ଚୀନ୍ର ଖେଳ ଖତମ ! ତୀବ୍ବତକୁ ନେଇ ବଦଳିଲା ଆମେରିକା ଆଇନ, ଦଲାଇଲାମା ମନୋନୟନରେ ହେବନି ହସ୍ତକ୍ଷେପ
22/12/2020 at 8:20 PM

ୱାସିଂଟନ : ତୀବ୍ବତର ଧାର୍ମିକ ସ୍ୱାତନ୍ତ୍ରତା ନେଇ ଆମେରିକା ସଂସଦ ନୂଆ ଆଇନ ଗ୍ରୁହୀତ କରିଛି। ଆଇନରେ ବୌଦ୍ଧ ଧର୍ମକୁ ଭାରତ, ନେପାଳ, ଭୁଟ୍ଟାନ, ମଙ୍ଗୋଲିଆ, ଋଷିଆ ଓ ଆମେରିକା ଭଳି ଦେଶମାନେ ମାନୁଛନ୍ତି। ତେବେ ଧର୍ମର ଗୁରୁ (ଦଲାଇଲାମା) ଚୟନ ପ୍ରକ୍ରିୟାରେ କମ୍ୟୁନିଷ୍ଟ ଚୀନ୍ କାହିଁକି ହସ୍ତକ୍ଷେପ କରୁଛି ବୋଲି ସ୍ପଷ୍ଟ ଭାବେ କୁହାଯାଇଛି। ସୋମବାର ବିଳମ୍ବିତ ରାତ୍ରିରେ ଆମେରିକା ସଂସଦ ‘ତୀବ୍ବତ ପଲିସି ଏଣ୍ଡ ସପୋର୍ଟ ଆକ୍ଟ’ ଗ୍ରୁହୀତ କରିଛି।
ଏହି ବିଧେୟକରେ ତୀବ୍ବତର ଧାର୍ମିକ ସ୍ୱତନ୍ତ୍ରତା ସମେତ ସୁଦୃଢ ଗଣତନ୍ତ୍ର, ପରିବେଶ ସୁରକ୍ଷା, ଧାର୍ମିକ, ସାଂସ୍କୃତିକ ଓ ଐତିହ୍ୟ ସୁରକ୍ଷା ଲାଗି ଆମେରିକା ସମ୍ପୂର୍ଣ୍ଣ ସମର୍ଥନ କରିବ ବୋଲି କୁହାଯାଇଛି। ସେହିପରି ତୀବ୍ଦତରେ ଏନଜିଓ ଆଦିଙ୍କୁ ପାଣ୍ଠି ପ୍ରଦାନ ନିମନ୍ତେ ମଧ୍ୟ ବିଧେୟକରେ ଗୁରୁତ୍ୱ ଦିଆଯାଇଛି। ସବୁଠୁ ବଡ କଥା ହେଲା ନୂଆ ଆଇନରେ ବୌଦ୍ଧ ଧର୍ମର ଶୀର୍ଷ ଧର୍ମଗୁରୁ ଦଲାଇଲାମାଙ୍କ ସମର୍ଥିତ ଗଣତାନ୍ତ୍ରିକ ସରକାରକୁ ଆମେରିକା ପୂର୍ଣ୍ଣ ସମର୍ଥନ ଦେଇଛି।
ଅନ୍ୟପକ୍ଷରେ ଚୀନ୍କୁ ତୀବ୍ଦତ ସମ୍ପର୍କିତ ପ୍ରସଙ୍ଗରେ ଚୀନ୍ ସରକାରଙ୍କୁ ଆଲୋଚନା କରିବାକୁ କୁହାଯାଇଛି। ଯଦି ଚୀନ୍ ଆଇନକୁ ସମ୍ମାନ ନ କରେ ତା ବିରୋଧରେ ଅନ୍ତର୍ଜାତୀୟ ଆଇନ କଡାକଡି କରାଯିବ ବୋଲି ମଧ୍ୟ ଆଇନରେ ପ୍ରାବଧାନ ରଖିଛି ଆମେରିକା। ଏହା ଛଡା ନୂଆ ଆଇନରେ ତୀବ୍ବତ ମାନବାଧିକାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ରାଜଧାନୀ ଲାସାରେ ଆମେରିକା କନସୁଲେଟ୍ ଖୋଲିବା ଲାଗି ମଧ୍ୟ ଆଇନରେ ବ୍ୟବସ୍ଥା କରାଯାଇଛି। ଚଳିତବର୍ଷ ପ୍ରାରମ୍ଭରେ ଏହି ବିଧେୟକ ଆମେରିକା ସଂସଦରେ ଉପସ୍ଥାପିତ ହୋଇଥିଲା ଯାହାକୁ ସୋମବାର ବିଳମ୍ବିତ ରାତ୍ରିରେ ସଂସଦ ବହୁମତରେ ଗୃହୀତ କରିଛି। ଆଇନରେ ତୀବ୍ବତର ଦୀର୍ଘସ୍ଥାୟୀ ବିକାଶ ଉପରେ ମଧ୍ୟ ଜୋର ଦିଆଯାଇଛି।