କରୋନା ଟୀକା ଆଶା ବଢିଲା : ହ୍ୟୁମାନ ଟ୍ରାଏଲ ଆରମ୍ଭ କଲା ଆମେରିକୀୟ କମ୍ପାନୀ

Published By : Prameya-News7 Bureau | May 19, 2020 IST

ଓ୍ବାଶିଂଟନ୍ ୧୯।୫: ଚୀନ୍‌ର ଉହାନ ସହରରୁ ଉତ୍ପନ୍ନ ହୋଇଥିବା କରୋନା ଭାଇରସ୍ ସହ ସାରା ବିଶ୍ବ ଲଢେଇ ଜାରି ରଖିଛି । ଏଭଳି ପରିସ୍ଥିତିରେ ଅନେକ ଦେଶ ଏହି ମହାମାରୀର ଟୀକା ଅନୁସନ୍ଧାନରେ ବ୍ୟସ୍ତ ଅଛନ୍ତି । ସାରା ବିଶ୍ବରେ ଥିବା ସମସ୍ତ ଲ୍ୟାବରେ ବୈଜ୍ଞାନିକମାନେ ଯଥାଶୀଘ୍ର ଟୀକା ପାଇବା ପାଇଁ ଚେଷ୍ଟା କରୁଛନ୍ତି । ଏହି ସମୟରେ ଆମେରିକାର ଫାର୍ମାସ୍ୟୁଟିକାଲ୍ କମ୍ପାନୀ ମାଡର୍ନା କରୋନା ଟୀକା ତିଆରି କରିବାର ଆଶା ବଢାଇଛି ।

କମ୍ପାନୀ ଟୀକା ତିଆରି କରିବାର ପ୍ରକ୍ରିୟାରେ ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ ଅତିକ୍ରମ କରିସାରିଛି। କୁହାଯାଉଛି ଯେ, କମ୍ପାନୀ ଟୀକାକରଣର ହ୍ୟୁମାନ ଟ୍ରାଏଲ ଆରମ୍ଭ କରିଛି ଏବଂ ହ୍ୟୁମାନ ଟ୍ରାଏଲର ଫଳାଫଳ ମଧ୍ୟ ବହୁତ ଭଲ ହୋଇଛି । କମ୍ପାନୀ କହିଛି ଯେ, ହ୍ୟୁମାନ କ୍ଲିନିକାଲ ଟ୍ରାଏଲର ପ୍ରାରମ୍ଭିକ ଫଳାଫଳ ସକରାତ୍ମକ ହେବା ପରେ ଜୁଲାଇରୁ ଟୀକା ଟ୍ରାଏଲର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଯିବ ।

ସୂଚନାଯୋଗ୍ୟ ଯେ, ଯଦି ତୃତୀୟ ପର୍ଯ୍ୟାୟ ସଫଳ ହୁଏ, ତେବେ କମ୍ପାନୀ ଟୀକା ପ୍ରସ୍ତୁତି କରିବା ପାଇଁ ଲାଇସେନ୍ସ ପାଇଁ ଆବେଦନ କରିପାରିବ। ମାଡର୍ନା ହେଉଛି ପ୍ରଥମ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଯାହାକି ଏହାର RNA ଆଧାରିତ ଟୀକା ଉପରେ ହ୍ୟୁମାନ ଟ୍ରାଏଲ କରିଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହା ମଧ୍ୟ କହିସାରିଛନ୍ତି ଯେ, ବର୍ଷ ଶେଷ ସୁଦ୍ଧା କରୋନା ଟୀକା ବାହାରିପାରେ ।

ମାଡର୍ନା କମ୍ପାନୀ RNA ଆଧାରିତ ଟୀକା mRNA-1273ର ହ୍ୟୁମାନ ଟ୍ରାଏଲର ଘୋଷଣା କରିବା ସହ ତାହାକୁ କାର୍ଯ୍ୟରେ କରି ଦେଖାଇବା ପ୍ରଥମ ଆମେରିକୀୟ କମ୍ପାନୀ । କମ୍ପାନୀ ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆଲର୍ଜି ଆଣ୍ଡ୍ ଇନଫେକସନ ଡିଜିଜ (NIAID) ର ନେତୃତ୍ବରେ ପ୍ରଥମ ପର୍ଯ୍ୟାୟ ଅଧ୍ୟୟନରୁ ଏହାର ଟୀକାକରଣର ହ୍ୟୁମାନ ଟ୍ରାଏଲର ସକରାତ୍ମକ ଫଳାଫଳର ତଥ୍ୟ ମଧ୍ୟ ଘୋଷଣା କରିଥିଲେ ।

ଫାର୍ମା କମ୍ପାନୀ କହିଛି ଯେ, ଟୀକା mRNA-1273ର ପ୍ରଭାବ ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରେ ସୁରକ୍ଷିତ ଏବଂ ସଫଳ ରହିଥିଲା । ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲରେ ଅଂଶଗ୍ରହଣ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ୨୫, ୧୦୦ କିମ୍ବା ୨୫୦ ମାଇକ୍ରୋଗ୍ରାମ୍ ର ଡୋଜ୍ ଦିଆଯାଉଛି । ପ୍ରତ୍ୟେକ ଡୋଜ୍ ଗୋଷ୍ଠୀରେ ୧୫ ଜଣଙ୍କୁ ନେଇ ଗଠିତ ହୋଇଥିଲା । ମଧ୍ୟବର୍ତ୍ତୀ ଫଳାଫଳ ଜଣାଯାଇଛି ଯେ, ଆଣ୍ଟିବଡି ସମାନ ସ୍ତରରେ ଥିଲା ଯାହା ସାଧାରଣତଃ କରୋନା ଜୀବାଣୁ ସଂକ୍ରମିତ ଲୋକଙ୍କ ରକ୍ତ ନମୁନାରେ ଦେଖାଯାଏ ।

ମଡର୍ନା କମ୍ପାନୀରେ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଷ୍ଟିଫେନ୍ ବେସେଲ କହିଛନ୍ତି ଯେ, ଆଜିର ପ୍ରଥମ ପର୍ଯ୍ୟାୟ ସକରାତ୍ମକ ତଥ୍ୟ ସହିତ ଜୁଲାଇରେ ପ୍ରଥମ ପର୍ଯ୍ୟାୟ ଅଧ୍ୟୟନ ଆରମ୍ଭ କରିବା ପାଇଁ ଆମ ଟିମ୍ ଯଥାସମ୍ଭବ ଗତି କରିବା ଉପରେ ଧ୍ୟାନ ଦେଇଛନ୍ତି । ସଫଳ ହେଲେ ଲାଇସେନ୍ସ ପାଇଁ ଆବେଦନ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.