ଆମେରିକୀୟ ସ୍ଵାସ୍ଥ୍ୟ ଅଧିକାରୀଙ୍କ ଚେତାବନୀରେ ଉଡିଲା ଟ୍ରମ୍ପଙ୍କ ହୋସ୍, ୧ ଲକ୍ଷ ଟପିପାରେ ମୃତ୍ୟୁ ସଂଖ୍ୟା

Published By : Prameya-News7 Bureau | March 30, 2020 IST

ନ୍ୟୁୟର୍କ ୩୦।୦୩: ଘାତକ ହତିଆର ଓ ମଜବୁତ ଅର୍ଥବ୍ୟବସ୍ଥା ଦମରେ ପୂରା ଦୁନିଆରେ ରାଜ୍ କରୁଥିବା ଆମେରିକା ମଧ୍ୟ କୋଭିଡ୍ ୧୯ ସାମ୍ନାରେ ବିବଶ ନଜର ଆସୁଛି। ଡୋନାଲ୍ଡ ଟ୍ରମ୍ପଙ୍କ ସରକାର ସମସ୍ତ ପ୍ରୟାସ ଜାରି ରଖିଛନ୍ତି, ହେଲେ ଏହି ସୂକ୍ଷ୍ମ କରୋନା ନିୟନ୍ତ୍ରଣ ହେଉନାହିଁ। କ୍ରମାଗତ ଲୋକଙ୍କୁ ନିଜର ଶିକାର କରି ଚାଲିଛି। ପରିସ୍ଥିତି ଏମିତି ଯେ, ଆମେରିକା କରୋନାରେ ଦୁନିଆର ସବୁଠୁ ଅଧିକ ସଂକ୍ରମିତ ଦେଶରେ ପରିଣତ ହୋଇଛି। ଏଠାରେ ଏକ ଲକ୍ଷରୁ ଅଧିକ ପଜିଟିଭ୍ କେସ୍ ସାମ୍ନାକୁ ଆସିଛି।

ଏହି ଚ୍ୟାଲେଞ୍ଜ ସାମ୍ନାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ବିବଶ ଦେଖା ଯାଉଛନ୍ତି। ଏହା ମଧ୍ୟରେ ନ୍ୟାସନାଲ ଇନଷ୍ଟିଚ୍ୟୁୟଟ୍ ଅଫ ଏଲର୍ଜି ଆଣ୍ଡ ଇମ୍ଫେକ୍ସନ ଡିଜିଜ୍(NIAIED)ର ନିର୍ଦ୍ଦେଶକ ଯେଉଁ ଅନୁମାନ କରିଛନ୍ତି ସେଥିରେ ଟ୍ରମ୍ପ ସରକାରଙ୍କ ଅବସ୍ଥା ଆହୁରି ଦୟନୀୟ ହେବାକୁ ଯାଉଛି।

{"id":246435,"sizeSlug":"large"}

NIAIEDର ନିର୍ଦ୍ଦେଶକ ଡଃ. ଆନ୍ଥୋନୀ ଫୌସିଙ୍କ ଅନୁମାନ ବହୁତ ଭୟାନକ ରହିଛି। ସେ କହିଛନ୍ତି ଯେ, ଆଗାମୀ କିଛି ଦିନରେ ଆମେରିକାରେ ଲକ୍ଷାଧିକ ଲୋକ କୋଭିଡ୍ ୧୯ର ଶିକାର ହେବେ। ଏହି ଭାଇରସରେ ଏକ ଲକ୍ଷରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିପାରେ। ଉଲ୍ଲେଖନୀୟ ଆମେରିକାରେ ନ୍ୟୁୟର୍କରେ କରୋନାର ପ୍ରକୋପ ସବୁଠୁ ଅଧିକ ରହିଛି। ଏହି ସହୟରରେ ହଜାର ସଂଖ୍ୟକ ସଂକ୍ରମଣ ମାମଲା ସାମ୍ନାକୁ ଆସି ସାରିଛି। ତଥାପି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନ୍ୟୁୟର୍କକୁ କ୍ଵାରେନଟାଇନ କରିବାକୁ ନିଷ୍ପତ୍ତି ନେଇ ନାହାନ୍ତି।

{"id":246438,"sizeSlug":"large"}

ଦୁନିଆର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାରେ ରବିବାର ସୁଦ୍ଧା ଏକ ଲକ୍ଷ ୩୦ ହଜାର କରୋନା ରୋଗୀ ଚିହ୍ନଟ ହୋଇ ସାରିଛନ୍ତି। ଏହି ମାରାତ୍ମକ ରୋଗରେ ୨୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟି ସାରିଛି। ଆମେରିକା ପରେ ଇଟାଲୀ ଓ ସ୍ପେନରେ ଅବସ୍ଥା ଶୋଚନୀୟ ରହିଛି। ଦୁଇ ଦେଶ ଦ୍ଵିତୀୟ ବିଶ୍ଵ ଯୁଦ୍ଧ ପରେ ସବୁଠୁ ବଡ ସଙ୍କଟ ଦେଇ ଗତି କରୁଛନ୍ତି। ଡାକ୍ତରଙ୍କ ପାଖରେ ସୀମିତ ସମ୍ବଳ ମଧ୍ୟରେ ରୋଗୀଙ୍କ ଚିକିତ୍ସା ବ୍ୟତୀତ ଆଉ କୌଣସି ବିକଳ୍ପ ନାହିଁ।

ଦୁନିଆରେ ଏ ପର୍ଯ୍ୟନ୍ତ କରୋନା ଭାଇରସରେ ୩୩ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଲାଣି। ଏବେ ଏହି ଭାଇରସ୍ ଆମେରିକାର ଡେଟ୍ରାଏଟ, ନ୍ୟୁ ଅରଲିନ୍ସ ଓ ଚିକାଗୋ ପର୍ଯ୍ୟନ୍ତ ବ୍ୟାପିଲାଣି। ଏପରିକି ଆମେରିକାର ଗ୍ରାମୀଣ ଅଞ୍ଚଳରେ ମଧ୍ୟ କରୋନାର ପ୍ରକୋପ ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.