ମୋଟା ଅଙ୍କର ଟ୍ୟାକ୍ସ ଫାଙ୍କି ଲଣ୍ଡନ ଚାଲିଯାଇଥିଲେ, ଧରାପଡିବା ପରେ ଦୁଇ ଗୁଣା ଫାଇନ ଦେଲେ ବ୍ୟବସାୟୀ

Published By : Prameya-News7 Bureau | October 30, 2021 IST

ନୂଆଦିଲ୍ଲୀ ୩୦/୧୦ : କୋଟିଏ କି ୨ କୋଟି ନୁହେଁ ୩୮୧୩ କୋଟି ଟଙ୍କା ଫାଇନ । ଟ୍ୟାକ୍ସ ଫାଙ୍କିବା ଏବଂ ଫାଇନ ବାବଦକୁ ମୋଟା ଅଙ୍କର ଟଙ୍କା ଗଣିଛନ୍ତି ଋଷର ଜଣେ କୋଟିପତି ବ୍ୟବସାୟୀ । ଏ ବାବଦକୁ ଆମେରିକାକୁ ୫୦୯ ମିଲିୟନ ଡଲାର ଭାରତୀୟ ମୁଦ୍ରାରେ ପ୍ରାୟ ୩୮୧୩ କୋଟି ଟଙ୍କା ଗଣିଛନ୍ତି ଋଷ କୋଟିପତି ଓଲେଗ ଟିଙ୍କୋଭ । ପ୍ରାୟ ୧ ବିଲିୟନ ଡଲାରରୁ ଅଧିକ ଟଙ୍କାର କର ଫାଙ୍କିବା ଅଭିଯୋଗରେ ଗତ ଅକ୍ଟୋବର ୧ ତାରିଖରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଯାହା ଫଲରେ ତାଙ୍କୁ ମୋଟା ଅଙ୍କର ଟ୍ୟାକ୍ସ ସହ ଫାଇନ ଦେବାକୁ ପଡିଛି ।

ଓଲେଗ ଟିଙ୍କୋଭ ହେଉଛନ୍ତି ଟିଙ୍କଅଫ୍‌ କ୍ରେଡିଟ୍‌ ସର୍ଭିସ୍‌ ଏବଂ ଲୋକପ୍ରିୟ ଅନଲାଇନ୍‌ ଟିଙ୍କଅଫ୍ ବ୍ୟାଙ୍କର ମାଲିକ । ଏହା ସହିତ ତାଙ୍କ ମାଲିକାନାରେ ରହିଛି ଟିଙ୍କ୍‌ଅଫ୍‌ ସାଇକ୍ଲିଂ ଟିମ । ସେ ୧୯୯୬ ମସିହାରେ ଆମେରିକାର ନାଗରିକତ୍ବ ଗ୍ରହଣ କରିଥିଲେ । ସେଠାରେ ଦୀର୍ଘ ସମୟ ଧରି ବ୍ୟବସାୟ କରିଥିଲେ । ପରେ ୨୦୧୩ ମସିହାରେ ସେ ତାଙ୍କର କମ୍ପାନୀ ଟିଙ୍କଅଫ୍‌ କ୍ରେଡିଟ୍‌ ପବ୍ଲିକକୁ ଲଣ୍ଡନ ଷ୍ଟକ୍‌ ଏକ୍ସଚେଞ୍ଜରେ ନିବେଶ କରିବାକୁ ସ୍ଥିର କରିଥିଲେ । ସେତେବେଳେ ଏହାର ମୂଲ୍ୟ ଥିଲା ୧.୧ ବିଲିୟନ ଡଲାର ଅର୍ଥାତ ୮୨୪୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ।

ତେ​ବେ ଏହାର ମାତ୍ର ୩ ଦିନପ​‌ରେ ସେ ଆମେରିକାର ନାଗରିକତ୍ବ ଛାଡିବାକୁ ନିଷ୍ପତ୍ତି ନେଇଥିଲେ । ୧.୧ ବିଲିୟନ ଡଲାର ସମ୍ପତ୍ତି ଥାଇ ବି ଓଲେଗ ଟିଙ୍କୋଭ ମାତ୍ର ୩ ଲକ୍ଷ ଡଲାରର ସମ୍ପତ୍ତି ଦର୍ଶାଇଥିଲେ । ସେହି ହିସାବରେ ଆମେରିକା ସରକାରଙ୍କୁ କର ମଧ୍ୟ ଦେଇଥିଲେ । ପରେ ତଦନ୍ତ ବେଳେ ଜଣାପଡିଥିଲା ଯେ ପ୍ରକୃତରେ ଟିଙ୍କୋଭେଙ୍କ ସମ୍ପତ୍ତିର ମୂଲ୍ୟ ଢେର ଅଧିକ ଏବଂ ସେ ସରକାରଙ୍କୁ କର ଫାଙ୍କିଛନ୍ତି । ୨୪୯ ମିଲିୟନ ଡଲାର ଅର୍ଥା ୧୮୬୫ କୋଟି ଟଙ୍କା ଫାଙ୍କିଥିବା ଜଣାପଡିଥିଲା । ତେବେ ଏହି ମାମଲାର ଶୁଣାଣି କରି ଆମେରିକାର ଏକ କୋର୍ଟ ଏହାର ଡବଲ ଅର୍ଥାତ ଟ୍ୟାକ୍ସ ଏବଂ ଫାଇନ ମିଶି ୩୮୧୩ କୋଟି ଟଙ୍କା ଦେବାକୁ ନିର୍ଦେଶ ଦେଇଥିଲେ । କୋର୍ଟଙ୍କ ଆଦେଶ ଅନୁସାରେ ଋଷ ବ୍ୟବସାୟୀ ଓଲେଗ ଟିଙ୍କୋଭ ୫୦୯ ମିଲିୟନ ଡଲାର କର ଏବଂ ଫାଇନ ଆକାରରେ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.