ଆତଙ୍କ ସୃଷ୍ଟି କରିଛନ୍ତି ଝାଡଖଣ୍ଡ ଜମତରାର ସାଇବର ଠକ! ଅଧ୍ୟୟନ ଲାଗି ଆସିବେ ଆମେରିକୀୟ ଗବେଷକ
11/01/2021 at 5:26 PM

ନୂଆଦିଲ୍ଲୀ ୧୧।୧: ଅକ୍ଷର ଲେଖି ବି ଶିଖି ନାହାନ୍ତି! ନିଜର ନାଁ ବି ଲେଖିପାରିବେନି ହେଲେ ଲୋକଙ୍କ ଆକାଉଣ୍ଟରୁ ଉଡେଇ ଦେଉଛନ୍ତି ଲକ୍ଷଲକ୍ଷ ଟଙ୍କା ! କେବଳ ଦେଶ ନୁହେଁ ଏବେ ଝାଡଖଣ୍ଡ ଜମତାରା ସାଇବର ଠକଙ୍କ ଲାଗି ବିଦେଶରେ ମଧ୍ୟ ଆତଙ୍କ ଖେଳିଯାଇଛି । ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳର ଏହି ଅପରାଧ ଅପାଠୁଆଙ୍କ ଦ୍ୱାରା କିପରି ସମ୍ଭବ ହେଉଛି, ତାର ଅନୁଧ୍ୟାନ ଲାଗି ଆମେରିକୀୟ ସାଇବର ରିସର୍ଚ୍ଚ ଟିମ ଜମତାରା ଆସିବେ। ଏଥିଲାଗି ଝାଡଖଣ୍ଡ ପୋଲିସ ମହାନିର୍ଦ୍ଦେଶକ ଜମତାରା ଏସପିଙ୍କୁ ପତ୍ର ଲେଖିଥିବା ଜଣାପଡିଛି।

ଆକାଉଣ୍ଟ ଅପଡେଟ୍ କରିବା, ଏଟିଏମ ବ୍ଲକ ହେବ ଆଦି ମିଥ୍ୟା ସୂଚନା ଦେଇ ଅଥବା ଏଟିଏମ ମେସିନ କ୍ଲୋନିଂ କରି ଆକାଉଣ୍ଟ ଖାଲି କରିନେବା ଜମତରା ସାଇବର ଅପରାଧିଙ୍କ ଲାଗି ବାଁ ହାତର ଖେଳ। କେବଳ ଝାଡଖଣ୍ଡରେ ନୁହେଁ ଏମାନେ ସାରା ଦେଶରେ ଏପରିକି ବିଦେଶରେ ଲୋକଙ୍କ ଆକାଉଣ୍ଟ ଝାଡୁମାରୁଛନ୍ତି। ଗତ ଦିନରେ ଜମତରାର ଏକ ସାଇବର ଠକ ଦିଲ୍ଲୀରେ ଧରାପଡିଥିଲା। ସେ ଅନୁନ୍ୟ ୫୦ଲକ୍ଷ ଟଙ୍କା ଠକିଥିବା ପଚରାଉଚୁରାରୁ ଜଣା ପଡିବା ପରେ ପୋଲିସର ବୁଧି ହଜିଯାଇଥିଲା।

ଜମତରାର କରମାଟାଣ୍ଡ ସାଇବର ଅପରାଧୀଙ୍କ ଗଡ଼ ବୋଲି ଜଣାପଡିଛି। ଗାଁର କିଏ ଭଲ ଲୋକ କିଏ ସାଇବର ଅପରାଧୀ ତାହା ଜାଣିବା କଷ୍ଟକର। ଏଥିରେ ଯଦି ପୋଲିସ କାହାକୁ ସନ୍ଦେହରେ ଅଟକ କରି ପୋଲିସିଆ ଶୈଳିରେ ଇଣ୍ଟ୍ରୋଗେସନ କରେ ତା ଠୁ ଠକେଇ ନେଇ କିଛି ନା କିଛି ତଥ୍ୟ ମିଳିବା ନିଶ୍ଚିତ। ଏଥିଲାଗି ପିଲାଙ୍କୁ ସେମାନଙ୍କ ଅଭିଭାବକ ହିଁ ଏଠାରେ ପ୍ରୋତ୍ସାହିତ କରୁଛନ୍ତି।

ଗାଁରେ ଦିନରାତି ଲୋକେ କେବଳ ଏହି କାମରେ ହିଁ ଲାଗିଛନ୍ତି। ପୋଖରୀ କୂଳ ହେଉ କି ବାଉଁଶ ଝାଡି କିଏ ନା କିଏ କାନରେ ଫୋନ ଲଗାଇ ଲୋକଙ୍କୁ ଫଶାଉଥିବାର ଦୃଶ୍ୟ ଏଠାରେ ସାଧାରଣ। ଗାଁର ଶତପ୍ରତିଶତ ଲୋକେ ନିରକ୍ଷର। ଅପାଠୁଆ ହୋଇ ମଧ୍ୟ କିପରି ମୋବାଇଲ ଫୋନରେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ, କ୍ରେଡିଟ, ଡେବିଟକାର୍ଡ ସଫା କରିଦେଉଛନ୍ତି ତାହା ହିଁ ଏବେ ଆଶ୍ଚର୍ଯ୍ୟର ବିଷୟ । ଉଚ୍ଚ ବୌଷୟିକ ଶିକ୍ଷାଗତ ଯୋଗ୍ୟତାଧାରୀ ମଧ୍ୟ ଏମାନଙ୍କ ଜାଲରେ ଫଶି ନିଜର ସଞ୍ଚିତ ହରାଉଛନ୍ତି।

କେବଳ ଦେଶ ନୁହେଁ ବିଦେଶରୁ ବି ଏମାନେ ଅକ୍ଲେଶରେ ଠକେଇ କରିପାରୁଛନ୍ତି। ଆମେରିକାରେ ଏପରି ମାମଲା ବଢିବା ପରେ ସେଠାକାର ସାଇବର ଗବେଷକ ଦଳ ଗାଁକୁ ଆସି ଅପରାଧ ଓ ଅପରାଧୀଙ୍କ ସମ୍ପର୍କରେ ଏବେ ଗବେଷଣା କରିବେ ବୋଲି ଜଣାପଡିଛି।