Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘ଗୋଲ୍ଡେନ ଷ୍ଟେଟ୍ କିଲର’କୁ ଆଜୀବନ କାରାଦଣ୍ଡାଦେଶ, ଜାଣନ୍ତୁ ତା ଲୋମ ଟାଙ୍କୁରା ଅପରାଧର କାହାଣୀ

22/08/2020 at 6:23 PM

ସାକ୍ରାମେଣ୍ଟୋ କାଉଣ୍ଟି : ଅନୁନ୍ୟ ୧୩ଟି ହତ୍ୟା, ୫୦ରୁ ଅଧିକ ଦୁଷ୍କର୍ମ ଓ ଶହଶହ ଡକୈତୀ, ସିନ୍ଧିଚୋରି କରି ଏକଦା କାଲିଫର୍ଣ୍ଣିଆ ପୋଲିସର ନିଦ ହଜେଇ ଦେଇଥିବା କୁଖ୍ୟାତ ସିରିଏଲ କିଲର ଜୋସେଫ ଜେମ୍ସ ଡିଏଙ୍ଗ୍ଲୋ ଓରଫ ‘ଗୋଲ୍ଡେନ ଷ୍ଟେଟ୍ କିଲର’କୁ ଶେଷରେ କୋର୍ଟ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ୭୪ ବର୍ଷ ବୟସ୍କ ଡିଏଙ୍ଗ୍ଲୋ ଆମେରିକୀୟ ପୋଲିସ ଲାଗି ଏକ ସମୟରେ ରହସ୍ୟ ହୋଇ ରହିଥିଲା। ତାର ଅପରାଧକୁ ନେଇ ଆମେରିକାରେ ଅନେକ ଟେଲିଭିଜନ ସିରିୟେଲ ମଧ୍ୟ ପ୍ରସାରିତ ହୋଇଛି।

ଗୋଲ୍ଡେନ ଷ୍ଟେଟ୍‌ କିଲର ନାମରେ ଜଣାଶୁଣା ଡିଏଙ୍ଗ୍ଲୋ ଆମେରିକା ପୋଲିସର ଜଣେ ଅଧିକାରୀ ଥିଲା ବୋଲି ଏବେ ଜଣାପଡିଛି। ତେବେ କେବେ ଓ କେଉଁ ପରିସ୍ଥିତିରେ ବଞ୍ଚିବା ଲାଗି ସେ ଅପରାଧକୁ ରାସ୍ତା ବାଛି ନେଲା ତାହା ଏବେବି ରହସ୍ୟ ହୋଇ ରହିଛି। ତେବେ କୋର୍ଟ ଡିଏଙ୍ଗ୍ଲୋକୁ ବିନା ପାରୋଲରେ ବାକି ଜୀବନ ଜେଲରେ ବିତାଇବା ଲାଗି ନିର୍ଦ୍ଦେଶ ଦେଇଛନ୍ତି।

ଡିଏଙ୍ଗ୍ଲୋ ୧୯୭୦ ଦଶକରୁ  ଅପରାଧ କରିଆସୁଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ କେବଳ ଦୁଷ୍କର୍ମ ଓ ଚୋରି କରୁଥିବା ଏହି ଅପରାଧୀ ପରବର୍ତ୍ତି ସମୟରେ ହତ୍ୟା, ଡକୈତୀ ଓ ସିନ୍ଧି ଚୋରି ଆରମ୍ବ କରିଦେଇଥିଲା। ଯାହା  ପୋଲିସ ଲାଗି ଚାଲେଞ୍ଜ ହୋଇଥିଲା।  ହେଲେବି ପୋଲିସ ତାର ଟେର ପାଉନଥିଲା। ଏକ ସମୟରେ ସେ ପୋଲିସକୁ ଟେଲିଫୋନ କରି ଅପରାଧର ସ୍ଥାନ ଓ ସମୟ କହି ଅପରାଧ ଭିଆଉଥିଲା।  ଏହିପରି ଦୀର୍ଘ ୨ ଦଶନ୍ଧୀ ଧରି କାଲିଫର୍ଣ୍ଣିଆରେ ଆତଙ୍କ ରଚାଇଥିବା ଏହି କୁଖ୍ୟାତ ଅପରାଧୀକୁ ଏପ୍ରିଲ ୨୦୧୮ରେ ଗିରଫ କରାଯିବା ବେଳେ ସେ ପୋଲିସର ଜଣେ ପୂର୍ବତନ ଅଧିକାରୀ ଥିଲା ବୋଲି ଜଣାପଡିବା ସେତେବେଳେ ପୋଲିସକୁ ମଧ୍ୟ ତାଜ୍ଜୁବ କରଥିଲା। 

ଅପରାଧର ଶୈଳୀ ଯୋଗୁ ତାକୁ ଧରିବା ଦୂରର କଥା ତା ବିରୋଧରେ ପୋଲିସ ପ୍ରମାଣ ମଧ୍ୟ ଜୁଟାଇ ପାରୁନଥିଲା। ଡିଏଙ୍ଗ୍ଲୋ ଲାଗି ଏକ ସମୟରେ କାଲିଫର୍ଣ୍ଣିଆରେ ସଞ୍ଜ ନଇଁଲେ ଲୋକେ ଘରେ କବାଟ କିଳି ରହୁଥିଲେ। ପ୍ରଥମେ ପ୍ରଥମେ ଏକାକୀ ରହୁଥିବା ମହିଳାଙ୍କୁ ଚାର୍ଗେଟ କରୁଥିବା ଗୋଲ୍ଡେନ ଷ୍ଟେଟ୍ କିଲର ପରେ ଘରେ ପତି ଓ ପୁରୁଷ ବନ୍ଧୁଙ୍କ ଉପସ୍ଥିତିରେ ବି ଅପରାଧ ଭିଆଇବାରେ ଲାଗିଥିଲା।  ପରିସ୍ଥିତି ଏପରି ହୋଇଥିଲା ଯେ ମାମଲାର ତଦନ୍ତ ଦାୟିତ୍ୱ ଏଫବିଆଇକୁ ମଧ୍ୟ ଦିଆଯାଇଥିଲା। ହେଲେ ଅପରାଧୀ ବିରୋଧରେ ପ୍ରମାଣ ଜୁଟାଇବାରେ ଏଫବିଆଇ ମଧ୍ୟ ବିଫଳ ହୋଇଥିଲେ।

ସେ ଭିଆଇଥିବା ହତ୍ୟାକାଣ୍ଡ ମଧ୍ୟରୁ ଅନୁନ୍ୟ ୧୩ଟି କୁ ମନେ ପକାଇ ପାରିଥିବା ବେଳେ ୫୦ରୁ ଅଧିକ ଦୁଷ୍କର୍ମ ଓ ଶହଶହ ଚୋରି ସହ ସମ୍ପୃକ୍ତ ଥିବାର ସ୍ୱୀକାର କରିଥିଲା। ମାମଲା କୋର୍ଟରେ ବିଚାରାଧୀନ ଥିବା ବେଳେ ଡିଏଙ୍ଗ୍ଲୋକୁ ଥରେ କହିବାର ସୁଯୋଗ ଦିଆଯାଇଥିଲା। ସେ ତାର ସମସ୍ତ ଅପରାଧ ଲାଗି ଦୁଃଖ ପ୍ରକାଶ କରିଥିଲା। କହିଥିଲା ଆପଣମାନେ ଯାହା କହୁଛନ୍ତି ତାହା ସବୁ ମୁଁ ଶୁଣିଛି। ମୁଁ ସମସ୍ତଙ୍କୁ ଦୁଃଖ ଦେଇଥିବାରୁ ଦୁଃଖିତ। 

କେମିତି ଧରାପଡିଲା କିଲର
ସମୟ ସହିତ ଅପରାଧ ଥମିଯାଇଥିଲା। ତେବେ ଶହ ଶହ ଅସମାହିତ ଅପରାଧର ସମାଧାନ ହୋଇପାରୁନଥିଲା। ଏଣୁ ୨୦୧୪ ମସିହାରେ ଜନୈକା ମହିଳା ପୋଲିସ ଅଧିକାରୀଙ୍କୁ ଏହି ସବୁ ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ସେ ତଦନ୍ତରେ ଜେନୋଲଜି ସମ୍ପର୍କିତ ଜେଇଡି ମ୍ୟାଚ୍‌ ୱେବ୍‌ ସାଇଟର ସାହାରା ନେଇଥିଲେ। ଆମେରିକୀୟ ସେମାନଙ୍କ ବଂଶାବଳୀ ସମ୍ପର୍କିତ ସୂଚନା ଏଥିରେ ଅପଲୋଡ କରିଥାନ୍ତି। ଏଥିରେ ଅପରାଧୀ ପରିବାରର ମଧ୍ୟ ଡିଏନଏ ଥିଲା।

ତଦନ୍ତକାରୀ ଅଧିକାରୀ ତମାମ ମାମଲରୁ ଗୋଟିକରେ ଡିଏନଏ ସମ୍ପର୍କିତ ରିପୋର୍ଟ ପାଇଥିଲେ। ଯାହାକୁ ସେ ୱେବ୍‌ସାଇଟ୍‌ରେ ଅପଲୋଡ କରିଦେଇଥିଲେ। ଯାହା ୧୯୪୫ ମସିହାରେ ଜନ୍ମିତ ଜନୈକ ବ୍ୟକ୍ତିଙ୍କ ସହ ମ୍ୟାଚ୍‌ ହୋଇଯାଇଥିଲା। ଏହି ବ୍ୟକ୍ତିଙ୍କ ନାମ ଥିଲା ଜୋସେଫ ଜେମ୍ସ ଡିଏଙ୍ଗ୍ଲୋ ଓ ସେ କାଲିଫର୍ଣ୍ଣିଆ ପୋଲିସର ଜଣେ ପୂର୍ବତନ ଅଧିକାରୀ ବୋଲି ସ୍ପଷ୍ଟ ହୋଇଯାଇଥିଲା। ପରେ ତଦନ୍ତକାରୀ ଅଧିକାରୀ ତାଙ୍କର ପିଛା କରିବା ଆରମ୍ଭ କରିଦେଇଥିଲେ। ଦିନେ ତାଙ୍କ କାରରୁ ଡିଏନଏ ସାମ୍ପଲ ସଂଗ୍ରହ କରିନେଇଥିଲେ। ଦୁଇ ଦିନ ପରେ ଯେଉଁ ରିପୋର୍ଟ ମିଳିଥିଲା ତାକୁ କାଲିଫର୍ଣ୍ଣିଆ ପୋଲିସ ଡିପାର୍ଟମେଣ୍ଟ ଦୀର୍ଘ ଦଶନ୍ଧୀରୁ ଅପେକ୍ଷା କରି ରହିଥିଲା।   

   Related Posts