ଆମେରିକା ନିର୍ବାଚନ: କେଉଁଠି ଅଟକି ରହିଛି ଫଳାଫଳ, କ'ଣ ପ୍ରତ୍ୟାବର୍ତ୍ତନ କରି ପାରିବେ ଟ୍ରମ୍ପ ? ଜାଣନ୍ତୁ ବର୍ତ୍ତମାନର ସ୍ଥିତି

Published By : Prameya-News7 Bureau | November 05, 2020 IST

ଓ୍ଵାଶିଂଟନ ୦୫।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରେ ଲଗାତାର ଦ୍ଵିତୀୟ ଦିନ ଭୋଟ୍ ଗଣତି ଜାରି ରହିଛି। ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବାଇଡେନ ୨୭୦ ସଂଖ୍ୟା ଗରିଷ୍ଠତାଠୁ ମାତ୍ର ୬ ଭୋଟ୍ ଦୂରରେ ଅଛନ୍ତି। ଅପରପକ୍ଷେ ପ୍ରତିଦ୍ଵନ୍ଦୀ ଡୋନାଲ୍ଡ ଟ୍ରମ୍ପ ୨୧୪ ଭୋଟ୍ ସହିତ ବହୁମତଠୁ ବହୁ ଦୂରରେ ଅଛନ୍ତି। କିନ୍ତୁ ଟ୍ରମ୍ପ ଏବେ ମଧ୍ୟ ପେନସିଲଭେନିଆ, ନର୍ଥ କାରୋଲିନ ଓ ଜର୍ଜିଆରେ ଆଗରେ ରହିଛନ୍ତି। ବାଇଡେନଙ୍କ ଦମଦାର ପ୍ରଦର୍ଶନ ପରେ ମଧ୍ୟ ଟ୍ରମ୍ପ ଏବେ ମଧ୍ୟ ରାଷ୍ଟ୍ରପତି ପଦ ଦୌଡରେ ରହିଛନ୍ତି।

ଏହା ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କ ଟିମ୍ ତିନୋଟି ରାଜ୍ୟରେ ମତଗଣନାକୁ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ନିର୍ବାଚନ ଫଳାଫଳ ଘୋଷଣାରେ ହେଉଥିବା ବିଳମ୍ବକୁ ଦୃଷ୍ଟିରେ ରଖି ନିର୍ବାଚନ  ଅଧିକାରୀ ପ୍ରମୁଖ ରାଜ୍ୟଗୁଡିକରେ ଭୋଟ୍ ଗଣତିକୁ ଜୋରଦାର କରିଛନ୍ତି। ବର୍ତ୍ତମାନ ନେଓ୍ଵାଡା, ଜର୍ଜିଆ, ନର୍ଥ କାରୋଲିନ ଏବଂ ପେନସିଲଭେନିଆରେ ଅନ୍ତିମ ପରିମାଣକୁ ଅପେକ୍ଷା କରାଯାଇଛି। ଯଦି ବାଇଡେନ କେବଳ ନେଓ୍ଵାଡାରେ ବିଜୟ ହାଲସ କରନ୍ତି ତେବେ ସେ ୨୭୦ ମ୍ୟାଜିକ୍ ନମ୍ବର ଛୁଇଁ ରାଷ୍ଟ୍ରପତି ହେବେ। ଯଦି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପେନସିଲଭେନିଆ, ନର୍ଥ କାରୋଲିନ, ନେଓ୍ଵାଡା ଓ ଜର୍ଜିଆରେ ବିଜୟୀ ହୁଅନ୍ତି ତେବେ ୨୭୦ ସଂଖ୍ୟା ପର୍ଯ୍ୟନ୍ତ ପହଞ୍ଚି ପାରନ୍ତି।

ଅନ୍ୟପଟେ ଟ୍ରମ୍ପଙ୍କ ପାଇଁ ଚିନ୍ତାର ବିଷୟ ଯେ, ଜୋ ବାଇଡେନ ଜର୍ଜିଆ ଓ ପେନସିଲଭେନିଆରେ ଦ୍ରୁତ ଗତିରେ ଆଗକୁ ବଢୁଛନ୍ତି ଏବଂ ଟ୍ରମ୍ପଙ୍କ ଭୋଟ୍ ହ୍ରାସ ପାଇ ଚାଲିଛି। ଟ୍ରମ୍ପଙ୍କ ଟିମ୍‌ଙ୍କ କହିବା କଥା ଭିସ୍କୋନିସିନରେ ପୁଣି ଥରେ ଭୋଟ୍ ଗଣତି କରାଯିବାକୁ ଅପିଲ୍ କରାଯିବ। ତାଙ୍କ ଟିମ୍ ପେନସିଲଭେନିଆ ଓ ଓ ମିସିଗନରେ କେସ୍ ଦାଖଲ କରିଛନ୍ତି। ଏବେ ବି ଏହି ରାଜ୍ୟଗୁଡିକରେ ଲକ୍ଷାଧିକ ଭୋଟ୍ ଗଣତି ବାକି ରହିଛି। ତେଣୁ ଭୋଟ୍ ଗଣତି ପାଇଁ ଆହୁରି ଅନେକ ଦିନ ସମୟ ଲାଗିପାରେ ବୋଲି କୁହାଯାଉଛି।

ଭୋଟ୍ ଗଣତି ଜାରି ରହିଥିବାରୁ ରାଷ୍ଟ୍ରପତି କିଏ ହେବ ଏହାର ନିଷ୍ପତ୍ତି ଲଟକି ରହିଛି। ଏମି ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ୯ଟି ରାଜ୍ୟରେ ଭୋଟ୍ ଗଣତି ଜାରି ରହିଛି। ଆଲାସ୍କାରେ ଏବେ କେବଳ ୫୬ ପ୍ରତିଶତ ଭୋଟ୍ ଗଣତି ହୋଇଛି। ଏଠାରେ ଟ୍ରମ୍ପ ଆଗରେ ଚାଲିଛନ୍ତି। ଏହି କଡା ମୁକାବିଲା ଆମେରିକା ରାଷ୍ଟ୍ରପତି ନିର୍ବାଚନ ଇତିହାସରେ ସବୁଠୁ କଡା ଟକ୍କରରେ ସାମିଲ ହୋଇ ଯାଇଛି।

ଅଧିକ ମତ ହାସଲ କରିବାରେ ପ୍ରାର୍ଥୀ ହେଲେ ବିଡେନ

ଆମେରିକାର ଇତିହାସରେ ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବାଇଡେନ ରାଷ୍ଟ୍ରପତି ନିର୍ବାଚନରେ ସବୁଠୁ ଅଧିକ ମତ ହାସଲ କରିବାର ରେକର୍ଡ କରିଛନ୍ତି। ସେ ପୁର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଦ୍ଵାରା ସ୍ଥାପିତ ରେକର୍ଡକୁ ଭାଙ୍ଗିଛନ୍ତି। ନ୍ୟାସନାଲ ପବ୍ଲିକ ରେଡିଓ(ଏନପିଆର)ର ଖବର ଅନୁଯାୟୀ, ନଭେମ୍ବର ୪ ପର୍ଯ୍ୟନ୍ତ ବିଡେନଙ୍କୁ ୭.୦୭ କୋଟି ଭୋଟ୍ ମିଳି ସାରିଛି, ଯାହା ଏ ପର୍ଯ୍ୟନ୍ତ ରାଷ୍ଟ୍ରପତି ନିର୍ବାଚନରେ କୌଣସି ପ୍ରାର୍ଥୀଙ୍କୁ ମିଳିଥିବା ସର୍ବାଧିକ ଭୋଟ୍। ବାଇଡେନ ଲୋକପ୍ରିୟ ମତରେ ଓବାମାଙ୍କୁ ମଧ୍ୟ ପଛରେ ପକାଇଛନ୍ତି। ୨୦୦୮ ନିର୍ବାଚନରେ ଓବାମାଙ୍କୁ ୬, ୯୪, ୯୮, ୫୧୬ ମତଦାନ ମିଳିଥିଲା।

ଯେମିତି ଯେମିତି ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ପୁନର୍ବାର ବିଜୟୀ ହେବା ସମ୍ଭାବନା କମ ହୋଇ ଚାଲିଛି, ଟ୍ରମ୍ପଙ୍କ ସମର୍ଥକ ନକଲି ଦାବି କରିବା ଆରମ୍ଭ କରି ଦେଇଛନ୍ତି। ତାଙ୍କର ସମର୍ଥକ ଅଭିଯୋଗ କରିଛନ୍ତି ଯେ, ନିର୍ବାଚନରେ ଅନିୟମିତତା ହୋଇଛି, ଯେଉଁଥିରେ ବାଇଡେନଙ୍କୁ ଫାଇଦା ହୋଇଛି। ଟ୍ରମ୍ପଙ୍କ ସମର୍ଥକ ସାମାଜିକ ଗଣମାଧ୍ୟମରେ ନକଲି ଭିଡିଓ ଅପଲୋଡ୍ କରିବାରେ ଲାଗିଛନ୍ତି। ଟ୍ରମ୍ପଙ୍କ ସମର୍ଥକ ନକଲି ପ୍ରମାଣ ମଧ୍ୟ ଦେଉଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.