ ଦେଇଛି। ଏତେ କମ ସମୟରେ ଦୂତାବାସ ଖାଲି କରିବା ଆଦେଶରେ ଚୀନ ବୈଦେଶିକ ମନ୍ତ୍ରଣାଳୟରେ ଚାଞ୍ଚଲ୍ୟ ଖେଳି ଯାଇଛି। ଚୀନ ବୈଦେଶିକ ମନ୍ତ୍ରଣାଳୟ ଏହା ଉପରେ କଡା ପ୍ରତିକ୍ରିୟା ପ୍ରକାଶ କରିଛି।

wp:html /wp:html

ଚୀନର ବୈଦେଶିକ ମନ୍ତ୍ରଣାଳୟ ଆମେରିକାର ଏହି ପଦକ୍ଷେପକୁ କଡା ନିନ୍ଦା କରିଛି। ଯଦି ଆମେରିକା ନିଜର ଏହି ଭୁଲ୍ ନିଷ୍ପତ୍ତିକୁ ପ୍ରତ୍ୟାହାର ନକରେ ତେବେ ନ୍ୟାୟୋଚିତ ଓ ଆବଶ୍ୟକ ଜବାବି କାର୍ଯ୍ୟାନୁଷ୍ଠାନ ନିଆଯିବ। ଅପରପକ୍ଷେ ଆମେରିକାର ଆଦେଶ ପରେ ଚୀନୀ ଦୂତାବାସରେ ଚହଳ ପଡିଛି। କେବଳ ଏତିକି ନୁହେଁ ଚୀନ କର୍ମଚାରୀ ବଡ ସଂଖ୍ୟାରେ ଗୋପନୀୟ ଦସ୍ତାବିଜ ଜାଳୁଥିବା ଦେଖିବାକୁ ମିଳିଛି।

ପରିସ୍ଥିତି ଏମିତି ହୋଇଛି ଯେ,  ନିଆଁ ଜଳୁଥିବା ଦେଖି ହ୍ୟୁଷ୍ଟନର ଅଗ୍ନିଶମ ବିଭାଗର ଗାଡି ଘଟଣାସ୍ଥଳରେ ପହଞ୍ଚି ଯାଇଛି। ମାତ୍ର ସେମାନେ ଦୂତାବାସ ଭିତରକୁ ଯାଇ ନାହାନ୍ତି। ଚୀନର ଦୂତାବାସ ଭିତରୁ ଜଳୁଥିବା ନିଆଁର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ଆମେରିକାର ଏହି ପଦକ୍ଷେପ ପରେ ଦୁଇ ଦେଶ ମଧ୍ୟରେ ବିବାଦ ଆହୁରି ବଢିବା ସହିତ ତିକ୍ତତା ମଧ୍ୟ ବଢିବାର ଆଶଙ୍କା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.