USCIRFଙ୍କ ଭିସା ପ୍ରତ୍ୟାକ୍ଷାନକୁ ଯଥାର୍ଥ କହିଲେ କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟ
12/06/2020 at 1:49 PM

ନୂଆଦିଲ୍ଲୀ ୧୨।୬: ଆମେରିକୀୟ ଅନ୍ତର୍ଜାତୀୟ ଧାର୍ମିକ ସ୍ୱତନ୍ତ୍ରତା ଆୟୋଗ (ୟୁଏସସିଆଇଆରଏଫ୍)ଙ୍କ ଭିସା ନିବେଦନକୁ ଗତବର୍ଷ ଅଗ୍ରାହ୍ୟ କରାଯାଇଥିଲା। ତେବେ ଏ ନେଇ ନିଷ୍ପତ୍ତି ଯଥାର୍ଥ ଥିଲାବୋଲି ବିଦେଶ ମନ୍ତ୍ରୀ ଏସ୍.ଜୟଶଙ୍କର ଏକ ପତ୍ରରେ ଉଲ୍ଲେଖ କରିଛନ୍ତି। ଏହି ଦ୍ୱିପାକ୍ଷୀୟ ଆମେରିକୀୟ ସଂସ୍ଥା ଭାରତରେ ଧାର୍ମିକ ସ୍ୱତନ୍ତ୍ରତାର ଆକଳନ କରିବାକୁ ଚାହୁଁଥିଲେ। ତେବେ ଭାରତୀୟ ସମ୍ବିଧାନ ଦ୍ୱାରା ସଂରକ୍ଷିତ ଅଧିକାର ଉପରେ କୌଣସି ବିଦେଶୀ ସଂସ୍ଥାଙ୍କର କିଛି କହିବାର ଅଧିକାର ନାହିଁ ବୋଲି ସରକାର ସ୍ପଷ୍ଟ କରିଦେଇଛନ୍ତି।
ବିଜେପି ସାଂସଦ ନିଶିକାନ୍ତ ଦୁବେ ଏ ନେଇ ଗତବର୍ଷ ସଂସଦରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ସଦନରେ ନାଗରିକ ସଂଶୋଧନ ବିଧେୟକ ଗୃହୀତ ହେବା ପରେ ଦୁବେ ପ୍ରସଙ୍ଗରେ କୌଣସି କଟକଣା ରହିଛି କି ବୋଲି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପ୍ରଶ୍ନ କରିଥିଲେ। ତେବେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଏ ସନ୍ଦର୍ଭରେ ଦୁବେଙ୍କୁ ପତ୍ର ଲେଖି ସୂଚିତ କରିଛନ୍ତି।
ବୁଧବାର ଆମେରିକାର ଅଧିକାରିକ ‘୨୦୧୯ ଅନ୍ତର୍ଜାତୀୟ ଧାର୍ମିକ ସ୍ୱତନ୍ତ୍ରତା ରିପୋର୍ଟ’ ଜାରି ହୋଇଛି। ଏଥିରେ ଭାରତରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଓ ଭେଦଭାବକୁ ନେଇ ଉଦବେଗ ପ୍ରକାଶ କରାଯାଇଥିବା ବେଳେ ଦୁବେଙ୍କୁ ଜୟଶଙ୍କରଙ୍କ ପତ୍ର ଏବେ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।
ବିଦେଶମନ୍ତ୍ରୀ ତାଙ୍କ ପତ୍ରରେ ଆମେରିକାର ଏହି ସଂସ୍ଥା ୟୁଏସସିଆଇଆରଏଫ ଭାରତର ଧାର୍ମିକ ସ୍ୱତନ୍ତ୍ରତାକୁ ନେଇ ଭ୍ରମାତ୍ମକ, ପକ୍ଷପାତ ଓ ତ୍ରୁଟିପୂର୍ଣ୍ଣ ତଥ୍ୟ ପ୍ରସାର ଲାଗି ଅନେକ ପୂର୍ବରୁ ପରିଚିତ। ଏଣୁ ଏପରି ସଂସ୍ଥାଙ୍କ ପ୍ରତି ଭାରତ ସରକାର କେବେବି ଗୁରୁତ୍ୱ ଦେଇ ନଥିବା ବେଳେ ଏବେବି ଗୁରୁତ୍ୱ ଦିଆଯାଉନି ବୋଲି ସୂଚିତ କରିଛନ୍ତି। ଏଣୁ ଦେଶରେ ନାଗରିକଙ୍କ ଧାର୍ମିକ ସ୍ୱାଧୀନତାକୁ ନେଇ ଏପରି ସଂସ୍ଥାଙ୍କ ମତ ଓ ମନ୍ତବ୍ୟକୁ ତ୍ରୁଟିପୂର୍ଣ୍ଣ ଓ ଅବଞ୍ଛିତ ବୋଲି କହିଛନ୍ତି।
ଭାରତ ସମ୍ପର୍କରେ ୟୁଏସସିଆଇଆରଏଫ୍ଙ୍କ ରିପୋର୍ଟକୁ ବୁଧବାର ଆମେରିକା ବୈଦେଶିକ ସଚିବ ମାଇକ ପମ୍ପେୟୋ ଜାରି କରିଥିବା ବେଳେ ଏଥିରେ ଭାରତ ଜମ୍ମୁ-କାଶ୍ମୀରରୁ ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ସମେତ ସିଏଏ ଆଇନ ସମ୍ପର୍କରେ ମଧ୍ୟ କହିଥିଲେ। ତେବେ ଏ ନେଇ ଭାରତ ଅନେକ ପୂର୍ବରୁ ଅନ୍ତର୍ଜାତୀୟ ସମୂଦାୟରେ ନିଜର ପକ୍ଷ ସ୍ପଷ୍ଟ କରିସାରିଥିବା ବୈଦେଶିକ ମନ୍ତ୍ରାଳୟ କହିଛନ୍ତି। ଏଥିରେ ସମ୍ବିଧାନର ଧାରା ୩୭୦ ଦେଶର ଆଭ୍ୟନ୍ତରିଣ ମାମଲା ହୋଇଥିବା ବେଳେ ସିଏଏ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ଧାର୍ମିକ ଆଧାରରେ ନିର୍ଯାତୀତ ହିନ୍ଦୁ, ଶିଖ, ଇସାୟୀ, ପାର୍ସି, ଜୈନ ଓ ବୌଦ୍ଧଙ୍କ ଲାଗି ଉଦ୍ଧିଷ୍ଟ ବୋଲି କହିଛନ୍ତି।