ଡବ୍ଲ୍ୟୁଏଚଓକୁ ଆମେରିକା ୫୦ କୋଟି ଡଲାର ଦେଉଥିବା ବେଳେ ଚୀନର ଯୋଗଦାନ ୪ କୋଟି ଡଲାରରୁ ବି କମ: ଟ୍ରମ୍ପ

Published By : Prameya-News7 Bureau | April 11, 2020 IST

ଓ୍ଵାଂଶିଟନ, ୧୧।୦୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଡବ୍ଲ୍ୟୁଏଚଓ ଉପରେ ବିଷୋଦଗାର କରିଛନ୍ତି । ଡବ୍ଲ୍ୟୁଏଚଓକୁ  ଦିଆଯାଉଥିବା ଆର୍ଥିକ ସହାୟତାରେ ହ୍ରାସ ନେଇ ଆଗାମୀ ସପ୍ତାହରେ ନିର୍ଣ୍ଣୟ ନେବେ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, ଗୋଟିଏ ପଟେ ଆମେରିକା ଡବ୍ଲ୍ୟୁଏଚଓକୁ ସର୍ବାଧିକ ଆର୍ଥିକ ସହାୟତା ଦେଉଥିବା ବେଳେ ଅନ୍ୟପଟେ ଏହି ସଂସ୍ଥା କୋଭିଡ୍‌-୧୯ ମାମଲାରେ ଚୀନ ପ୍ରତି ଧ୍ୟାନ କେନ୍ଦ୍ରିତ କରିଛି। ସେ ଏହି ବିଷୟରେ ଆଗାମୀ ସପ୍ତାହରେ ଡବ୍ଲ୍ୟୁଏଚଓର ମହାନିର୍ଦ୍ଦେଶକଙ୍କ ସହ ଆଲୋଚନା କରିବେ ବୋଲି ଟ୍ରମ୍ପ କହିଛନ୍ତି।

ହ୍ୱାଇଟ୍ ହାଉସରେ ଦୈନିକ ସାମ୍ବାଦିକ ସମ୍ମିଳନୀରେ ଏକ ପ୍ରଶ୍ନର ଉତ୍ତରରେ ଟ୍ରମ୍ପ କହିଛନ୍ତି, ଆମେରିକା ଡବ୍ଲ୍ୟୁଏଚଓକୁ ୫୦  କୋଟି ଡଲାର ଦେଉଥିବା ବେଳେ ଚୀନର ଯୋଗଦାନ ୪ କୋଟି ଡଲାରରୁ କମ। ମାତ୍ର କୋଭିଡ-୧୯ ବିଷୟରେ ଡବ୍ଲ୍ୟୁଏଚଓର ଯେଉଁ ଭଳି ବ୍ୟବହାର ରହିଛି, ତାହା ଗ୍ରହଣୀୟ ନୁହଁ। ଯେବେ ଚୀନରେ କୋଭିଡ୍‌-୧୯ ନିଜର କାୟା ବିସ୍ତାର କରି  ଚାଲିଥିଲା ସେହି ସମୟରେ ଆମେରିକା ନିଜର ସୀମା ସିଲ୍ ସହ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇବାକୁ ଚାହୁଁଥିଲା, ମାତ୍ର ଡବ୍ଲ୍ୟୁଏଚଓ ଏହି ନିଷ୍ପତିକୁ ବିରୋଧ କରିଥିଲା । ଡବ୍ଲ୍ୟୁଏଚଓର ଏହି ଆଭିମୁଖ୍ୟ ଉଚିତ୍ ନଥିଲା।

ଡବ୍ଲ୍ୟୁଏଚଓ  ଟ୍ରମ୍ପଙ୍କ ବୟାନ ଉପରେ କହିଛି ଯେ, ଏହି ସମୟ ଫଣ୍ଡିଂ ବିଷୟରେ ଆଲୋଚନା କରିବା ନୁହଁ । ଭଲ ହେବ ଆମେ ସମସ୍ତେ ମିଶି କୋଭିଡ୍‌-୧୯ର ମୁକାବିଲା କରିବା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.